କିଏ ଶାନ୍ତନୁ ନାୟଡୁ, ରତନ ଟାଟାଙ୍କ ପରଲୋକ ପରେ କାହିଁକି ଚର୍ଚ୍ଚାରେ ଆସୁଛି ନାଁ?

Published By : Prameya-News7 Bureau | October 10, 2024 IST

ମୁମ୍ବାଇ ୧୦।୧୦: ଜଣେ ଏପରି ଯୁବକ ଯିଏ ନିବେଶ ଠାରୁ ଜୀବନ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗରେ ଦିବଙ୍ଗତ ରତନ ଟାଟାଙ୍କୁ ପରାମର୍ଶ ଦେଉଥିଲେ, ସେହି ବ୍ୟକ୍ତିଙ୍କ ନାମ ହେଉଛି ଶାନ୍ତନୁ ନାୟଡୁ ଯିଏ ଦୀର୍ଘ ସମୟ ପର୍ଯ୍ୟନ୍ତ ରତନ ଟାଟାଙ୍କ ସହାୟକ ଥିଲେ। ୨୮ ବର୍ଷ ବୟଷ୍କ ଶାନ୍ତନୁଙ୍କର ଟାଟା ପରିବାର ସହିତ କୌଣସି ସମ୍ପର୍କ ନାହିଁ। ତେବେ ସବୁଠୁ ବଡ଼ କଥା ହେଉଛି ନିଜେ ରତନ ଟାଟା ଫୋନ କରି ଶାନ୍ତନୁଙ୍କୁ ତାଙ୍କ ସହିତ କାମ କରିବାକୁ ନିମନ୍ତ୍ରଣ କରିଥିଲେ। 

ଶାନ୍ତନୁଙ୍କୁ ରତନ ଟାଟାଙ୍କ ଶବ୍ଦ ଥିଲା ‘ଆପଣ ଯେଉଁ କାମ କରୁଛନ୍ତି, ସେଥିରେ ମୁଁ ବେଶ୍ ପ୍ରଭାବିତ, ଆପଣ ମୋ ଆସିଷ୍ଟାଣ୍ଟ ହେବାକୁ ଚାହିଁବେ କି’? ଶାନ୍ତନୁ ଜଣେ ପଶୁ ପ୍ରେମୀ, ସେ ବୁଲା କୁକୁରଙ୍କ ଲାଗି ଏକ ରିଫ୍ଲେକ୍ଟର ‘ଡଗ କଲର’ ତିଆରି କରିଥିଲେ। ଏହାର ଉଦ୍ଦେଶ୍ୟ ଥିଲା ବୁଲା କୁକୁରଙ୍କୁ ସଡ଼କ ଦୁର୍ଘଟଣାରୁ ରକ୍ଷା କରିବା। କାରଣ ବାହନ ଚଳାଇବା ବେଳେ ଡ୍ରାଇଭରଙ୍କ ନଜର ସଡକରେ କୁକୁରଙ୍କ ଉପରେ ପଡି ନଥାଏ। ଶାନ୍ତନୁ ତିଆରି କରିଥିବା ଡଗ କଲର କୁକୁରଙ୍କ ଗଳାରେ ଚମକିବା ଯୋଗୁ ଡ୍ରାଇଭର ସେମାନଙ୍କ ଗାଡ଼ି ଧିମେଇ ଦିଅନ୍ତି। ଫଳରେ ଶହଶହ କୁକୁରଙ୍କ ଜୀବନ ରକ୍ଷା ହୋଇ ପାରିଛି। 

ତେବେ ଡଗ କଲର ତିଆରି ପାଇଁ ଶାନ୍ତନୁଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ ନଥିଲା। ଏଣୁ କଲର ତିଆରି ପାଇଁ ବେସ୍ ମେଟରିଆଲ ଭାବେ ପୁରୁଣା ଡେନିମ ପ୍ୟାଣ୍ଟକୁ ବାଛି ଥିଲେ। ଏଥି ପାଇଁ ସେ ଘରକୁ ଘର ବୁଲି ଡେନିମ ପ୍ୟାଣ୍ଟ ସଂଗ୍ରହ କରିଥିଲେ। ଏଥିରେ ସେ ପୁଣେରେ ୫୦୦ ଡଗ କଲର ତିଆରି କରି ବୁଲା କୁକୁରଙ୍କୁ ପିନ୍ଧାଇଥିଲେ। ଏହି କଲର ଯୋଗୁ ବୁଲା କୁକୁରଙ୍କୁ ରାତିରେ ମଧ୍ୟ ଡ୍ରାଇଭର ଦୂରରୁ ଦେଖି ପାରୁଥିଲେ। ଶାନ୍ତନୁଙ୍କ ଏହି କାମକୁ ଉଚ୍ଚ ପ୍ରଶଂସା କରାଯାଇଥିଲା। 

ଶାନ୍ତନୁ ତାଙ୍କ ଡଗ କଲର ନେଇ ଫେସବୁକ୍‌ ରେ ଏକ ପୋଷ୍ଟ କରିଥିଲେ। ଗଣମାଧ୍ୟମରେ ମଧ୍ୟ ଶାନ୍ତନୁ ଚର୍ଚ୍ଚାକୁ ଆସିଥିଲେ। ଶାନ୍ତନୁଙ୍କ କାମ ରତନ ଟାଟାଙ୍କ ପର୍ଯ୍ୟନ୍ତ ପହଞ୍ଚିଥିଲା ଓ ସେ ଶାନ୍ତନୁଙ୍କ କାମରେ ବେଶ୍ ପ୍ରଭାବିତ ହୋଇଥିଲେ। ରତନ ଟାଟା ବି ପଶୁ ପ୍ରେମୀ ଓ ଖାସ କରି କୁକୁରଙ୍କ ପ୍ରତି ତାଙ୍କର ବେଶ୍ ଭଲପାଇବା ଥିଲା। ଏଣୁ ସେ ଶାନ୍ତନୁଙ୍କୁ ଫୋନ କରି ଡକାଇଥିଲେ ଓ ତାଙ୍କୁ ଆସିଷ୍ଟାଣ୍ଟ ହେବାକୁ ଅଫର ଦେଇଥିଲେ। 

ଶାନ୍ତନୁଙ୍କ ଲିଙ୍କଡଇନ୍‌ ପ୍ରୋଫାଇଲରୁ ଜଣାପଡେ ଯେ ସେ ଜୁନ ୨୦୧୭ରୁ ଟାଟା ଟ୍ରଷ୍ଟରେ କାମ କରୁଛନ୍ତି। ସେ ଟାଟା ଏଲେକ୍ସିରେ ଡିଜାଇନ ଇଞ୍ଜିନିୟର ଭାବେ ମଧ୍ୟ କାମ କରିଛନ୍ତି। ସେ ଟାଟା ଟ୍ରଷ୍ଟ ଉପ ମହାପ୍ରବନ୍ଧକ ମଧ୍ୟ ଅଛନ୍ତି। କର୍ଣ୍ଣେଲ ୟୁନିଭର୍ସିଟିରେ ଏମବିଏ କରିଥିବା ଶାନ୍ତନୁ ନାୟଡୁ ଟାଟା ଗ୍ରୁପରେ କାମ କରୁଥିବା ତାଙ୍କ ପରିବାରର ପଞ୍ଚମ ପିଢୀ। ସେ ରତନ ଟାଟାଙ୍କୁ ଷ୍ଟାର୍ଟଅପରେ ନିବେଶ ଭଳି ପ୍ରସଙ୍ଗରେ ବି ପରାମର୍ଶ ଦେଉଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.