ନୂଆଦିଲ୍ଲୀ: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଆସନ ଅଳଂକୃତ କରିବା ପୂର୍ବରୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି ପଦକ୍ଷେପ ନେଉଛନ୍ତି। ଶୁକ୍ରବାର ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗକୁ କଲ୍ କରି ଦୁଇ ଦେଶ ମଧ୍ୟରେ ଥିବା ଏକାଧିକ ବିବାଦୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଯେଉଁଥିରେ ବାଣିଜ୍ୟିକ ସମସ୍ୟା, ପେଣ୍ଟାନିଲ ଏବଂ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକଟକକୁ ନେଇ ମଧ୍ୟ ଆଲୋଚନା ହୋଇଛି।
ସି ଜିନପିଙ୍ଗ ସହ ଆଲୋଚନା କରିଥିବା କଥା ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି ଟ୍ରମ୍ପ। ଏବଂ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଫଳପ୍ରଦ ହେବ ବୋଲି ସେ ଆଶା ରଖିଛନ୍ତି। ଟ୍ରମ୍ପ ଲେଖିଛନ୍ତି “ଏହି କଲ୍ ଚୀନ୍ ଓ ଆମେରିକା, ଉଭୟଙ୍କ ପାଇଁ ବହୁତ ଭଲ ଥିଲା। ମୁଁ ଆଶା କରୁଛି ଯେ ଆମେ ଏକାଠି ଅନେକ ସମସ୍ୟାର ସମାଧାନ କରିବୁ, ଏବଂ ତୁରନ୍ତ ଏସବୁ ଆରମ୍ଭ କରିବୁ। ଆମେ ବାଣିଜ୍ୟିକ ସନ୍ତୁଳନ, ଫେଣ୍ଟାନିଲ୍, ଟିକଟକ୍ ଏବଂ ଅନ୍ୟାନ୍ୟ ଅନେକ ବିଷୟରେ ଆଲୋଚନା କରିଥିଲୁ।”
ବିଶ୍ୱରେ ଅଧିକରୁ ଅଧିକ ଶାନ୍ତି ପ୍ରତିଷ୍ଠା କରିବା ଓ ବିଶ୍ୱକୁ ସୁରକ୍ଷିତ ରଖିବା ପାଇଁ ରାଷ୍ଟ୍ରପତି ସି ଏବଂ ମୁଁ ସବୁକିଛି କରିବୁ ବୋଲି ଟ୍ରମ୍ପ କହିଛନ୍ତି। ଏହା ପୂର୍ବରୁ ଚୀନ ସରକାରୀ ଗଣମାଧ୍ୟମ ସିନହୁଆ ମଧ୍ୟ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଆଲୋଚନା ସମ୍ପର୍କରେ ଖବର ପ୍ରକାଶ କରିଥିଲା। ତେବେ ଦୁହିଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲେ ସେ ନେଇ କୌଣସି ସୂଚନା ଦେଇ ନଥିଲା।
ଚୀନ ସହିତ ସମ୍ପର୍କ ସୁଧାରିବାରେ ଆମେରିକା ଚେଷ୍ଟା କରୁଛି। ଏନେଇ ଜାନୁଆରୀ ୬ ତାରିଖରେ ଡୋନାଲ୍ଡ ଟ୍ରମ୍ପ ସୂଚନା ଦେଇଥିଲେ। କୂଟନୈତି ଚ୍ୟାନେଲ୍ ମଧ୍ୟରେ ଦୁଇ ଦେଶର ସମ୍ପର୍କ ମଜଭୁତ କରିବାକୁ ଆଲୋଚନା ଜାରି ରହିଛି ବୋଲି ସେ କହିଥିଲେ। ତେବେ ସବୁଠାରୁ ବଡ଼ କଥା ହେଲା ଜାନୁଆରୀ ୨୦ ତାରିଖରେ ହେବାକୁ ଥିବା ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗ ଦେବ ନାହିଁ ବୋଲି ଚୀନ ଘୋଷଣା କରିଥିଲା। ତେବେ ଜିନପିଙ୍ଗ ସ୍ଥାନରେ ଚୀନ ଉପରାଷ୍ଟ୍ରପତି ହାନ ଜେଙ୍ଗ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ଚୀନ କହିଛି।