ବ୍ରହ୍ମପୁରରେ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା, ବାପା ଓ ସାବତ ମାଆଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | October 09, 2024 IST

ବ୍ରହ୍ମପୁର ୯/୧୦: ବ୍ରହ୍ମପୁର ସଦର ଥାନା ଅଞ୍ଚଳର ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ବାପା ଅଶୋକ ପ୍ରଧାନ ଓ ସାବତ ମାଆ ଜ୍ୟୋସ୍ନା ପ୍ରଧାନଙ୍କୁ ଗିରଫ କରିଛି ପୋଲିସ । ମଦୁଆ ବାପା ଝିଅକୁ ସବୁବେଳେ ନିର୍ଯାତନା ଦେଉଥିଲା । ଆଉ ସେଥିରେ ଅତିଷ୍ଠ ହୋଇ ଯୁବତୀ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା । ସୋମବାର ସଂଧ୍ୟାରେ ଯୁବତୀ ନିଜ ଦେହରେ କିରାସିନି ଢାଳି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ବ୍ରହ୍ମପୁର ସଦର ଥାନା କୁକୁଡା ଖଣ୍ଡିରୁ ଆସିଥିବା ଲୋମଟାଙ୍କୁରା ଘଟଣା ସମସ୍ତଙ୍କ ମନକୁ ଦୋହଲାଇ ଦେଇଥିଲା  ଗତ କିଛି ବର୍ଷ ହେଲା ବାପା ମଦ ପିଇ ଝିଅକୁ ନିର୍ଯାତନା ଦେଉଥିବା ସଂଗୀନ ଅଭିଯୋଗ ଆଣିଥିଲେ ସାବତ ମାଆ । କିଛି ସ୍ଥାନୀୟ ଲୋକ ମଧ୍ୟ ଏ କଥାକୁ ସ୍ବୀକାର କରିଥିଲେ। ତେଣୁ ଯୁବତୀଙ୍କ ମୃତ୍ୟୁ ପଛରେ ବାପାଙ୍କ ଅକଥନୀୟ ନିର୍ଯାତନା ଥିବା ସନ୍ଦେହ କରାଯାଉଥିଲା । ମୃତ ଯୁବତୀ ଯୁକ୍ତ ୩ ବିଜ୍ଞାନ ଶେଷ ବର୍ଷର ଛାତ୍ରୀ ଥିଲେ । ପିଲାଟି ଦିନରୁ ମାଆଙ୍କୁ ହରାଇ ଥିଲେ । ସାବତ ମାଆ ଓ ବାପାଙ୍କ ସହ ରହୁଥିଲେ ସେ । ସୋମବାର ଘରେ କେହି ନଥିବାବେଳେ ବାପା-ଝିଅଙ୍କର ଝଗଡା ହୋଇଥିଲା । ଏହାପରେ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ ସେ । ଆଉ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ବିଭିନ୍ନ ଦିଗକୁ ନେଇ ପୋଲିସ ତଦନ୍ତ କରିବା ପରେ ବାପା ଓ ସାବତ ମାଆଙ୍କୁ ଗିରଫ କରିଛି ।

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.