କଟକିଆଙ୍କୁ ଛାନିଆ କଲାଣି ଡେଙ୍ଗୁ, ଏବେ ସୁଦ୍ଧା ୧୨ ରୋଗୀ ଚିହ୍ନଟ,ମୁକାବିଲା ପାଇଁ CMCର ପ୍ରସ୍ତୁତି

Published By : Prameya-News7 Bureau | July 09, 2024 IST

କଟକ ୯/୭: ଭୁବନେଶ୍ବର ପରେ ଏବେ କଟକିଆଙ୍କୁ ଡରାଇଲାଣି ଡେଙ୍ଗୁ । ଚଳିତ ବର୍ଷ ଏବେ ସୁଦ୍ଧା ୧୨ ରୋଗୀ ଚିହ୍ନଟ ହେବା ପରେ ଛାନିଆ ଲୋକେ । ଗତ ବର୍ଷ ଡେଙ୍ଗୁର ହଟ୍‌ସ୍ପଟ ପାଲଟିଥିବା ସିଡିଏ ଓ ଜଗତପୁର ଶିଳ୍ପାଞ୍ଚଳ ଭଳି ହଟ୍‌ ସ୍ପଟ ଗୁଡିକରେ ଅଞ୍ଚଳରେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଘରକୁ ଘର ବୁଲି ଯାଞ୍ଚ କରିଛି । ସହରର ବଣବୁଦା ସଫା ସହ ବର୍ଜ୍ୟବସ୍ତୁ ପରିଚାଳନାକୁ ତ୍ବରାନ୍ବିତ କରାଯାଇଛି । ଏଡିସ ମଶା ନର୍ଦ୍ଦମା ଜଳରେ ଅଣ୍ଡା ଦିଏ ନାହିଁ। ବିଭିନ୍ନ ସ୍ଥାନରେ ଓ ପାତ୍ରରେ ଜମା ହେଉଥିବା ସ୍ବଚ୍ଛ ପାଣିରେ ଡେଙ୍ଗୁ ମଶା ଅଣ୍ଡା ଦେଇଥାଏ। ଏହି ଅଣ୍ଡାରୁ ସାତରୁ ଆଠ ଦିନ ଭିତରେ ମଶା ହୋଇଥାଆନ୍ତି। ସେଥିପାଇଁ ଘର ଆଖପାଖ ଓ ଛାତ ଉପରେ ପାଣି ଜମିବାକୁ ନଦେଲେ ବା କମୁଥିବା ପାଣିକୁ ସପ୍ତାହକୁ ଥରେ ଖାଲି କରିଦେଲେ, ଡେଙ୍ଗୁ ସଂକ୍ରମଣର ଆଶଙ୍କା ଏଡାଇ ହେବ ବୋଲି କହିଛନ୍ତି ସିଏମ୍‌ସି ସ୍ବାସ୍ଥ୍ୟ ଅଧିକାରୀ

ଲୋକଙ୍କ ଭିତରେ ଡେଙ୍ଗୁ ସଚେତନତା ସୃଷ୍ଟି ପାଇଁ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରାଯାଇଛି। ଜ୍ବର ହେବା ମାତ୍ରେ SCB ମେଡିକାଲ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡେଙ୍ଗୁ ପରୀକ୍ଷା କରାଇ ନେବା ପାଇଁ ସିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଯଦି କେହି ଡେଙ୍ଗୁରେ ଆକ୍ରାନ୍ତ ହେଲେ, ତେବେ ପ୍ଲେଟଲେଟ ପରୀକ୍ଷା ପାଇଁ ସହରର ସବୁ ସ୍ବାସ୍ଥ୍ୟ କେନ୍ଦ୍ରରେ ବ୍ୟବସ୍ଥା କରାଯାଇଥିବା ପ୍ରଶାସନ କହିଛି। ଆବଶ୍ୟକ ପଡିଲେ କଟକ ବଡ ମେଡିକାଲରେ ୪୦ଶଯ୍ୟା ବିଶିଷ୍ଟ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ଶଯ୍ୟା ବିଶିଷ୍ଟ ଡେଙ୍ଗୁ ଓ୍ବାର୍ଡ ଖୋଲିଵା ପାଇଁ ଯୋଜନା ହୋଇଛି। ସେପଟେ ସହରବାସୀ ଅଭିଯୋଗ କରିଛନ୍ତି ସିଏମ୍‌ସି ସହରରେ ଆବର୍ଜନା ସଫା କରିବାରେ ଯେତିକି ଧ୍ୟାନ ଦେବା କଥା,ସେତିକି ଦେଉନି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.