ଧଳା ଜହର ନିଶାରେ ଦିଲ୍ଲୀ: ୨ ହଜାର କୋଟିର କୋକେନ ଜବତ

Published By : Prameya-News7 Bureau | October 10, 2024 IST

indiatoday

ନୂଆଦିଲ୍ଲୀ: ଧଳା ଜହର ନିଶାରେ ରାଜଧାନୀ ଦିଲ୍ଲୀ। ଜୋର୍‌ସୋର୍‌ ଚାଲିଛି ଚଢ଼ାଉ। ଜବତ ହେଉଛି କୋଟି କୋଟି ଟଙ୍କାର ବ୍ରାଉନସୁଗାର। ନିକଟରେ ୫ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ ହୋଇଥିବା ବେଳେ ୨ ହଜାର କୋଟି ଟଙ୍କାର ୨୦୦ କେଜି କୋକିନ ଜବତ କରିଛି ଦିଲ୍ଲୀ ପୁଲିସ। ରମେଶ ନଗର ଏରିଆର ଥିବା ଏକ ଓୟାର ହାଉସରୁ ଏହି କୋକିନ ଜବତ କରାଯାଇଛି ବୋଲି ଦିଲ୍ଲୀ ପୁଲିସ କହିଛି। 

କୋକିନ ନିଆଯାଉଥିବା କାର୍‌ରେ ଜିପିଏସ୍ ଲାଗିଥିବାରୁ ଏହାକୁ ଟ୍ରାକ୍ କରି ଦିଲ୍ଲୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରଗ୍ସ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, କାର୍‌ରେ କୋକିନ ଆଣିଥିବା ବ୍ୟକ୍ତି ଲଣ୍ଡନ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି।  

ଏହା ପୂର୍ବରୁ ଅକ୍ଟୋବର ୨ ତାରିଖରେ ଦକ୍ଷିଣ ଦିଲ୍ଲୀର ମହିପାଲପୁରର ଏକ ଗୋଦାମରୁ ୫୬୦ କେଜିରୁ ଅଧିକ କୋକେନ ଏବଂ ୪୦ କିଲୋଗ୍ରାମ ହାଇଡ୍ରୋପୋନିକ ଗଞ୍ଜେଇ ଜବତ କରାଯାଇଥିଲା।

ଯାହାର ମୂଲ୍ୟ ୫,୬୨୯ କୋଟି ଟଙ୍କା ଆକଳନ କରାଯାଇଥିଲା। ସମାନ ଗ୍ୟାଙ୍ଗ ସଦ୍ୟ ଜବତ କୋକିନ ମାମଲାରେ ସାମିଲ ଥିବା କୁହାଯାଉଛି। 

ମହିପାଲପୁର ଘଟଣାରେ ତୁଷାର ଗୋୟଲ (୪୦), ହିମାଂଶୁ କୁମାର (୨୭) ଏବଂ ଔରଙ୍ଗଜେବ ସିଦ୍ଦିକି (୨୩) ଏବଂ ଭାରତ କୁମାର ଜେନା (୪୮) ନାମକ ଚାରି ଜଣଙ୍କୁ ଘଟଣାସ୍ଥଳରେ ଗିରଫ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅମୃତସର ଏବଂ ଚେନ୍ନାଇରୁ ଅନ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଥିଲା। ଦିନକ ପୂର୍ବରୁ ଏହି ମାମଲାରେ ଆଉ ଜଣେ ବ୍ୟକ୍ତି ଅଖଲକକୁ ଉତ୍ତରପ୍ରଦେଶର ହାପୁରରୁ ଗିରଫ କରାଯାଇଥିଲା। ପୋଲିସର ସୂଚନାନୁସାରେ, ଅଖଲାକ ଉତ୍ତର ଭାରତରେ ଡ୍ରଗ୍ସ ପରିବହନରେ ସାହାଯ୍ୟ କରୁଥିଲେ। 

୫,୬୨୦ କୋଟି ଟଙ୍କାର ଡ୍ରଗ୍ କାର୍ଟେଲରେ ମାମଲାରେ ଭାରତୀୟ ମୂଳ ଦୁବାଇର ବ୍ୟବସାୟୀ ବିରେନ୍ଦର ବାସୋୟାଙ୍କ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି। ଏଥିପାଇଁ ଦିଲ୍ଲୀ ପୁଲିସ ବିରେନ୍ଦ୍ର ବିରୋଧରେ ଲୁକ୍ଆଉଟ୍ ସର୍କୁଲାର୍ ଜାରି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.