କଟକରୁ ନକଲି ଚା’ କାରଖାନା ଠାବ, ଜବରଦଖଲ ଉଚ୍ଛେଦ ବେଳେ ଧରାପଡିଲା

Published By : Prameya-News7 Bureau | July 18, 2024 IST

କଟକ ୧୮: ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଘଟଣା ଘଟିଛି କଟକ ଜଗତପୁର ଅଞ୍ଚଳରେ । ଦୀର୍ଘଦିନ ଧରି ଜଗତପୁର ଲକ୍ଷଣପୁର କେନାଲ ବନ୍ଧରେ ଗୋଟିଏ ଘରେ ଚାଲିଥିଲା ଟାଟା କମ୍ପାନୀ ନାମରେ ନକଲି ପ୍ୟାକିଂ । କଟକ ଜଗତପୁର ୪୮ ନମ୍ବର ଓ୍ବାର୍ଡରେ ସିଏମସି ଏନଫୋର୍ସମେଣ୍ଟ ଟିମ୍ ଦ୍ବାରା ବେଆଇନ ସରକାରୀ ଜମି ଜବରଦଖଲ ଉଚ୍ଛେଦ ବେଳେ ଖୋଲିଥିଲା ଏହି ନକଲି କମ୍ପାନୀ ରହସ୍ୟ । 

ଜଳସେଚନ ବିଭାଗର ଜଗତପୁରରେ ଏକ ଘର ଭାଙ୍ଗିବାକୁ ଯେତେବେଳେ ପ୍ରକ୍ରିୟା ଆରମ୍ଭ ହୋଇଥିଲା ସେତେବେଳେ ଏହି ଘର ଭିତରେ ବିଭିନ୍ନ ନାମୀଦାମୀ କମ୍ପାନୀର ଚା’ ପ୍ୟାକେଟ, ଜରି, ଷ୍ଟିକର, ମେସିନ ଓ ବ୍ୟାଗ୍‌ରେ ଭର୍ତ୍ତି ଚା’ ଦେଖିବାକୁ ମିଳିଥିଲା । ଟାଟା କମ୍ପାନୀର ଛୋଟ ଛୋଟ ପ୍ୟାକେଟ ସହିତ, ତିନୋଟି ଅଲଗା ଅଲଗା କମ୍ପାନୀର ଚା’ ପତି, ଗୋଟିଏ ମିକ୍ସ ଓ ପ୍ୟାକିଂ ମେସିନ, ଗୋଟିଏ ସିଲାଇ ମେସିନ, ଅନେକ ଗୁଡ଼ିଏ ବ୍ରାଣ୍ଡ୍‌ର ପ୍ୟାକେଜିଂ ଜରି ସହିତ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଦେଖିବାକୁ ମିଳିଥିଲା । ଏହାପରେ ଉଚ୍ଛେଦକାରୀ ଦଳ ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍‌କୁ ଖବର ଦେଇଥିଲେ । ଏହାପରେ ଖାଦ୍ୟ ସୁରକ୍ଷା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମେସିନ ସହ, ଜରି, ଚା’ ଓ ଅନ୍ୟ ସାମଗ୍ରୀକୁ ଜବତ କରିଛି । ସେହିଭଳି ସମସ୍ତ ଜବତ ସାମଗ୍ରୀ ସିଏମ୍‌ସି ଫୁଡ୍ ସେଫ୍ଟି ଟିମ୍ ନିଜ ଅଧୀନରେ ରଖିଥିବା ବେଳେ ସାମ୍ପଲ ପରୀକ୍ଷା ପାଇଁ ପଠାଇଛି । ଏହାସହ କମ୍ପାନୀର ମାଲିକଙ୍କୁ ଖୋଜା ଚାଲିଛି ଓ ତାଙ୍କ ବିରୁଦ୍ଧରେ ପୋଲିସରେ ଅଭିଯୋଗ ମଧ୍ୟ କରାଯିବ ବୋଲି ସିଏମସି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ।

ଅତି ଚତୁରତା ସହ ଏହି ଘରେ ନକଲି ଚା’ ତିଆରି କାର୍ଯ୍ୟ ଚାଲିଥିଲା । ଏପରିକି ଆଖପାଖ ଅଞ୍ଚଳରେ ଥିବା ଲୋକେ ମଧ୍ୟ ଏ ସମ୍ପର୍କରେ କୌଣସି ସୁରାକ ପାଇ ନଥିଲେ । ବାରମ୍ବାର ଜଗତପୁର ଅଞ୍ଚଳରେ ଏହିଭଳି ନକଲି ସାମଗ୍ରୀ କାରଖାନା ଠାବ ହେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା । 

You Can Read:

ଆକ୍ସନ ମୋଡ୍‌ରେ ରାଜ୍ଯ ଖଣି ବିଭାଗ, ଧର୍ମଶାଳା ତହସିଲର ବିଭିନ୍ନ କଳା ପଥର ଖାଦାନରେ ଚଢାଉ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.