ହମାସ ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ; ଯୁଦ୍ଧବିରତି ସ୍ବାକ୍ଷର କଲା ଇସ୍ରାଏଲ, ସହଯୋଗୀ ଦଳର ବିରୋଧ

Published By : Prameya-News7 Bureau | January 18, 2025 IST

ନୂଆଦିଲ୍ଲୀ: ୧୮/୦୧: ହମାସ-ଇସ୍ରାଏଲ ଯୁଦ୍ଧରେ ପଡ଼ିବ ଯବନିକା । ଅସ୍ତ୍ର ରାଜିନାମାରେ ସ୍ବାକ୍ଷର କରିଛି ଇସ୍ରାଏଲ । ଜାନୁଆରୀ ୧୯ ତାରିଖ ଅର୍ଥାତ୍ ରବିବାରଠୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଲାଗୁ ହେବ । ଶୁକ୍ରବାର ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଥିବା ଦେଶ ସୁରକ୍ଷା ସମ୍ପର୍କିତ କ୍ୟାବିନେଟରେ ରାଜିନାମାକୁ ସହମତି ମିଳିଛି । ଏହି ଯୁଦ୍ଧବିରତି ୪୨ ଦିନ ଯାଏ କାଏମ ରହିବ । ଏପଟେ ହମାସ କବଳରେ ଥିବା ଇସ୍ରାଏଲ ପଣବନ୍ଦୀ ମୁକୁଳିବେ ।    

ଆସନ୍ତା ୧୯ ତାରିଖ ଅର୍ଥାତ୍ ରବିବାରଠୁ ଏହା ଲାଗୁ ହେବ । ଗୁରୁବାର ଯୁଦ୍ଧବିରତି ଚୁକ୍ତି ପ୍ରସ୍ତାବରେ ଉପରେ ସ୍ବାକ୍ଷର ନେଇ ପ୍ରଥମେ ସ୍ଥିର ହୋଇଥିଲା । ହେଲେ ହମାସ ନୂଆ ଦାବି ଉଠାଇ ଯୁଦ୍ଧବିରତି ପ୍ରସ୍ତାବରୁ ପଛକୁ ଓହରବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ଅଭିଯୋଗ କରିଥିଲେ । ମାତ୍ର ବେଞ୍ଚାମିନ୍ ନେତାନ୍ୟାହୁଙ୍କ ଅଭିଯୋଗକୁ ଖଣ୍ତନ କରିଛି ହମାସ । ସେପଟେ ଗାଜା ସିଟିର ବିଭିନ୍ନ ସ୍ଥାନରେ ଇସ୍ରାଏଲ ସେନା ପ୍ରଚଣ୍ଡ ଆକ୍ରମଣ କରିବାରୁ ୮୦ରୁ ଅଧିକ  ଲୋକଙ୍କ ମୃତ୍ୟୁ ଘଟିଥିଲା । ଉଭୟ ପକ୍ଷ ମଧ୍ୟରେ ହୋଇଥିବା ରାଜିନାମା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ହମାସ ୩୩ ଜଣ ପଣବନ୍ଦୀଙ୍କୁ ଛାଡିବ । ସେମାନଙ୍କ ଭିତରେ  ୫ଜଣ ମହିଳା ସୈନିକ ରହିଛନ୍ତି । ଏହି  ୫ ମହିଳା ସୈନିକଙ୍କ ବଦଳରେ ଇସ୍ରାଏଲ ୨୫୦ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ  କରିବ । ହମାସ ନିକଟରେ ବର୍ତ୍ତମାନ ସମୟରେ ୯୪ ଜଣ ଇସ୍ରାଏଲୀ ପଣବନ୍ଦୀ ଅଛନ୍ତି ।  

ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧବିରତି ୪୨ ଦିନ ପାଇଁ କାଏମ ରହିବ ।   ପରବର୍ତ୍ତୀ ସମୟରେ ସ୍ଥାୟୀ ଯୁଦ୍ଧବିରତି   ନେଇ ଆଲୋଚନା ହେବ । ଉଭୟ ଦେଶର ସୀମାରେ ବଫର ଜୋନ ପ୍ରତିଷ୍ଠା ହେବ । ଅନ୍ୟପକ୍ଷରେ ହମାସ ସହ ହୋଇଥିବା ଯୁଦ୍ଧବିରତି ରାଜିନାମାକୁ ପ୍ରତିରକ୍ଷା ମନ୍ତ୍ରୀ ବେନ-ଗ୍ୱିର ଇତାମାର ବିରୋଧ କରିଛନ୍ତି । ସେ ହମାସ ସହ ବୁଝାମଣାକୁ ଭୁଲ ବୋଲି ଦର୍ଶାଇ ନେତନ୍ୟାହୁଙ୍କ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ଓତ୍ୟୋଜ୍‌ମା ୟେହୁଦିତ ପାର୍ଟି  ନେତନ୍ୟାହୁଙ୍କ ଲିକୁଡ ପାର୍ଟି ଠାରୁ ସମର୍ଥନ ପ୍ରତ୍ୟାହାର କରିନେବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.