ୟୁଜିସି ନେଟ୍ ପରୀକ୍ଷାରେ ଅନିୟମିତତା: ଏଫ୍ଆଇଆର୍ ରୁଜୁ କଲା ସିବିଆଇ

Published By : Prameya-News7 Bureau | June 20, 2024 IST

indiatoday

ନୂଆଦିଲ୍ଲୀ: ୟୁଜିସି ନେଟ୍ ପରୀକ୍ଷା କେନ୍ଦ୍ର ସରକାର ରଦ୍ଦ କରିବା ପରେ ଏହାର ତଦନ୍ତ ପାଇଁ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଗୁରୁବାର ସିବିଆଇ ଏହି ମାମଲାରେ ଏଫ୍ଆଇର୍ ରୁଜୁ କରିଛି। ପରୀକ୍ଷାରେ ସ୍ୱଚ୍ଛତା ଅବଲମ୍ବନ କରାଯାଇ ନାହିଁ ବୋଲି କହି କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ବୁଧବାର ନେଟ୍ ପରୀକ୍ଷା ରଦ୍ଦ କରିଦେଇଥିଲା। ଏହା ପୂର୍ବରୁ ନିଟ୍ ମେଡିକାଲ ପ୍ରବେଶିକ ପରୀକ୍ଷାରେ ମଧ୍ୟ ହେରଫେର କରାଯାଇଥିବା ଅଭିଯୋଗ ଆସିଛି।

ଗୁରୁବାର ୟୁଜିସି ନେଟ୍ ପରୀକ୍ଷା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଡାର୍କନେଟରେ ପ୍ରଶ୍ନପତ୍ର ଲିକ୍ ହୋଇଛି ବୋଲି ସେ ସୂଚନା ଦେଇଥିଲେ। ମନ୍ତ୍ରୀ କହିଥିଲେ “ଡାର୍କନେଟରେ ଥିବା UGC-NET ପ୍ରଶ୍ନ ପତ୍ର UGC-NETର ମୂଳ ପ୍ରଶ୍ନ ପତ୍ର ସହିତ ମେଳ ହେବା ସ୍ପଷ୍ଟ ହେବା ପରେ ଆମେ ପରୀକ୍ଷା ବାତିଲ କରିବାକୁ ସ୍ଥିର କଲୁ। ଏହି ତ୍ରୁଟି ପାଇଁ ଆମେ ଦାୟୀ। ଏହାର ପ୍ରକ୍ରିୟାରେ ଆମେ ସୁଧାର ଆଣିବୁ।” ଡାର୍କନେଟ୍ ହେଉଛି ଇଣ୍ଟରନେଟର ଏକ ଏନକ୍ରିପ୍ଟ ହୋଇଥିବା ଅଂଶ ଯାହା ସାଧାରଣ ସର୍ଚ୍ଚ ଇଞ୍ଜିନ୍ ମାଧ୍ୟମରେ ଦେଖି ହୁଏ ନାହିଁ। 

UGC-NET ପରୀକ୍ଷା ଜୁନିଅର ରିସର୍ଚ୍ଚ ଫେଲୋସିପ୍, ସହକାରୀ ପ୍ରଫେସର ଭାବରେ ନିଯୁକ୍ତି ଏବଂ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ପିଏଚଡିରେ ଆଡମିଶନ ପାଇଁ ପ୍ରାର୍ଥୀଙ୍କ ଯୋଗ୍ୟତା ନିର୍ଣ୍ଣୟ କରେ। ଜୁନ୍ 18 ତାରିଖରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଦ୍ୱାରା କରାଯାଇଥିଲା ଏହି ପରୀକ୍ଷା କରାଯାଇଥିଲା। ପରୀକ୍ଷା ଦେବାକୁ ଏଥର ରେକର୍ଡ ସଂଖ୍ୟାକ 11 ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକୃତ କରାଇଥିଲେ।।

ପେପର ଲିକ୍ ନେଇ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏକ ଉଚ୍ଚ ସ୍ତରୀୟ କମିଟି ଏହାର ଯାଞ୍ଚ କରିବ ଏବଂ ଏନଟିଆର କାର୍ଯ୍ୟକାରିତା ଉପରେ ମଧ୍ୟ ଦୃଷ୍ଟି ଦେବ। ଉଚ୍ଚ ସ୍ତରୀୟ କମିଟି ଏନଟିଆର, ଏହାର ଗଠନ, କାର୍ଯ୍ୟକାରିତା, ପରୀକ୍ଷା ପ୍ରକ୍ରିୟା, ସ୍ୱଚ୍ଛତା ଏବଂ ତଥ୍ୟ ସୁରକ୍ଷା ପ୍ରୋଟୋକଲକୁ ଆହୁରି ସୁଦୃଢ଼ କରିବା ପାଇଁ ସୁପାରିଶ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ କେତେକ ଅନିୟମିତତା ସରକାରଙ୍କ ନଜରକୁ ଆସିଛି। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଆମର ସର୍ବୋଚ୍ଚ ପ୍ରାଥମିକତା। ସୂଚନା ଥାଉକି NEET ପରୀକ୍ଷା ମଧ୍ୟ NTA ଦ୍ୱାରା କରାଯାଇଥିଲା।

କହି ରଖୁଛୁ ଯେ କେନ୍ଦ୍ର ସରକାର UGC-NET ପରୀକ୍ଷା ବାତିଲ ଘୋଷଣା କରିବା ପରେ ସାରା ଦେଶରେ ବ୍ୟାପକ ବିରୋଧ ପ୍ରଦର୍ଶନ ହୋଇଛି। ବିଭିନ୍ନ ଛାତ୍ର ଗୋଷ୍ଠୀର ସଦସ୍ୟ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ବାହାରେ କେନ୍ଦ୍ର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.