ବାତ୍ୟା ଦାନା ପ୍ରଭାବ, ଶ୍ରୀକ୍ଷେତ୍ରର ପରିବେଶ ଆଜି ସମ୍ପୂର୍ଣ୍ଣ ଖାଁ ଖାଁ

Published By : Prameya-News7 Bureau | October 24, 2024 IST

ପୁରୀ 24/10 : ବାତ୍ୟା ଦାନା ପ୍ରଭାବରେ ଶ୍ରୀକ୍ଷେତ୍ରର ପରିବେଶ ଆଜି ସମ୍ପୂର୍ଣ୍ଣ ଖାଁ ଖାଁ। ବାତ୍ୟା ପାଇଁ ପୁରୀରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଭକ୍ତମାନେ ଆଜି ଏବଂ ଆସନ୍ତାକାଲି ଦୁଇଦିନ ଶ୍ରୀମନ୍ଦିରକୁ ନ ଆସିବାକୁ ପ୍ରଶାସନ ଅନୁରୋଧ କରିଥିଲା। ଯାହାର ପ୍ରଭାବ ଆଜି ଶ୍ରୀମନ୍ଦିରରେ ଦେଖିବାକୁ ମିଳିଥିଲା। କାର୍ତ୍ତିକ ମାସରେ ପ୍ରତିଦିନ ହଜାର ହଜାର ଭକ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ବେଳେ ବାତ୍ୟା ପାଇଁ ସ୍ଥିତି ସମ୍ପୂର୍ଣ୍ଣ ଓଲଟା ଦେଖିବାକୁ ମିଳିଥିଲା। ତେବେ ଯେଉଁ ଅଳ୍ପ କିଛି ପର୍ଯ୍ୟଟକ ପୁରୀ ଛାଡ଼ି ଯିବାକୁ ସକ୍ଷମ ହୋଇ ପାରିନାହାଁନ୍ତି ସେମାନେ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିଲେ।


ସେପଟେ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଏବଂ ଆସନ୍ତାକାଲି ଦୁଇଦିନ ହବିଷ୍ୟାଳୀ ମା ମାନଙ୍କ ସୁରକ୍ଷା ପାଇଁ ଜଗନ୍ନାଥ ଦର୍ଶନ ବନ୍ଦ ରହିଛି। ତେବେ ମହାପ୍ରଭୁଙ୍କ ସେବା ପୂଜାରେ ଯେଭଳି କୌଣସି ବାଧା ନ ଉପୁଜେ ସେନେଇ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାତ୍ୟା ଯୋଗୁ ଶ୍ରୀମନ୍ଦିରରେ ଯେଭଳି କୌଣସି କ୍ଷତି ନହୁଏ ଏଏସଆଇ ପକ୍ଷରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବାତ୍ୟା ଦାନା ପ୍ରଭାବରେ ଯଦିଓ ପୁରୀକୁ ବେଶି ପବନ ହେବାର ଆଶଙ୍କା ନାହିଁ ତେବେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଣୁ ପୁରୀ ପୌରାଞ୍ଚଳ ଏବଂ ବିଭିନ୍ନ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଯେଭଳି ନ ଉପୁଜିବ ସେନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୁରୀ ଜିଲ୍ଲାପାଳ କହିଛନ୍ତି। 

ବାତ୍ୟା ଦାନା ଯୋଗୁ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଜନସାଧାରଣ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନରେ ରହିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ବାତ୍ୟା ସମୟରେ କୌଣସି ଅସୁବିଧା ଉପୁଜିଲେ ତୁରନ୍ତ ପୁରୀ ଜିଲ୍ଲା ପ୍ରଶାସନ ସହିତ ଯୋଗାଯୋଗ କରିବାକୁ ପୁରୀ ବାସୀନ୍ଦାଙ୍କ ସମେତ ଭକ୍ତ ଏବଂ ପର୍ଯ୍ୟଟକଙ୍କୁ କୁହାଯାଇଛି।‌

Also Read-  କେନ୍ଦ୍ରାପଡାରେ ତୁହାକୁ ତୁହା ବର୍ଷା-ପବନ,ସଂଧ୍ୟା ସୁଦ୍ଧା ୫୮ ହଜାର ୯୭୦ ସ୍ଥାନାନ୍ତର

 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.