ନୂଆଁଖାଇ ପାଳିଲେ ପଶ୍ଚିମ ଓଡିଶାବାସୀ, ମାଁ ସମଲେଶ୍ଵରୀଙ୍କ ମନ୍ଦିରରେ ନୂଆ ଖାଇଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 08, 2024 IST

ସମ୍ବଲପୁର ୮।୯: ନୂଆଁଖାଇ, କୃଷି ଓ କୃଷକର ଭାବନା ସହ ଜଡିତ ଗଣପର୍ବ । ଚାଷୀ ତାର ପ୍ରଥମ ଅନ୍ନକୁ ନିଜର ଇଷ୍ଟଦେବୀ ଠାରେ ଲାଗି କରାଇ ବର୍ଷ ଯାକ କେମିତି ଭଲ ଅମଳ ହେବ ସେନେଇ ମାଁଙ୍କ ଠାରୁ ଆଶିଷ ଭିକ୍ଷା କରେ । ପରମ୍ପରା ଅନୁଯାୟୀ ସମ୍ବଲପୁର ଇଷ୍ଟଦେବୀ ମାଁ ସମଲେଇଙ୍କ ମନ୍ଦିର ଭୋର ୪ଟାରୁ ଖୋଲା ଯାଇଥିଲା । ମାଁଙ୍କୁ ସ୍ନାନ କରାଇ ନୂଆବସ୍ତ୍ର ପରିଧାନ କରି ଗୁପ୍ତ ପୂଜା କରାଯାଇଥିଲା । ତେବେ ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ସକାଳ ୯ଟା ୧୨ ରୁ ୯ଟା ୨୭ ମଧ୍ୟରେ ନବାନ୍ନ ଲାଗି କରାଯାଇଛି । ତେବେ ଚଳିତ ବର୍ଷ ମାଁଙ୍କ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । 

ମାଁଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ପରିବାର ସହ ମାଁ ସମଲେଇଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ବିଧାୟକ ଜୟ ନାରାୟଣ ମିଶ୍ର ମାଁ ସମଲେଇଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ।

ତେବେ ମାଁଙ୍କ ପୀଠରେ ନବାନ୍ନ ଲାଗି ହେବା ପରେ ଘରେ ନବାନ୍ନ ଭକ୍ଷଣ କରିଛନ୍ତି ପଶ୍ଚିମ ଓଡିଶାବାସୀ । ଘରର ମୁରବୀ ଠାରୁ ନବାନ୍ନ ଗ୍ରହଣ କରି ମୁରବୀଙ୍କୁ ମୁଣ୍ତିଆ ମାରି ପରିବାର ସମସ୍ତେ ଏକାଠି ବସି ନୂଆ ଖାଇଛନ୍ତି । ଖଲି ଦନାରେ ଛଅ ତିଅଣ ନଅ ଭଜା କରି ଏକାଠି ବସି ଖାଇବା ସହ ଜୁହାର ଭେଟ କାର୍ଯ୍ୟକ୍ରମ ଜମିଛି । ଏହି ଅବସରରେ ସମ୍ବଲପୁରବାସୀଙ୍କ ସହ ପାରମ୍ପରିକ ସମ୍ବଲପୁରୀ ଖାଦ୍ୟ ଖାଇ ନୂଆଁଖାଇରେ ସାମିଲ ହୋଇଥିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆ ଖାଇସାରିବା ପରେ ଖୁସି ଅନୁଭବ କରିଥିଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପରେ ସନ୍ଧ୍ୟାରେ ପୁରପଲ୍ଲୀରେ ନୃତ୍ୟ ଗୀତର ଆସର ଜମିଛି । ଡାଲଖାଇ, ରସରକେଲି ପରି ଗୀତରେ ମତୁଆଲା ହୋଇଛନ୍ତି ପଶ୍ଚିମ ଓଡିଶାବାସୀ । 

You Can Read:

ଭିରୁଡା ଗ୍ରାମରେ ଅବକାରୀ ବିଭାଗର ଚଢାଉ : ଚୋରା ଦେଶୀ ମଦ ଜବତ ସହ ପୋଚ ନଷ୍ଟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.