କାନାଡା ଓ ମେକ୍ସିକୋ ପ୍ରତି ନରମିଲେ ଡୋନାଲ୍ଡ ଟ୍ରମ୍ପ; ଗୋଟିଏ ମାସ ଟାଳିଲେ ଟାରିଫ୍ ଲାଗୁ ନିଷ୍ପତ୍ତି

Published By : Prameya-News7 Bureau | March 07, 2025 IST

ନୂଆଦିଲ୍ଲୀ: ନରମିଲେ ଆମେରିକା ରାଷ୍ଟ୍ରପତି । ଶୁଳ୍କ ଯୁଦ୍ଧରୁ ଓହରିଲେ ଡୋନାଲ୍ଡ  ଟ୍ରମ୍ପ ।  ପଡ଼ୋଶୀ ଦେଶ କାନାଡ଼ା ଓ ମେକ୍ସିକୋ ପ୍ରତି ନରମ ନମୋଭାବ ଗ୍ରହଣ କରିଛନ୍ତି । ଦୁଇ ଦେଶ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ୍ ଲଗାଇବା ନିଷ୍ପତ୍ତିକୁ ସାମାନ୍ୟ ଟାଳି ଦେଇଛନ୍ତି । ଏପ୍ରିଲ ୨ ପର୍ଯ୍ୟନ୍ତ ଆମେରିକାକୁ ରପ୍ତାନି ହେବାକୁ ଥିବା ସାମଗ୍ରୀ  ଉପରେ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଗୁରୁବାର ଏହି ନିଷ୍ପତ୍ତି ନେଇଛନ୍ତି । ପୂର୍ବରୁ ମାର୍ଚ୍ଚ ୪ ତାରିଖରେ କାନାଡା ଓ ମେକ୍ସିକୋ ଉପରେ ଅତିରିକ୍ତ ଶୁଳ୍ପ ଲଗାଇବା ନେଇ ଘୋଷଣା କରିଥିଲେ । 

ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ମେକ୍ସିକୋ ଓ କାନାଡାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ନୂଆ ଟାରିଫ୍ ଲଗାଇବା ନିଷ୍ପତ୍ତି ଗୋଟିଏ ମାସ ପାଇଁ ଘୁଞ୍ଚାଇ ଦେଇଛନ୍ତି । ଦୁଇ ପଡୋଶୀ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ଅତିରିକ୍ତ ଟାରିଫ୍ ଲାଗୁ କଲେ ଆମେରିକୀୟ କମ୍ପାନିମାନଙ୍କର ବିପୁଳ କ୍ଷତି ହେବ ବୋଲି ଟ୍ରମ୍ପ ପ୍ରଶାସନ ଚିନ୍ତା କରିଥିଲା । ଏନେଇ ଆମେରିକାର ତିନି ଦିଗ୍ଗଜ ଅଟୋ-ମୋବାଇଲ୍ କମ୍ପାନି ଫୋର୍ଡ, ଜେନେରାଲ ମୋଟର୍ସ ଏବଂ ଷ୍ଟେଲିଂଟିସର ବରିଷ୍ଠ ଅଧିକାରୀଙ୍କ ସହିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୈଠକ କରିଥିଲେ । ଏହା ପରେ ଟାରିଫ୍ ଲାଗୁ ନିଷ୍ପତ୍ତିକୁ ଗୋଟିଏ ମାସ ଅର୍ଥାତ୍ ୩୦ ଦିନ ପାଇଁ ଟାଳି ଦେଇଛନ୍ତି । ଫଳରେ କାନାଡା ଏବଂ ମେକ୍ସିକୋକୁ ସାମାନ୍ୟ ଆଶ୍ବସ୍ତି ମିଳିଛି । 

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମୁଖପାତ୍ର, ଏନେଇ ମିଡିଆକୁ ସୂଚନା ଦେଇ କହିଛନ୍ତି, ଦେଶ ତିନି ବଡ଼ କମ୍ପାନିଙ୍କ ମିଟିଂ ହୋଇଥିଲା । ଏଥିରେ କୁହାଯାଇଥିଲା, ଉତ୍ତର ଆମେରିକାର ସହ ମୁକ୍ତ ବ୍ୟବସାୟ ଚୁକ୍ତି ଅନୁଯାୟୀ, ଆମେରିକାକୁ ୟୁଏସଏମସିଏ ମାଧ୍ୟମରେ ଆସୁଥିବା କୌଣସି ପ୍ରକାର ସାମଗ୍ରୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍ପ ଲାଗିବ ନାହିଁ । ଟାରିଫ୍‌କୁ ଗୋଟିଏ ମାସ ପାଇଁ ଟାଳି ଦିଆଯାଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବ୍ରୁଆରୀ ପହିଲାରେ କାନାଡା  ଓ ମେକ୍ସିକୋ ଉପରେ ୨୫% ଟାରିଫ୍‌ ଲାଗୁ ପାଇଁ  ଆଦେଶ ଜାରି କରିଥିଲେ । ଏହା ମାର୍ଚ୍ଚ ୪ରୁ  ଲାଗୁ ହେବା ନେଇ କୁହାଯାଇଥିଲା । ବର୍ତ୍ତମାନ ମେକ୍ସିକୋ ଓ କାନାଡା ଉପରେ  ଟିକସକୁ ମାସକ ପାଇଁ ସ୍ଥଗିତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.