ଲକ୍ଷ୍ନୌ: ଉତ୍ତର ପ୍ରଦେଶର ସମ୍ଭଲର ଐତିହାସିକ ଜାମା ମସଜିଦ୍ରେ ଦ୍ବିତୀୟ ପର୍ଯ୍ୟାୟ ସର୍ଭେ ଆରମ୍ଭ ହୋଇଯାଇଛି । ରବିବାର ସର୍ଭେ ଟିମ୍ ମସଜିଦ୍ ନିକଟରେ ପହଞ୍ଚିଥିଲା । ହେଲେ ସର୍ଭେ ବେଳେ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି । ସର୍ଭେ ଟିମକୁ ବିରୋଧ କରିଛନ୍ତି ଲୋକେ । ପୂର୍ବରୁ ସେଠାରେ ମୁତୟନ ଥିବା ପୋଲିସ ଭିଡ଼ ହଟାଇବାକୁ ଚେଷ୍ଟା କରିଥିଲା । ମାତ୍ର ଏହି ସମୟରେ ଉତ୍ତେଜିତ ଲୋକେ ପୋଲିସ ଉପରକୁ ପଥର ମାଡ଼ କରିଥିଲେ । ହିଂସା ନିୟନ୍ତ୍ରଣ କରିବାକୁ ପୋଲିସ୍ ଲୁହ ବୁହା ଗ୍ୟାସ ମାଡ଼ କରିବା ସହିତ ମୃଦୁ ଲାଠି ଚାଳନା କରିଛି । ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଧାରା ୧୪୪ ଲାଗୁ ହୋଇଛି ।
ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶର ସମ୍ଭଲରେ ଥିବା ଐତିହାସିକ ଜାମା ମସଜିଦରେ ହରିହର ମନ୍ଦିର ଥିବା ଦାବି ହେବା ପରେ ନଭେମ୍ବର ୧୯ ତାରିଖରେ ପ୍ରଥମ ସର୍ଭେ ହୋଇଥିଲା । ରବିବାର ସକାଳୁ ସର୍ଭେ ଟିମ୍ ଦୁଇ ଘଣ୍ଟା ସର୍ଭେ କରିବା ପରେ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଥିଲା । ଉତ୍ତ୍ୟେକ୍ତ ଲୋକେ ପୋଲିସ ଉପରକୁ ଆକ୍ରମଣ କରିଥିଲେ । ପୋଲିସ୍ ଲାଠି ଚାର୍ଜ କରି ଭିଡ଼ ନିୟନ୍ତ୍ରଣ କରିଛି । ଘଟଣା ସ୍ଥଳରେ ଏଡିଏମ୍ ଡା. ରାଜେନ୍ଦ୍ର ପୌସିୟା, ଏସପି କୃଷ୍ଣ କୁମାର ବିଷ୍ଣୋୟୀଙ୍କ ସହିତ ଜିଲ୍ଲାର ବହୁ ଅଧିକାରୀ ଉପସ୍ଥିତ ରହିଛନ୍ତି ।