ପାଟନା: ରାଜନେତାଙ୍କ ଇସାରାରେ ନାଚିବା ପଡ଼ିଲା ମହଙ୍ଗା । ଦାୟିତ୍ବରୁ ହଟିଲେ ଆରଜେଡ ନେତା ତେଜପ୍ରତାବ ଯାଦବଙ୍କ ସୁରକ୍ଷାରେ ଥିବା ପୋଲିସ କନଷ୍ଟେବଳ । ବିହାର ପୋଲିସ ଡିଜି ତାଙ୍କୁ ଦାୟିତ୍ବରୁ ଅପସାରଣ କରିଛନ୍ତି । ଏହା ସହିତ ତେଜ୍ ପ୍ରତାବ ଯେଉଁ ସ୍କୁଟର ନେଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘରକୁ ଯାଇଥିଲେ ସେହି ଗାଡ଼ିର ଚାଲାଣ କାଟିଛି ପୋଲିସ । ବିନା ହେଲମେଟରେ ଗାଡ଼ି ଚଳାଇଥିବାରୁ ୪ ହଜାର ଟଙ୍କା ଫାଇନ୍ ଲଗାଯାଇଛି ।
ହଟିଲେ କନଷ୍ଟେବଳ:
ସୂଚନା ଅନୁଯାୟୀ, ହୋଲି ସମାରୋହ ବେଳେ ବିଧାୟକ ତେଜ୍ ପ୍ରତାବ ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ୍ କନଷ୍ଟେବଳଙ୍କୁ ବର୍ଦିରେ ନାଚିବାକୁ କହିଥିଲେ । ତେବେ ନିର୍ଦ୍ଦେଶ ପାଳନ ନକଲେ ତାଙ୍କୁ ସସ୍ପେଣ୍ଡ କରିଦିଆଯିବ ବୋଲି ଧମକ ଦେଇଥିଲେ । ଏଥିରେ ଡରି ଯାଇ କନଷ୍ଟେବଳ ଦୀପକ କୁମାର ଡ୍ୟାନ୍ସ କରିଥିଲେ । ଏନେଇ ସୋସିଆଲ୍ ମାଡିଆରେ ଭିଡିଓ ଭାଇରାଲ୍ ହେବା ପରେ ବିହାର ଡିଜିପି ଘଟଣାକୁ ଗୁରୁତର ସହ ନେଇଛନ୍ତି । ପ୍ରାଥମିକ ଯାଞ୍ଚ ପରେ ବିଧାୟକଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଅଙ୍ଗରକ୍ଷକଙ୍କୁ ତୁରନ୍ତ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଅନ୍ୟଜଣେ ପୋଲିସର୍କମୀଙ୍କୁ ମୁତୟନ କରାଯାଇଛି ।
୪ ହଜାର ଚାଲାଣ କଟିଲା:
ଶୁକ୍ରବାର ହୋଲି ଅବସରରେ ଆରଜେଡି ବିଧାୟକ ତେଜ ପ୍ରତାପ ଯାଦବ ଏକ ସ୍କୁଟର ଯୋଗେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ ପହଞ୍ଚିଥିଲେ । ସେ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳିଥିଲା । ଏହା ସହିତ ସ୍କୁଟରର ବୀମା ଓ ପ୍ରଦୂଷଣ ସାର୍ଟିଫିକେଟ୍ ଶେଷ ହୋଇଯାଇଥିବା କହିଛି ପୋଲିସ । ତେଣୁ ଭିଡିଓ ଆଧାରରେ ତାଙ୍କ ନାଁରେ ୪ ହଜାର ଟଙ୍କା ଫାଇନ୍ କାଟିଛି ପୋଲିସ ।