ଫୁଟବଲ୍ ପ୍ରଶଂସକଙ୍କ ପାଇଁ ନିରାଶ ଖବର, ଅଲିମ୍ପିକ୍ସ ଖେଳିବେ ନାହିଁ ଲିଓନେଲ ମେସି

Published By : Prameya-News7 Bureau | July 08, 2024 IST

ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ବିଶ୍ଵକପ୍ ବିଜେତା ଫୁଟବଲ୍ ଖେଳାଳି ଲିଓନେଲ ମେସି କଣ ଆଗାମୀ ଅଲିମ୍ପିକରେ ନଜର ଆସିବେ ? ଏହି ପ୍ରଶ୍ନର ଉତ୍ତର ମିଳି ଯାଇଛି। ଆଉ ଖବର ଫୁଟବଲ୍ ପ୍ରେମୀଙ୍କ ପାଇଁ ନିରାଶଜନକ ରହିଛି।  ଖୋଦ୍ ମେସି ସ୍ପଷ୍ଟ କରିଛନ୍ତି ଯେ, ସେ ଚଳିତ ଅଲିମ୍ପିକ ଖେଳିବେ ନାହିଁ। ବଢୁଥିବା ବୟସର କାରଣ ଦର୍ଶାଇ ମେସି କହିଛନ୍ତି ଯେ, ଏବେ ପ୍ରତି ଟୁର୍ଣ୍ଣାମେଣ୍ଟରେ ଖେଳିବାର ଆଉ ସମୟ ନାହିଁ। ନିଜର କାର୍ଯ୍ୟଚାପକୁ ସତର୍କତାର ସହ ପରିଚାଳନା ଜରୁରୀ। ଆଠ ଥରର ବାଲାନ ଡେ ଆଓ୍ଵାର୍ଡ ବିଜେତା ମେସି ବର୍ତ୍ତମାନ କୋପା ଆମେରିକା ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ଆର୍ଜେଣ୍ଟିନା କୋପା ଆମେରିକାର ବିଜେତା ଏବଂ ଦଳ ଏଥର ବି ଟ୍ରଫି ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି। ଦଳ ସେମି ଫାଇନାଲ୍‌ରେ ପ୍ରବେଶ କରି ସାରିଛି।  ଜୁଲାଇ ୧୪ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ଲିଓନେଲ ମେସି ୨୦୦୮ରେ ବେଜିଂ ଅଲିମ୍ପିକ୍ସରେ ଆର୍ଜେଣ୍ଟିନା ପାଇଁ ସ୍ଵର୍ଣ୍ଣ ପଦକ ଜିତି ସାରିଛନ୍ତି। ସେହି ସମୟରେ ୨୩ ବର୍ଷରୁ କମ ଫୁଟବଲ୍ ଦଳର କୋଚ୍ ଜେଭିୟର ମେସ୍କେରାନୋ ତାଙ୍କ ସାଥୀ ଖେଳାଳି ଥିଲେ। ଏବେ ଜେଭିୟର ମେସିଙ୍କୁ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଖେଳିବାକୁ ଅନୁରୋଧ କରିଥିଲେ। ମେସି ଏହା ଉପରେ କହିଛନ୍ତି ଯେ, ଏବେ ଅଲିମ୍ପିକ୍ସ ବିଷୟରେ ଚିନ୍ତା କରିବା କଠିନ। ଆମର ଫୋକସ କୋପା ଆମେରିକା ଜିତିବା ଉପରେ ରହିଛି। ପୁଣି ବୟସ ବି ବଢି ଚାଲିଛି। ପ୍ରତି ଟୁର୍ଣ୍ଣାମେଣ୍ଟ ଖେଳିବା ମୋ ପକ୍ଷେ ମୁସ୍କିଲ।  

ସେ କହିଛନ୍ତି, ମୁଁ ବହୁତ ଭାଗ୍ୟଶାଳୀ ଯେ, ମୋତେ ଅଲିମ୍ପିକ୍ସରେ ଖେଳିବାକୁ ସୁଯୋଗ ମିଳିଛି। ମେସ୍କୋରାନୋଙ୍କ ସହ ମିଶି ସ୍ଵର୍ଣ୍ଣ ପଦକ ଜିତିଛୁ। ଉଲ୍ଲେଖନୀୟ ମେସିଙ୍କ ନେତୃତ୍ଵରେ ଆର୍ଜେଣ୍ଟିନା ୨୦୨୨ କାତାର ବିଶ୍ଵକପ୍ ଜିତିଥିଲା। ବାର୍ସେଲୋନାର ପୂର୍ବତନ ଖେଳାଳି ମେସି ଇଣ୍ଟର ମିୟାମି ସହିତ ଅନୁବନ୍ଧ ୨୦୨୫ ସିଜିନ ସହ ଶେଷ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.