ଦିଲ୍ଲୀ ବାୟୁ ଅତି ବିପଜ୍ଜନକ, ଏକ୍ୟୁଆଇ ଟପିଲା ୫୦୦, ହସ୍ପିଟାଲରେ ବଢିଲା ପ୍ରଭାବିତଙ୍କ ସଂଖ୍ୟା

Published By : Prameya-News7 Bureau | November 04, 2023 IST

ନୂଆଦିଲ୍ଲୀ ୦୪/୧୧: ବାୟୁ ପ୍ରଦୂଷଣ କବଳରୁ ମୁକୁଳି ପାରୁନି ଜାତୀୟ ରାଜଧାନୀ ଦିଲ୍ଲୀ । କ୍ରମାଗତ ତୃତୀୟ ଦିନ ଧରି ଏହାର ବାୟୁ ଗୁଣବତ୍ତା ହ୍ରାସ ପାଇପାରେ ଲାଗିଛି । ଶୁକ୍ରବାର ଦିଲ୍ଲୀ ବାୟୁର ମାନ ଆହୁରି କମି ଅତି ବିପଜ୍ଜନକ ସ୍ତରରେ ପହଞ୍ଚିଛି । ଗୁରୁବାର ଦିଲ୍ଲୀର ଅନେକ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୫୦ ପାଖାପାଖି ପହଞ୍ଚିଥିବାବେଳେ ଶୁକ୍ରବାର ତାହା ୫୦୦ ଟପିଛି ।

ଅନେକ ସ୍ଥାନରେ ଏକ୍ୟୁଆଇ ୫୫୦ ପାଖାପାଖି ମଧ୍ୟ ପହଞ୍ଚିଛି । ସେହିପରି ବାୟୁରେ ପିଏମ୍‌୨.୫ ଏବଂ ପିଏମ୍‌୧୦ ସୂକ୍ଷ୍ମକଣିକାର ମାତ୍ରା ବଢ଼ିବା ବେଶ୍‌ ଚିନ୍ତାଜନକ ହୋଇଛି । ଶୁକ୍ରବାର ସକାଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୫ ଶହ ମିଟର ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଦୃଶ୍ୟମାନ ହୋଇ ନ ଥିଲା । କୁହୁଡ଼ି ଭଳି ଏକ ମୋଟା ପରସ୍ତର ଧୂଆଁ ପୁରା ଅଞ୍ଚଳକୁ ଆବରଣ କରି ରଖିଥିଲା ।

ଏବେ ଦିଲ୍ଲୀରେ ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌ (ଗ୍ରାପ୍‌)ର ତୃତୀୟ ଫେଜ୍‌ ଲାଗୁ କରାଯାଇଛି । ପଡ଼ୋଶୀ ରାଜ୍ୟଗୁଡ଼ିକରେ ଫସଲର ବଳକା ଅଂଶ, ନଡ଼ା ଆଦି ଜଳାଯିବା ବନ୍ଦ କରାଯାଇଛି । ଗତ ଦୁଇ ଦିନ ଭିତରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶରେ ୪,୮୭୮ଟି ଫସଲ
ଅବଶିଷ୍ଟାଂଶ ତଥା ନଡ଼ା ଆଦି ଜଳାପୋଡ଼ା ଘଟଣା ରେକର୍ଡ ହୋଇଛି ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଶୁକ୍ରବାର କହିଛନ୍ତି, କେବଳ ଦିଲ୍ଲୀ ନୁହେଁ ସମଗ୍ର ଉତ୍ତର ଭାରତ ପ୍ରଦୂଷଣ ଜନିତ ସମସ୍ୟା ଭୋଗୁଛି । ତେଣୁ କେବଳ ଦିଲ୍ଲୀ ସରକାର ଏହାକୁ ରୋକିପାରିବେ ନାହିଁ । ଦିଲ୍ଲୀ ତୁଳନାରେ ବାହାର ଉତ୍ସରୁ ପ୍ରଦୁଷଣ ଅଧିକ ବଢ଼ୁଛି । ତେଣୁ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ସକ୍ରିୟ ହୋଇ ଏ ଦିଗରେ ପଦକ୍ଷେପ ନେବା ଜରୁରି ।

ଦିଲ୍ଲୀରେ ପ୍ରଦୂଷଣ ପାଇଁ ବିଜେପି ଆମ୍‌ ଆଦମୀ ପାର୍ଟି(ଆପ୍‌) ସରକାରକୁ ଦାୟୀ କରୁଛି । କିନ୍ତୁ କେନ୍ଦ୍ର ସରକାର ଏହା ଜାଣିବା ଦରକାର ଯେ ଉତ୍ତରପ୍ରଦେଶ, ହରିୟାଣା ଆଦି ରାଜ୍ୟରେ ଆପ୍‌ ସରକାର ନାହିଁ । ଦିଲ୍ଲୀ ସରକାର ପ୍ରଦୂଷଣ ରୋକିବା ପାଇଁ ସବୁପ୍ରକାର ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି । ଆଗାମୀ ୧୫ ଦିନ ସମଗ୍ର ଦିଲ୍ଲୀ-ଏନ୍‌ସିଆର ପାଇଁ ବେଶ୍‌ ଜଟିଳ ରହିପାରେ ବୋଲି ସେ ସତର୍କ କରାଇଛନ୍ତି ।

wp:embed {"url":"https://www.prameyanews7.com/delhi-air-quality-extremely-worrying-you-want-people-to-live-in-gas-chambers/","type":"wp-embed","providerNameSlug":"prameya-news-7"}
https://www.prameyanews7.com/delhi-air-quality-extremely-worrying-you-want-people-to-live-in-gas-chambers/
/wp:embed

ଏବେ ଗ୍ରାପ୍‌-୩ ଲାଗୁ ହୋଇଥିବାରୁ ଦିଲ୍ଲୀରେ ଅନାବଶ୍ୟକ ନିର୍ମାଣ ଓ ଭଙ୍ଗାରୁଜା କାମ ବନ୍ଦ କରାଯାଇଛି । ବିଏସ୍‌-୩ ଏବଂ ବିଏସ୍‌-୪ ଡିଜେଲ ହାଲୁକା ମୋଟର ଚାରିଚକିଆ ଯାନ ଉପରେ ରୋକ ଲଗାଯାଇଛି । ରାସ୍ତାରେ ପ୍ରତ୍ୟେକ ଦିନ ପାଣି ସିଞ୍ଚନ କରାଯାଉଛି । ସେହିପରି ଲୋକଙ୍କୁ ବ୍ୟକ୍ତିଗତ ଯାନ ବଦଳରେ ସାର୍ବଜନୀନ ପରିବହନ ବ୍ୟବସ୍ଥାକୁ ବ୍ୟବହାର କରିବାକୁ କୁହାଯାଇଛି ।

ଅଫିସ୍‌ ତଥା କମ୍ପାନୀଗୁଡ଼ିକ ଏହାର କର୍ମଚାରୀଙ୍କୁ ଘରୁ କାମ କରିବା ପାଇଁ ଅନୁମତି ଦେବାକୁ କୁହାଯାଇଛି । କମର୍ସିଆଲ ଯାନବାହନ ସମେତ ଡିଜେଲ ଟ୍ରକ୍‌ଗୁଡ଼ିକ ଦିଲ୍ଲୀରେ ପ୍ରବେଶ ଉପରେ କଟକଣା ଲାଗିଛି । ହୋଟେଲ, ରେଷ୍ଟୁରାଣ୍ଟଗୁଡ଼ିକରେ କୋଇଲା ଏବଂ କାଠ ଜାଳିବାକୁ ମନା କରାଯାଇଛି । ଦିଲ୍ଲୀରେ ସମସ୍ତ ପ୍ରାଥମିକ ବିଦ୍ୟାଳୟ ଶନିବାର ପର୍ଯ୍ୟନ୍ତ ବନ୍ଦ ରହିଛି । ବାୟୁ ପ୍ରଦୁଷଣର ପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି ।

ବହୁସଂଖ୍ୟାରେ ଲୋକ ଥଣ୍ଡା, କଫ, ଶ୍ୱାସକ୍ରିୟାରେ ଅସୁବିଧା, ଗଳାରେ ସଂକ୍ରମଣ, ମୁଣ୍ଡବିନ୍ଧା, ଅନିଦ୍ରା ଆଦି ସମସ୍ୟା ନେଇ ହସ୍ପିଟାଲକୁ ଆସୁଥିବା ଦେଖାଯାଇଛି । ବର୍ଷସାରା ଦିଲ୍ଲୀବାସୀ ବାୟୁ ପ୍ରଦୂଷଣଜନିତ ସମସ୍ୟା ସହ ଯୁଝି ହେଉଥିବାବେଳେ ଶୀତଦିନେ କିନ୍ତୁ ଏହା ଅଧିକ ବଢ଼ିଯାଇଥାଏ । ତାପମାତ୍ରା ହ୍ରାସ ପାଇବା ଏବଂ ପବନ ଶିଥିଳ ହୋଇଯିବା ଦ୍ୱାରା ବାୟୁ ଚଳାଚଳ ଠିକ୍‌ ଭାବେ ହୋଇ ନ ପାରିବା ଏହାର ଅନ୍ୟତମ ପ୍ରମୁଖ କାରଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.