ରାଉରକେଲାରୁ ଦିଲୀପ ରାୟ ବିଜେପି ପ୍ରାର୍ଥୀ, ଜୁଏଲ କହିଲେ-ପ୍ରାର୍ଥୀତ୍ୱ ଚୂଡାନ୍ତ

Published By : Prameya-News7 Bureau | April 09, 2024 IST

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟରୁ ଆଶ୍ୱସ୍ତି ମିଳିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀଲିପ ରାୟଙ୍କ ନିର୍ବାଚନ ଲଢିବା ବାଟ ଫିଟି ସାରିଛି । ରାଉରକେଲାରୁ ବିଜେପିର ପ୍ରାର୍ଥୀ ହୋଇପାରନ୍ତି ଦିଲୀପ ରାୟ । ଦିଲୀପଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ ସୂଚନା ଦେଇଛନ୍ତି । ଦିଲୀପ ରାୟଙ୍କ ପ୍ରାର୍ଥୀତ୍ୱ ଚୂଡାନ୍ତ ହୋଇଥିବା ନେଇ ସବଡ଼େଗା ବିଜେପି କର୍ମୀ ସମ୍ମିଳନୀରେ ସାଂସଦ ଜୁଏଲ ଓରାମ ସୂଚନା ଦେଇଛନ୍ତି ।

ରାଉରକେଲା ଆସନ ପାଇଁ ବିଜେପି ପ୍ରାର୍ଥୀ ହେବେ ଦିଲୀପ ରାୟ । ଦିଲୀପଙ୍କ ପ୍ରାର୍ଥୀତ୍ୱ ଚୂଡ଼ାନ୍ତ ହୋଇଥିବା ସୂଚନା ଦେଇଛନ୍ତି ବରିଷ୍ଠ ନେତା ଜୁଏଲ ଓରାମ । ସେ କହିଛନ୍ତି, 'ଦିଲୀପଙ୍କ କୋର୍ଟ ମାମଲାକୁ ଅପେକ୍ଷା କରାଯାଇଥିଲା । ମାମଲା କ୍ଲିୟର ହେବା ପରେ ତାଙ୍କ ଟିକେଟ୍ ଘୋଷଣା ହେବ । କାଲି ଭିତରେ ଦିଲୀପଙ୍କ ଟିକେଟ ଘୋଷଣା ହେବ ।' 

ବିଧାନସଭା ପାଇଁ ସୁନ୍ଦରଗଡ ଜିଲ୍ଲାର ୬ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ରାଉରକେଲା ପାଇଁ ନାଁ ଘୋଷଣା କରି ନାହିଁ । ରାଉରକେଲାରୁ ଦିଲୀପ ରାୟ ପ୍ରାର୍ଥୀ ହେବେ ବୋଲି ଜୁଏଲ କହିବା ସହ ଆସନ୍ତା କାଲି ଦିଲୀପ ରାୟ ରାଉରକେଲାରେ ପହଞ୍ଚିବେ ଏବଂ ୧୧ତାରିଖରୁ ରାଉରକେଲାରେ ପ୍ରଚାର ଆରମ୍ଭ ହେବ ବୋଲି କହିଛନ୍ତି । 

ଉଲ୍ଲେଖଯୋଗ୍ୟ ଯେ ଏପ୍ରିଲ ୮ ସୋମବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ବଡ଼ ଆଶ୍ୱସ୍ତି ମିଳିଥିଲା । ଦିଲ୍ଲୀ ହାଇକୋର୍ଟ କୋଇଲା ଦୁର୍ନୀତି ମାମଲାରେ ତାଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଥିଲେ । ଏହାସହ ଦିଲୀପ ରାୟଙ୍କୁ ଆଗାମୀ ନିର୍ବାଚନରେ ଲଢିବା ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ । ଏପ୍ରିଲ ୫ ଶୁକ୍ରବାର ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ କୋର୍ଟ ।

ଏହା ପୂର୍ବରୁ ମାର୍ଚ୍ଚ ୨୧ରେ କୋଇଲା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦିଲ୍ଲୀ ହାଇକୋର୍ଟରେ ଆବେଦନ ଦାଖଲ କରି ଦଣ୍ଡ ଉପରେ ରହିତାଦେଶ ଲଗାଇବାକୁ ଅପିଲ୍ କରିଥିଲେ । ଦିଲୀପ ରାୟ ଲୋକସଭା ଏବଂ ଓଡ଼ିଶା ବିଧାନସଭାରେ ନିର୍ବାଚନ ଲଢିବାକୁ ଚାହୁଁଥିବା କହିଥିଲେ । ଏହି ମାମଲାରେ ନ୍ୟାୟମୂର୍ତ୍ତି ସ୍ୱର୍ଣ୍ଣ କାନ୍ତା ଶର୍ମା ସିବିଆଇଙ୍କୁ ନୋଟିସ୍ ଜାରି କରି ଆବେଦନ ଉପରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ପାଇଁ କୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ କୋର୍ଟରେ ପକ୍ଷ ରଖି ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗି କହିଥିଲେ ଯେ ଦିଲୀପ ରାୟ ଆଗାମୀ ନିର୍ବାଚନ ଲଢିବାକୁ ଚାହୁଁଛନ୍ତି । ଏହି କାରଣରୁ ନିଜ ଦଣ୍ଡ ଉପରେ ରୋକ ଲଗାଇବା ପାଇଁ ନିବେଦନ କରୁଛନ୍ତି । ଯାଚିକାରେ କୁହାଯାଇଥିଲା ଯେ ଦିଲୀପ ରାୟଙ୍କ ବିରୋଧରେ ଅନେକ ମାମଲା ଚାଲିଛି । ଏହି ସବୁ ମାମଲା ଉପରେ ଶୀଘ୍ର ରାୟ ଆସିବାର ଆଶା ବହୁତ କମ ଅଛି । ଯାଚିକାରେ ଏହା ବି କୁହାଯାଇଥିଲା ଯେ ଦିଲୀପ ରାୟଙ୍କୁ ୭୧ ବର୍ଷ ହୋଇଛି । ଯଦି ରାୟରେ ବିଳମ୍ୱ ଘଟେ ତେବେ ଅପୂରଣୀୟ କ୍ଷତି ହେବାର ସମ୍ଭବନା ରହିଛି । ଏହାପରେ ମାମଲାର ପରବର୍ତ୍ତୀ ଶୁଣାଣିରେ ସିବିଆଇ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଯାଚିକାକୁ ବିରୋଧ କରିଥିଲା ।

  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.