କୋରାପୁଟ: କାଦୁଅ ପଚ ପଚ ଜାତୀୟ ରାଜପଥ। କେତେବେଳେ କାଦୁଅ ଯୋଗୁ ଗାଡ଼ି ଫସିଯାଉଛି ତ’ ଆଉ କେତେ ଧୂଳି କରୁଛି ଅସ୍ତବ୍ୟସ୍ତ। ଖରାପ ରାସ୍ତାରେ ଯାତାୟତ ବିପଦପୂର୍ଣ୍ଣ ଥିବାରୁ ସବୁବେଳେ ଜାତୀୟ ରାଜପଥରେ ଗାଡ଼ିଗୁଡ଼ିକର ଲମ୍ବା ଲାଇନ ଲାଗୁଛି। ଏଭଳି ସ୍ଥିତି ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ୨୬ନଂ ଜାତୀୟ ରାଜପଥରେ। ଲାଣ୍ଡିଗୁଡ଼ା ଠାରୁ ସୁନାବେଡ଼ା ପର୍ଯ୍ୟନ୍ତ ମରାମତି ଓ ପ୍ରଶସ୍ତିକରଣ କାରଣରୁ ଉପୁଜିଛି ଏଭଳି ସ୍ଥିତି। ଫଳରେ ଯାତାୟାତ ପାଇଁ ନାକେଦମ ହେଲେଣି ଅଞ୍ଚଳବାସୀ।
କୋରାପୁଟ-ବିଶାଖାପାଟଣା ୨୬ ନଂ ଜାତୀୟ ରାଜପଥ ଏକ ବ୍ୟସ୍ତ ବହୁଳ ଜାତୀୟ ରାଜପଥ। ଏହି ରାଜପଥରେ ପ୍ରତିଦିନ ହଜାର ହଜାର ଛୋଟ ବଡ଼ ଗାଡ଼ି ଯାଆସ କରୁଛନ୍ତି। ବିଜନେସ କରିଡର ଭାବରେ ଏହି ଜାତୀୟ ରାଜପଥ ଉପରେ ରାୟପୁର ଠାରୁ ବିଶାଖାପାଟଣା ମାଲ ପରିବହନ ହେବା ସହ ଜରୁରୀକାଳୀନ ସ୍ଵାସ୍ଥ୍ୟ ସେବା ଯୋଗୁଁ ଏହି ଜାତୀୟ ରାଜପଥ ସବୁବେଳେ ଚଳଚଞ୍ଚଳ। କିନ୍ତୁ କିଛି ମାସ ହେବ ୨୬ ନମ୍ବର ଜାତୀୟ ରାଜପଥ କୋରାପୁଟ ଠାରୁ ସୁନାବେଡ଼ା ପର୍ଯ୍ୟନ୍ତ ମରଣଯନ୍ତା ପାଲଟିଛି। ରାସ୍ତା ଶୋଚନୀୟ ହୋଇଥିବା ଯୋଗୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ୬ ମାସ ତଳେ ଲାଣ୍ଡିଗୁଡା ଠାରୁ ଘାଟ ଗୁଡ଼ା ୧୦ ରୁ ୧୨ କିଲୋମିଟର ନୁଆ ରାସ୍ତା ନିର୍ମାଣ ସହ ପ୍ରଶସ୍ତିକରଣ ଆରମ୍ଭ କରିଛି।
ଡାଇଭର୍ସନ ରାସ୍ତାରେ କେତେବେଳେ ଧୂଳି ସରସର ତ ଆଉ କେତେବେଳେ ବର୍ଷାରେ କାଦୁଅ ପଚପଚ ଏବେ ପ୍ରତିଦିନ ଦୁର୍ଘଟଣା ଘଟିବା ସାମାନ୍ୟ ହୋଇ ପଡିଛି। ଆଜି ମଧ୍ୟ କାଳବୈଶାଖୀ ବର୍ଷାରେ ପ୍ରାୟ ୮ ଘଣ୍ଟା ଜାତୀୟ ରାଜପଥ କାଦୁଅରେ ଗାଡ଼ି ଫସିବାରୁ ଯାତାୟତ ଠପ୍ ହୋଇ ପଡିଛି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।
ରବିବାର ରାତି କାଳବୈଶାଖୀ ବର୍ଷା ଯୋଗୁ ୨୬ ନଂ ଜାତୀୟ ରାଜପଥ କାଦୁଅରେ ଗାଡ଼ି ଫସିଯାଇଥିଲା। ଏଥିପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ ଯାତ୍ରୀ ସହ ସ୍ଥାନୀୟ ବାସିନ୍ଦା।
ଆସନ୍ତା କାଲି ପରୀକ୍ଷା ଥିବାରୁ ୧୦ କିଲୋମିଟର ଚାଲି ଚାଲି କଲେଜ ଏଡମିଟ କାର୍ଡ ପାଇଁ ଛାତ୍ରଛାତ୍ରୀ ଯିବା ଦୃଶ୍ୟ ଦେଖିବାକୁ ମିଳିଛି। ଅନ୍ୟପଟେ ଘଣ୍ଟା ଘଣ୍ଟା ଅପେକ୍ଷା ପରେ ଯାତ୍ରୀବାହୀ ବସରୁ ଓହ୍ଲାଇ ଛୋଟ ପିଲାଙ୍କୁ ଧରି ଚାଲି ଚାଲି ବାହାରିଥିଲେ ଯାତ୍ରୀ।
ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ଯାତ୍ରାଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଜାତୀୟ ରାଜପଥ ବିଭାଗ ଓ ପ୍ରଶାସନ ଏ ଦିଗରେ ସଜାଗ ନହେଲେ ଆଗକୁ ସ୍ଥିତି ଖରାପ ହେବା ବୋଲି ଯାତ୍ରୀମାନେ କହିଛନ୍ତି।