୪୬ ବିଧାନସଭା ଉପନିର୍ବାଚନ ଫଳ ପ୍ରକାଶ; ବିଜେପି ମେଣ୍ଟକୁ ୨୪, କଂଗ୍ରେସ ୭ ଆସନରେ ବିଜୟୀ

Published By : Prameya-News7 Bureau | November 24, 2024 IST

ନୂଆଦିଲ୍ଲୀ,୨୪/୧୧: ୧୫ ରାଜ୍ୟର ୪୬ ବିଧାନସଭା ଏବଂ ୨ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନ ରେଜଲ୍ଟ ପ୍ରକାଶ ପାଇଛି । ୪୬ ବିଧାନସଭା ଆସନରୁ ବିଜେପି ମେଣ୍ଟ ସର୍ବାଧିକ୨୪ରେ ବିଜୟ ବାନା ଉଡ଼ାଇଛି । ସେହିପରି କଂଗ୍ରେସ ୭ଟିରେ ଜିତିଥିବା ବେଳେ ଟିଏମ୍‌ସି ୬, ଆମ ଆଦମୀ ପାର୍ଟିକୁ ୩ ଓ ସମାଜବାଦୀ ପାର୍ଟି ୨ ଆସନରେ ଜିତିଛି । 

ବିଜେପି ମେଣ୍ଟରେ ଜନତା ଦଳ ୟୁନାଇଟେଡ, ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା, ଆସାମ ଗଣ ପରିଷଦ, ୟୁନାଇଟେଡ ପିପୁଲ୍ସ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ଅନ୍ତର୍ଭୁକ୍ତ ରହିଛନ୍ତି । ଉପନିର୍ବାଚନ ପୂର୍ବରୁ ଏହି ୪୬ ବିଧାନସଭା ଆସନ ମଧ୍ୟରୁ ୨୭ ଆସନ ବିରୋଧୀଙ୍କ କବ୍‌ଜାରେ ଥିଲା । ଏକାକୀ କଂଗ୍ରେସ ପାଖରେ ୧୩ ଆସନ ରହିଥିଲା । ସେହିଭଳି ବିଜେପି ପାଖରେ ୧୧ ସମେତ  ଏନ୍‌ଡିଏ ପାଖରେ ମୋଟ୍ ୧୭ଟି ସିଟ୍ ରହିଥିଲା । ତେବେ ପୂର୍ବ ନିର୍ବାଚନ ତୁଳନାରେ ବିଜେପି  ମେଣ୍ଟ ଏଥର ୭ଟି ଅଧିକ ଆସନ ପାଇଛି । ଉତ୍ତର ପ୍ରଦେଶରେ ଏଥର ୯ ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ଏଥିରୁ ବିଜେପି ମେଣ୍ଟ ୭ଟି ହାସଲ କରିଥିବା ବେଳେ ସମାଜବାଦୀ ପାର୍ଟି ୨ଟିରେ ବିଜୟୀ ହୋଇଛି । 

ବହୁଚର୍ଚ୍ଚିତ କେରଳର ୱାୟନାଡ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୪ ଲକ୍ଷ ୧୦ ହଜାରରୁ ଅଧିକ ଭୋଟରେ ବିଜୟୀ  ହୋଇଛନ୍ତି । ତାଙ୍କୁ ୬ ଲକ୍ଷ ୨୨ ହଜାର ୩୩୮ ଭୋଟ  ମିଳିଛି । ଦ୍ୱିତୀୟ ସ୍ଥାନରେ ଥିବା ସିପିଆଇର ସତ୍ୟନ୍‌ ମୋକେରୀଙ୍କୁ ୨ ଲକ୍ଷ ୧୧ ହଜାର ଭୋଟ ମିଳିଥିବା ବେଳେ ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ  ନବ୍ୟା ହରିଦାସ ୧ ଲକ୍ଷ ୯ ହଜାର ଭୋଟ୍ ପାଇଛନ୍ତି ।  ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନରେ ବି ଉପନିର୍ବାଚନ ହୋଇଥିଲା । ଆଜି ଗଣତି ବେଳେ   ବିଜେପି ପ୍ରାର୍ଥୀ ଡ. ସନ୍ତୁକରାଓ ମରୋତରାଓ  ହମ୍ବାର୍ଡେ ଢେର ଆଗରେ ଥିଲେ । କିନ୍ତୁ ଶେଷ ପର୍ଯ୍ୟାୟ ଗଣତିରେ କଂଗ୍ରେସର ରବୀନ୍ଦ୍ର ଚୌହାନ  ୧୪୫୭ ଭୋଟରେ ଜିତିଛନ୍ତି । ଏଥର ୟୁପିର ୯ଟି ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା ବେଳେ ରାଜସ୍ଥାନର ୭, ପଶ୍ଚିମବଙ୍ଗର ୬, ଆସାମର ୫, ବିହାରର  ୪, ପଞ୍ଜାବର ୪, କର୍ଣ୍ଣାଟକର ୩, ମଧ୍ୟ ପ୍ରଦେଶ,   ସିକିମ୍‌ ଓ କେରଳର ୨ ଲେଖାଏଁ ଆସନରେ ଭୋଟ୍ ପଡ଼ିଥିଲା । ସେହିଭଳି ଛତିଶଗଡ଼, ଉତ୍ତରାଖଣ୍ଡ,   ଗୁଜରାଟ ଓ ମେଘାଳୟର ଗୋଟିଏ ଲେଖାଏଁ  ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା । ରାଜସ୍ଥାନର ୭ ଆସନ ମଧ୍ୟରୁ ୫ଟିରେ ବିଜେପି  ଜିତିଥିବା ବେଳେ କଂଗ୍ରେସ ଗୋଟିଏ ଓ ଭାରତ ଆଦିବାସୀ ପାର୍ଟି ଗୋଟିଏ ପାଇଛି । ପଶ୍ଚିମବଙ୍ଗର ୬ଟି ବିଧାନସଭା   ଆସନରେ ଉପନିର୍ବାଚନ ହୋଇଥିଲା । ତୃଣମୂଳ   କଂଗ୍ରେସ ସମସ୍ତ ୬ଟି ଆସନକୁ ପୋଛିନେଇଛି । ଆସାମର ୫ଟି ଆସନରୁ ବିଜେପି ୩ଟିରେ ଜିତିଥିବା ବେଳେ ୟୁନାଇଟେଡ ପିପୁଲ୍ସ  ପାର୍ଟି ଓ ଆସାମ ଗଣ ପରିଷଦକୁ ଗୋଟିଏ ଲେଖାଏଁ  ମିଳିଛି । ବିହାରର ୪ଟି ଆସନରୁ ବିଜେପି ୨ଟି ପାଇଥିବା ବେଳେ ଜେଡିୟୁ ୧ ଓ ହାମ୍‌ ୧ ଆସନ ଜିତିନେଇଛି । ପଞ୍ଜାବର ୪ଟି ଆସନରୁ ୩ଟି ଆପ୍‌ ଓ ଗୋଟିଏରେ କଂଗ୍ରେସ ବିଜୟୀ ହୋଇଛି ।  କର୍ଣ୍ଣାଟକର ୩ଟି ଆସନରୁ କଂଗ୍ରେସ ସବୁଥିରେ ବିଜୟୀ ହୋଇଛି । ମଧ୍ୟପ୍ରଦେଶର ଦୁଇଟି ଆସନ ମଧ୍ୟରୁ ଗୋଟିଏ ବିଜେପି ଓ ଗୋଟିଏ କଂଗ୍ରେସ ଭାଗକୁ ଯାଇଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.