ସବୁ ଦିନ ପାଇଁ ଅଯୋଗ୍ୟ କରିଦିଅ, ଏବେ ଫରକ ପଡୁ ନାହିଁ; ଗର୍ଜିଲେ ରାହୁଲ ଗାନ୍ଧୀ

Published By : Prameya-News7 Bureau | July 07, 2023 IST

ନୂଆଦିଲ୍ଲୀ: ମାନହାନୀ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ଦ୍ୱାରା ଯାଚିକା ଖାରଜ ହେବା ପରେ ରାହୁଲ ଗାନ୍ଧୀଙ୍କ ଏକ ବୟାନ ସାମନାକୁ ଆସିଛି । କଂଗ୍ରେସ ଟ୍ୱିଟର ହ୍ୟାଣ୍ଡଲରୁ ରାହୁଲ ଗାନ୍ଧୀଙ୍କ ଏକ ବୟାନ ସେୟାର କରାଯାଇଛି । ଏଥିରେ ସେ କହୁଛନ୍ତି ଯେ ସଂସଦରୁ ସବୁ ଦିନ ପାଇଁ ଅଯୋଗ୍ୟ ଘୋଷିତ କଲେ ବି, ଏବେ ତାଙ୍କୁ କୌଣସି ଫରକ ପଡ଼ୁ ନାହିଁ । ଭିଡିଓରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ମୁଁ ପ୍ରଶ୍ନ ପଚାରିବା ବନ୍ଦ କରିବି ନାହିଁ । ମୁଁ ଭାରତର ଗଣତନ୍ତ୍ର ପାଇଁ ସବୁବେଳେ ଲଢେଇ ଜାରି ରଖିବି । ଉଲ୍ଲେଖଯୋଗ୍ୟ ଯେ ଗୁଜରାଟ ହାଇକୋର୍ଟ ମୋଦୀ ସାଙ୍ଗିଆ ଉପରେ ଟିପ୍ପଣୀକୁ ନେଇ ଅପରାଧିକ ମାନହାନୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଥିବା ଦଣ୍ଡ ଉପରେ ରୋକ ଲଗାଇବା ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟ କହିଥିଲେ ଯେ ଦୋଷସିଦ୍ଧି ଉପରେ ରୋକ ଲଗାଇବାର କୌଣସି ଯୁକ୍ତିସଙ୍ଗତ କାରଣ ନାହିଁ ।   

wp:html /wp:html

କୋର୍ଟଙ୍କ ରାୟ ଆସିବା ପରେ କଂଗ୍ରେସ ରାହୁଲଙ୍କ ଭିଡିଓକୁ ଟ୍ୱିଟ୍ କରିଛି । ରାହୁଲ ଗାନ୍ଧୀ କହୁଛନ୍ତି ଯେ ସେ ଭାରତର ଗଣତନ୍ତ୍ର ପାଇଁ ଲଢେଇ କରୁଛନ୍ତି ଏବଂ ଏଥିପାଇଁ ଆଗକୁ ମଧ୍ୟ ଲଢେଇ ଜାରି ରଖିବେ । ଏଥିରେ ରାହୁଲ ଗାନ୍ଧୀ କହୁଛନ୍ତି ଯେ ମୁଁ କାହାକୁ ଡରୁ ନାହିଁ, ଏହା ହିଁ ସତ । ମୋତେ ସଦସ୍ୟତା ମିଳୁ କିମ୍ୱା ନମିଳୁ ମୁଁ ମୋର କାମ କରି ଚାଲିବି । ସେ କହୁଛନ୍ତି ଯେ ମୁଁ ପାର୍ଲାମେଣ୍ଟ ଭିତରେ ରୁହେ କି ବାହାର ଏଥିରେ ମୋତେ କୌଣସି ଫରକ ପଡୁ ନାହିଁ । ମୁଁ ମୋର ତପସ୍ୟା ଜାରି ରଖିବି । ଅଯୋଗ୍ୟ ହେବାର କଣ କଥା, ମୋତେ ସାରା ଜୀବନ ପାଇଁ ଅଯୋଗ୍ୟ କରିଦିଏ, ମୋତେ ଜେଲରେ ଭର୍ତ୍ତି କରିଦିଏ, ମୁଁ ପ୍ରଶ୍ନ ପଚାରିବା ବନ୍ଦ କରିବି ନାହିଁ ।

ପଢନ୍ତୁ: ଗୁଜରାଟ ହାଇକୋର୍ଟଙ୍କ ରାୟରେ ନିରାଶ ରାହୁଲ ଗାନ୍ଧି, ରାଜନୈତିକ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ

ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧୀ ୨୦୧୯ ଏପ୍ରିଲ ୧୩ରେ କର୍ଣ୍ଣାଟକର କୋଲାରରେ ଏକ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରି ଟିପ୍ପଣୀ କରିଥିଲେ ଯେ ସବୁ ଚୋରଙ୍କ ସମାନ ସାଙ୍ଗିଆ ମୋଦୀ କାହିଁକି ? ଏହା ଉପରେ ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ ଏତଲା ଦେଇଥିଲେ । ମାମଲାରେ ସୁରଟର ମେଟ୍ରୋପୋଲିଟନ ମାଜିଷ୍ଟ୍ରେଟ୍ କୋର୍ଟ ମାର୍ଚ୍ଚ ୨୩ରେ ରାହୁଲ ଗାନ୍ଧୀଙ୍କୁ ଆଇପିସିର ଧାରା ୪୯୯ ଏବଂ ୫୦୦ ଅନୁସାରେ ଦୋଷୀ ସାବ୍ୟସ୍ତ କରାଇ ଦୁଇ ବର୍ଷର ଜେଲ ଦଣ୍ଡ ଶୁଣାଇ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.