ଶିଶୁ ନୃତ୍ୟଶିଳ୍ପୀଙ୍କୁ ‘ସାଂସ୍କୃତିକ ପ୍ରତିଭା ଅନ୍ୱେଷଣ’ ବୃତ୍ତି

Published By : Prameya-News7 Bureau | June 17, 2024 IST

ଭୁବନେଶ୍ୱର,୧୬।୬: ନୃତ୍ୟ, ସଙ୍ଗୀତ, ଲୋକକଳା ଆଦି କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୬୩୫ ଜଣ ଶିଶୁ କଳାକାରଙ୍କୁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନ ସାଂସ୍କୃତିକ ସଂସାଧନ ଏବଂ ପ୍ରଶିକ୍ଷଣ କେନ୍ଦ୍ର (ସିସିଆରଟି) ପକ୍ଷରୁ ୨୦୨୩-୨୪ବର୍ଷ ପାଇଁ ପ୍ରତିଭା ଅନ୍ବେଷଣ ବୃତ୍ତି ପ୍ରଦାନ କରାଯାଇଛି । ଓଡିଶୀ ନୃତ୍ୟ ପାଇଁ ୪୮ ଜଣ ଶିଶୁ କଳାକାର ଏହି ବୃତ୍ତି ପାଇଁ ମନୋନୀତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରେ ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଝିଅ ଆଞ୍ଜେଲିନା ଆଭନି ଅଛନ୍ତି । ୧୩ ବର୍ଷୀୟା ଆଞ୍ଜେଲିନାଙ୍କୁ ଓଡିଶୀ ନୃତ୍ୟରେ ନିପୁଣତା ପାଇଁ ଏହି ବୃତ୍ତି ପ୍ରଦାନ କରାଯାଇଛି । ଭୁବନେଶ୍ୱର ଶତାବ୍ଦୀନଗର ବାସିନ୍ଦା ମନୋରଞ୍ଜନ ପାଣିଗ୍ରାହୀ ପେଶାରେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ । କର୍ମକ୍ଷେତ୍ର ବେଙ୍ଗାଲୁରୁରେ ହୋଇଥିବା ବେଳେ ପତ୍ନୀ ଓ ଝିଅ ମଧ୍ୟ ସେଠାରେ ରହୁଛନ୍ତି । ୮ବର୍ଷରୁ ଗୁରୁ ମଧୁଲିତା ମହାପାତ୍ରଙ୍କଠାରୁ ଓଡିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରି ନିଜର ଦକ୍ଷତା ପ୍ରତିପାଦନ କରିପାରିଛନ୍ତି । 

ଆଞ୍ଜେଲିନାଙ୍କ ପିଲାଟି ଦିନରୁ ଓଡ଼ିଶୀ ପ୍ରତି ଦୁର୍ବଳତା ରହିଛି । ସେ ଯେତେବେଳେ ଦୁଇ ବର୍ଷର ହୋଇଥିଲେ ଟିଭି ଦେଖି ନିଜେ ନିଜେ ଓଡ଼ିଶୀ ଶିଖିବା ଆରମ୍ଭ କରିଥିଲେ । ତାଙ୍କ ମାଆ ବର୍ଣ୍ଣାଣୀ ପାଣିଗ୍ରାହୀ ମଧ୍ୟ ଜଣେ ଓଡ଼ିଶୀ ନୃତ୍ୟୁଶିଳ୍ପୀ ତେବେ କିଛି କାରଣ ଯୋଗୁଁ ସେ ଏଥିରେ ଆଗକୁ ବଢିପାରି ନଥିଲେ । ଏବେ ଝିଅ ଆଞ୍ଜେଲିନା ତାଙ୍କର ଏହି ସ୍ୱପ୍ନକୁ ପୁରୁଣ କରୁଛନ୍ତି । ଆଞ୍ଜେଲିନା ଭାରତ ବାହାରେ ମଧ୍ୟ ନିଜ ପ୍ରତିଭାର ଛାପ ଛାଡ଼ି ସାରିଛନ୍ତି । ସେ ଆମେରିକା ଏବଂ ଦୁବାଇର ବହୁ ପ୍ରତିଷ୍ଠତି ମଞ୍ଚରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ନିଜ ସହ ଦେଶ ତଥା ରାଜ୍ୟ ପାଇଁ ମଧ୍ୟ ଖ୍ୟାତି ଅର୍ଜନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.