କରୋନାର ନୂଆ ଭ୍ୟାରିଏଣ୍ଟ ପାଇଁ ସତର୍କ ହେଲେ କେନ୍ଦ୍ର ସରକାର, ଉଚ୍ଚସ୍ତରୀୟ ବୈଠକ ଡାକି ରାଜ୍ୟକୁ ପରାମର୍ଶ

Published By : Prameya-News7 Bureau | August 21, 2023 IST

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ସରକାର। ଏନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ ପି.କେ ମିଶ୍ରଙ୍କ ଅଧ୍ୟକ୍ଷତାରେ ସୋମବାର (ଅଗଷ୍ଟ୨୧), ଏକ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା।

ବୈଠକରେ ରାଜ୍ୟମାନଙ୍କୁ ଟେଷ୍ଟିଂ ବଢାଇବା ସହିତ  ଜିନୋମ ସିକୁଏନ୍ସ  ଓ କରୋନାର ନୂଆ ଷ୍ଟ୍ରେନ୍ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

ସମ୍ପ୍ରତି, କରୋନା BA.2.86 ର ନୂଆ ଭ୍ୟାରିଏଣ୍ଟ ଯୋଗୁ ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ତେଣୁ ସଜାଗ ରହିବାକ ବୈଠକରେ ପାରମର୍ଶ ଦିଆଯାଇଥିଲା।  ଏହି ଉଚ୍ଚ ସ୍ତରୀୟ ବୈଠକରେ ଏନଆଇଟି ଆୟୋଗ ସଦସ୍ୟ ଡକ୍ଟର ବିନୋଦ ପାଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ପିଏମଓ ପରାମର୍ଶଦାତା ଅମିତ ଖରେ ଏବଂ ଅନ୍ୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ।

ଏହି ବୈଠକରେ ସ୍ୱାସ୍ଥ୍ୟ ସଚିବ ବିଶ୍ୱରେ କରୋନା ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ। ସେ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ୫୦ ରୁ ଅଧିକ ଦେଶରେ EG.5 (ଏରିସ୍) ଭ୍ୟାରିଏଣ୍ଟ ଚିହ୍ନଟ କରାଯାଇଛି। ସେହିପରି ଚାରୋଟି ଦେଶରେ BA.2.86 (ପିରୋଲା) ଭ୍ୟାରିଏଣ୍ଟ ଥିବା ଜଣାପଡ଼ିଛି।

ବୈଠକରେ ଏହା ମଧ୍ୟ ସୂଚନା ଦିଆଯାଇଛି ଯେ ଗତ ୭ ଦିନ ମଧ୍ୟରେ ସାରା ବିଶ୍ୱରେ କୋଭିଡ -19 ର ମୋଟ ୨,୯୬,୨୧୯ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଗତ ଏକ ସପ୍ତାହ ମଧ୍ୟରେ ଭାରତରେ କେବଳ ୨୨୩ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଦେଶରେ ନୂଆ କରୋନା ସଂକ୍ରମଣର ଦୈନିକ ଏଭେରେଜ୍ ୫୦ରୁ କମ୍ ରହୁଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ପଢନ୍ତୁ-ପୁଣି ଘାରିଲା ସଂକ୍ରମଣ ଚିନ୍ତା, ମୁମ୍ବାଇ ପରେ ଏବେ ବେଙ୍ଗାଲୁରୁରେ ମିଳିଲା କରୋନାର ନୂଆ ଭାରିଆଣ୍ଟ ‘ଏରିସ୍’

ବୈଠକରେ ପି.ଏକ ମିଶ୍ର କହିଛନ୍ତି ଯେ ଯଦିଓ ଦେଶରେ କୋଭିଡ -19 ସଂକ୍ରମଣ ସ୍ଥିର ରହିଛି, ତେବେ ରାଜ୍ୟଗୁଡ଼ିକ ଜେନୋମ ସିକୁଏନ୍ସ ଟେଷ୍ଟରେ ଦ୍ରୁତ ବୃଦ୍ଧି କରି ବିଶ୍ୱରେ ମାତିଥିବା ନୂଆ ଭ୍ୟାରିଏଣ୍ଟ ଉପରେ କଡ଼ା ନଜର ରଖିବା ଆବଶ୍ୟକ।

ରାଜ୍ୟଗୁଗୁଡ଼ିକରେ ଇନ୍‌ଫ୍ଲୁଏଞ୍ଜା ପରି ରୋଗ (ILI) ଏବଂ ଭୟଙ୍କର ତୀବ୍ର ଶ୍ୱାସକ୍ରିୟା ସଂକ୍ରମଣ (SARI) ଉପରେ ନଜର ରଖିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀଙ୍କ ପ୍ରଧନ ସଚିବ କହିଛନ୍ତି।

ସୁଚନା ଥାଉକି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସୋମବାର ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ କରୋନା ସଂକ୍ରମଣ ଯୋଗୁ ୫,୩୧,୯୨୬ ରୋଗୀଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ହେଉଛି ୪,୪୯,୯୬,୬୫୩। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.