ସେଣ୍ଟ୍ରାଲ ସ୍କୁଲ ଛାତ୍ର ମୃତ୍ୟୁ ଘଟଣା: ବାପାଙ୍କ ଏତଲା ପରେ ମାଆ ଓ ପୁରୁଷ ବନ୍ଧୁଙ୍କୁ ପଚରାଉଚରା

Published By : Prameya-News7 Bureau | July 04, 2024 IST

ଦେବଗଡ଼: ଗତ ସୋମବାର ଦିନ ଜୁଲାଇ ଏକ ତାରିଖ  ଦେବଗଡ ସହର ବେଞ୍ଜାତିନାଳୀ ଅଞ୍ଚଳରେ ହୋଇଥିବା  ନାବାଳକ ସ୍କୁଲ ଛାତ୍ରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ଚାରି ଦିନ ବିତିଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପୋଲିସ କୌଣସି ନିଷ୍କର୍ସ ରେ ପହଞ୍ଚି ପାରିନାହିଁ । ମୃତ ଛାତ୍ର ମିକୁ ସୁନେଲର ବାପା କୁଳମଣୀ ସୁନେଲ ଚେନ୍ନାଇରୁ ଫେରିବା ପରେ ଦେବଗଡ ଆଦର୍ଶ ଥାନା ରେ ହତ୍ୟା ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମୃତ ଛାତ୍ରର ମାଆ ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚୁରା କରୁଛନ୍ତି। ଘଟଣାରେ ପୋଲିସ ପକ୍ଷରୁ ବ୍ୟବଛେଦ ରିପୋର୍ଟ କୁ ଅପେକ୍ଷା କରାଯାଇଛି ।

ଦେବଗଡ ସେଣ୍ଟ୍ରାଲ ଛାତ୍ର ମିକୁ ସୁନେଲର ସନ୍ଦେହଜନକ ମୃତ୍ୟୁ ଘଟଣାର ଇତି ମଧ୍ୟରେ ଚାରିଦିନ ବିତିଯାଇଛି। ମୃତ ମିକୁ ଘରେ ସ୍କୁଲ ପୋଷାକ ପରିଧାନ କରି ଅପେକ୍ଷା କରିଥିବା ବେଳେ ତାଙ୍କ ମାଆ ଝିଅକୁ ଅନ୍ୟ ସ୍କୁଲକୁ ଛାଡିବାକୁ ଆସିଥିଲେ।  ଝିଅକୁ ଛାଡି ଘରକୁ ଫେରିବା ପରେ ପୁଅକୁ ଘରେ ଅଚେତ ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ତାକୁ ଅଚେତ ଅବସ୍ଥାରେ  ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ଛାତ୍ରଙ୍କ ବାପା କୁଳମଣୀ ସୁନେଲ ଚେନ୍ନାଇରେ ରହୁଥିବା ବେଳେ ସେ ଆସିବା ପର୍ଯ୍ୟନ୍ତ ମୃତ ଦେହ ଦେବଗଡ ଡାକ୍ତରଖାନାରେ ରଖାଯାଇଥିଲା। 

ସେ ଫେରିବା ପରେ  ମୃତଦେହର ବେକ ଓ ବିଭିନ୍ନ ସ୍ଥାନରେ  ଚିହ୍ନ ଦେଖିବା ପରେ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ସେ ଦେବଗଡ ଆଦର୍ଶ ଥାନା ପୋଲିସରେ ଏ ସମ୍ପର୍କରେ ସ୍ତ୍ରୀ ଲିଲି ସୁନେଲ ଓ ତାଙ୍କ ପୁରୁଷ ବନ୍ଧୁ ରଞ୍ଜନ କୁମାର ନାଏକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଥାନା ରେ ଲିଖିତ ଅଭିଯୋଗ କରି   ପରିବାର ଲୋକେ ଏହି ଘଟଣାର ଉପଯୁକ୍ତ ତଦନ୍ତ ଦାବି କରିଛନ୍ତି ।

ଏହି ଅଭିଯୋଗ ପରେ ପୋଲିସ ପକ୍ଷରୁ ମୃତ ଛାତ୍ର ର ମାଆ ଲିଲି ସୁନେଲ ଓ ତାଙ୍କ ପୁରୁଷ ବନ୍ଧୁ ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଚଷାଗୁରୁଜାଙ୍ଗ ଗ୍ରାମର ରଞ୍ଜନ କୁମାର ନାଏକଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛନ୍ତି । ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରକାର ତଥ୍ୟ ଦିଆଯାଉନଥିବା ବେଳେ ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ସବୁ କଥା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି। ସେହିପରି ଏହି ଘଟଣାର ଆଇନଗତ ଦିଗ ସମ୍ପର୍କରେ ମିଳିଥିବା ସୂଚନା ଅନୁଯାୟୀ ପୋଷ୍ଟ ମର୍ଟମ ରିପୋର୍ଟ ଓ ପାରିପାର୍ଶ୍ବିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆଗେଇବ।

ଏହି ଘଟଣାରେ ମୃତ ଛାତ୍ରଙ୍କ ବାପାଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ଦଫା 103/3(5) ବିଏନଏସ ଅନୁଯାୟୀ   ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି ।   ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ବେଳେ ଏହା ଆସିବା ପରେ ଏହି ସନ୍ଦେହଜନକ ମୃତ୍ୟୁ ଘଟଣାର ବିଭିନ୍ନ ଦିଗ ଉପରେ ଦୃଷ୍ଟି ରଖି ଅଧିକ ତଦନ୍ତ କରାଯିବ। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.