କଟକ ୧୦।୧୨: କଲବଲ କରୁଛନ୍ତି କଟକି ମଶା । ଦିନ ହେଉ କି ରାତି, ଘର ହେଉ କି ବାହାର କେଉଁଠି ବି ମିଳୁ ନାହିଁ ମଶାରୁ ନିସ୍ତାର । ଯାହାକୁ ନେଇ କଂଗ୍ରେସ ଅଭିନବ ପ୍ରତିବାଦ କରିଛି । କଂଗ୍ରେସ ପକ୍ଷରୁ ବାଦାମବାଡ଼ି ଛକରେ ମଶାରୀ ଟାଙ୍ଗୀ ତା ଭିତରେ ମଶା ମାରିବା ସହ କଟକ ମହାନଗର ନିଗମ ବିରୋଧରେ ହଲ୍ଲାବୋଲ କରିଛନ୍ତି । କେବଳ ସେତିକି ନୁହେଁ, କଟକ ମହାନଗର ନିଗମର ଦାୟିତ୍ଵହୀନତାକୁ ଦାୟୀ କରି କଟକ ମହାନଗର ନିଗମ କମିଶନର ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୋଧରେ ବାଦାମବାଡ଼ି ଥାନାରେ ଏତଲା ଦିଆଯାଇଛି । ବିଗତ ବର୍ଷ ମାନଙ୍କ ଅପେକ୍ଷା ଚଳିତ ବର୍ଷ ମଶାଙ୍କ ଉପଦ୍ରବ ବହୁତ ବଢ଼ିଯାଇଛି ଯାହା ଫଳରେ ଲୋକ ଘରେ ବାହାରେ କେଉଁଠାରେ ବି ଚଳିପାରୁ ନାହାନ୍ତି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଆଉ ଏଥିପାଇଁ କଟକ ମହାନଗର ନିଗମ ହିଁ ଦାୟୀ ବୋଲି କଂଗ୍ରେସ କର୍ମୀ କହିଛନ୍ତି ।
ଚଳିତ ବର୍ଷ ବର୍ତ୍ତମାନ ମଶାର ଘନତ୍ୱ ୬୨ ରହିଛି । ବିଗତ ବର୍ଷ ଅପେକ୍ଷା ଠିକ୍ ରହିଥିବା ସଫେଇ ଦେଇଛନ୍ତି କଟକ ମହାନଗର ନିଗମ ସ୍ବାସ୍ଥ୍ୟ ଅଧିକାରୀ । ମଶା ପାଇଁ ସହରରେ ମଶା ଧୂଆଁ ଦିଆ ଯାଉଥିବା ବେଳେ ମଶା ତେଲ ମଧ୍ୟ ପକାଯାଉଛି । ବର୍ତ୍ତମାନ ମଶା ବଂଶ ବୃଦ୍ଧି ସମୟ ତେଣୁ ମଶା ବଢ଼ିଥାଏ ବୋଲି ଚିରା ଚରିତ ଉତ୍ତର ଦେଇଛନ୍ତି । ତେବେ ଆଗକୁ ଡ୍ରୋନ ସାହାଯ୍ୟରେ ମଶା ତେଲ ପକାଇବା ପାଇଁ ଯୋଜନା କରାଯାଇଛି । ସେଥିପାଇଁ ଏବେ ବିଭିନ୍ନ ୱାର୍ଡରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।
You Can Read:
ଦୂର ହେବ ଭୁବନେଶ୍ବରର ଟ୍ରାଫିକ୍ ସମସ୍ୟା : ଫ୍ଲାଇଓଭର, ରିଙ୍ଗ ରୋଡ଼୍ ନିର୍ମାଣ ପାଇଁ ଯୋଜନା