କଂଗ୍ରେସର ନୂଆ ମୁଖ୍ୟାଳୟ ‘ଇନ୍ଦିରା ଭବନ’ର ନିର୍ମାଣ ଶେଷ, ଅଗଷ୍ଟ ୧୫ରେ ହୋଇପାରେ ଉଦଘାଟନ

Published By : Prameya-News7 Bureau | July 27, 2024 IST

ନୂଆଦିଲ୍ଲୀ : କଂଗ୍ରେସର ଦିଲ୍ଲୀରେ ନୂଆ ମୁଖ୍ୟାଳୟ ନିର୍ମାଣ କାମ ପାଖାପାଖି ଶେଷ ହୋଇଗଲାଣି। ପାର୍ଟି ନେତୃତ୍ୱଙ୍କ ଇଛା ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟାଳୟ ୨୪ ଆକବର ରୋଡରୁ ୯-ଏ କୋଟଲା ମାର୍ଗରେ ସ୍ଥିତ ନୂଆ କାର୍ଯ୍ୟାଳୟ ଇନ୍ଦିରା ଭବନକୁ ସ୍ଥାନାନ୍ତରିତ ହୋଇଯାଉ। ଜନୈକ ଏଆଇସିସି ଅଧିକାରୀ କହିଛନ୍ତି ଯେ ନୂଆ କାର୍ଯ୍ୟାଳୟର ନିର୍ମାଣ କାମ ପାଖାପାଖି ଶେଷ ହୋଇଯାଇଛି। ତେବେ ସ୍ଥାନୀୟ ଅଧିକାରୀଙ୍କଠାରୁ ଆଉ କିଛି ମଞ୍ଜୁରୀ ନେବା ବାକି ଅଛି। ଏଣୁ ଯୋଜନା କରୁଛୁ ଅଗଷ୍ଟ ୧୫ ତାରିଖରେ ନୂଆ କାର୍ଯ୍ୟାଳୟର ଉଦଘାଟନ ହେବ। 

୬ ମହଲାର ନୂଆ କଂଗ୍ରେସ ମୁଖ୍ୟାଳୟ ଦିନଦୟାଲ ଉପାଧ୍ୟାୟ ମାର୍ଗରେ ରହିଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ, ଏଆଇସିସି ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ ପଦାଧିକାରୀଙ୍କ କାର୍ଯ୍ୟାଳୟ ସମେତ ସମ୍ମିଳନୀକକ୍ଷ, ପୁସ୍ତକାଳୟ, ଗବେଷଣା କେନ୍ଦ୍ର ଓ ଫ୍ରଣ୍ଟାଲ ସଙ୍ଗଠନଙ୍କ ଲାଗି ସ୍ଥାନ ସଂରକ୍ଷିତ ରହିଛି। ପାର୍ଟି ନେତୃତ୍ୱଙ୍କୁ ରାଉଜ ଏଭେନ୍ୟୁ ନିକଟରେ ଥିବା ପୁରୁଣା ୨୪ ଆକବର ରୋଡ କାର୍ଯ୍ୟାଳୟରୁ ନୂଆ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହେବାର ଆବଶ୍ୟକତା ରହିଛି। 

କଂଗ୍ରେସର ନୂଆ ମୁଖ୍ୟାଳୟ ଇନ୍ଦିରା ଭବନର ନିର୍ମାଣ କାମ ୨୦୧୬ ମସିହାରେ ଆରମ୍ଭ ହୋଇଥିଲା। ନିର୍ମାଣ କାମ ସାରିବାକୁ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା ସେଥିରେ ୬ ବର୍ଷ ବିଳମ୍ବ ହେଲାଣି। ନିର୍ମାଣ କାମ ଲାଗି ପାଣ୍ଠି ଅଭାବ ଓ ବୈଷୟିକ ସମସ୍ୟାର ଲଗାତାର ଅଭିଯୋଗ ହେଉଛି। ୧୯୭୮ରେ ଜରୁରିକାଳୀନ ପରିସ୍ଥିତି ପରେ ଇନ୍ଦିରା ଗାନ୍ଧି ଯେତେବେଳେ କଂଗ୍ରେସ (ଆଇ) ଗଠନ କଲେ ସେବେଠାରୁ ୨୪ ଆକବର ରୋଡ ପାର୍ଟିର ମୁଖ୍ୟାଳୟ ହୋଇ ରହିଛି। 

ସେ ସମୟରେ ଇନ୍ଦିରା ଗାନ୍ଧିଙ୍କ ବିଶ୍ୱସ୍ଥ ଜୀ. ଭେଙ୍କଟ ସ୍ୱାମୀ ୨୪ ଆକବର ରୋଡରେ ଥିବା ନିଜ ବାସ ଗୃହକୁ ‘ଇନ୍ଦିରା କଂଗ୍ରେସ’ ଲାଗି ଦେଇଥିଲେ। ଏହି ମୁଖ୍ୟାଳୟ କଂଗ୍ରେସ (ଆଇ)ର ଯାତ୍ରାର ସାକ୍ଷ ହୋଇ ରହିଛି। ଏବେ ପାର୍ଟି କାର୍ଯ୍ୟାଳୟ ନୂଆ ମୁଖ୍ୟାଳୟକୁ ସ୍ଥାନାନ୍ତରଣ ହେବା ପରେ ଏକ ନୂଆ ଆରମ୍ଭ କରିବାକୁ ଆଶା ବାନ୍ଧିଛି। କଂଗ୍ରେସ ସାରା ଦେଶରେ ପାର୍ଟି ପଦାଧିକାରୀଙ୍କ ଆର୍ଥିକ ଯୋଗଦାନରେ ଆଉ ଏକ ପ୍ରସ୍ତାବିତ ମୁଖ୍ୟାଳୟ ଡ.ରାଜେନ୍ଦ୍ର ପ୍ରସାଦ ରୋଡରେ ‘ଜବାହାର ଭବନ’ର ଯୋଜନା କରିଥିଲା। ତେବେ ରାଜୀବ ଗାନ୍ଧିଙ୍କ ହତ୍ୟା ପରେ ଏହାକୁ ରାଜୀବ ଗାନ୍ଧି ଫାଉଣ୍ଡେସନରେ ପରିବର୍ତ୍ତିତ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.