ଶ୍ରୀବିଗ୍ରହଙ୍କ ରତ୍ନଚିତା ଲାଗି ବିଧି, ଅପରାହ୍ନ ୨ଟାରୁ ସଂଧ୍ୟା ୬ ଯାଏଁ ଦର୍ଶନ ବନ୍ଦ

Published By : Prameya-News7 Bureau | August 03, 2024 IST

puri

ପୁରୀ ୦୩।୦୮:  ରବିବାର ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି। ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ତିଥିରେ ଶ୍ରୀବିଗ୍ରହଙ୍କ ରତ୍ନଚିତା ଲାଗି ବିଧି ଅନୁଷ୍ଠିତ ହେବ । ସ୍ନାନପୂର୍ଣ୍ଣମୀରେ ଠାକୁରେ ଅଣସରକୁ ବିଜେ ଅବସରରେ ଏହି ଚିତାକୁ କଢ଼ାଯାଇଥିଲା । ରବିବାର ଅସଲ ରତ୍ନଚିତା ଲାଗି ହେବ। ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି କରିବେ । ଏଥିପାଇଁ   ଶ୍ରୀମନ୍ଦିରରେ ଚାରି ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ। ଅପରାହ୍ନ ୨ଟା ଠାରୁ ସନ୍ଧ୍ୟା ୬ଟା  ପର୍ଯ୍ୟନ୍ତ ବନ୍ଦ ରହିବ ଦର୍ଶନ।‌  ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା‌ ଦିଆଯାଇଛି।

ପ୍ରଥମ ଭୋଗମଣ୍ଡପ ନୀତି ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ । ପୁଷ୍ପାଳକ ସେବାୟତ ତିନିବାଡ଼ରେ ମଇଲମ କରିବେ । ଶ୍ରୀଦେବୀ ଓ ଭୂଦେବୀଙ୍କୁ ପୁଷ୍ପାଳକ ସେବକମାନେ ରତ୍ନ ସିଂହାସନରୁ ହାତରେ ବିଜେ କରାଇ ଆଣି ଖଟ ଶେଜରେ ବିଜେ କରିବେ । ସୁଦ୍ଧସୁଆରମାନେ ରତ୍ନସିଂହାସନ ତଳେ ସ୍ୱର୍ଣ୍ଣ ଓଷ ପ୍ରସ୍ତୁତ କରିବେ । ବାଡ଼ଗ୍ରାହୀମାନେ ଶୁଦ୍ଧସୁଆର ଦେଇଥିବା ଓଷ ଚିତାରେ ଲାଗି କରାଇବେ । ପାଟରା ଦେଇଥିବା ପାଟଡୋର ଫିତାରେ ବାନ୍ଧି ଶ୍ରୀମସ୍ତକରେ ଚିତା ଲାଗି ହେବ । ଏଥିରେ ଦୁର୍ମୂଲ୍ୟ ପଥର ସବୁ ସ୍ଥାପନ ହୋଇଥିବ । ଆସନ୍ତା ସ୍ନାନପୂର୍ଣ୍ଣମୀ ପର୍ଯ୍ୟନ୍ତ ଚିତା ଅକ୍ଷତ ରହିବ।

 

  • puri
  • Deva Snana Purnima 2024
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.