ନୂଆଦିଲ୍ଲୀ,୨୩/୦୪: କୃଷି କ୍ଷେତ୍ରରେ ନିଯୁକ୍ତି କ୍ରମାଗତ ଭାବେ ହ୍ରାସ ପାଉଛି । ଅଣକୃଷି କ୍ଷେତ୍ରକୁ ଶ୍ରମଶକ୍ତିର ସୁଅ ଛୁଟି ଚାଲିଛି । ଏହି ନିଯୁକ୍ତି ଚାହିଦାକୁ ମୁକାବିଲା କରିବାକୁ ହେଲେ ଅଣ କୃଷି କ୍ଷେତ୍ରରେ ବର୍ଷକୁ ଅତି କମ୍ରେ ୭୮ ଲକ୍ଷ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦରକାର । ଅର୍ଥମନ୍ତ୍ରାଳୟ ଦ୍ବାରା ପ୍ରସ୍ତୁତ ସଦ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର ନିଯୁକ୍ତି ସମସ୍ୟାର ଏଭଳି ଚିତ୍ର ଆଙ୍କିଛନ୍ତି । ଏବେ ଠାରୁ ୨୦୩୦ ମଧ୍ୟରେ ଏହି ହାରରେ ନିଯୁକ୍ତି ବଢ଼ିଲେ ହିଁ ବେକାରୀ ସମସ୍ୟାର ସମାଧାନ ହୋଇ ପାରିବ । ଏଥିପାଇଁ ନିର୍ଦ୍ଦିଷ୍ଟ ରଣନୀତି ପ୍ରସ୍ତୁତ ଜରୁରି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୋମବାର ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୩-୨୪ ଉପସ୍ଥାପନ କରିଥିଲେ। ଦେଶ ଅର୍ଥନୀତିର ଗୋଲାପୀ ଚିତ୍ର ଉପସ୍ଥାପନ କରାଯାଇ ଏଥିରେ ଦର୍ଶାଯାଇଛି, ବିଶ୍ୱ ସ୍ତରରେ ଅର୍ଥନୈତିକ ଅସ୍ଥିରତା ସତ୍ତେ୍ୱ ଭାରତର ଅଭିବୃଦ୍ଧି ସୁଦୃଢ଼ ରହିଛି । ୨୦୨୪-୨୫ ଆର୍ଥିକ୍ ବର୍ଷରେ ଅର୍ଥନୀତି ଅତି କମ୍ରେ ୬.୫ରୁ ୭ ପ୍ରତିଶତ ହାରରେ ବଢ଼ିବ । ମୌସୁମୀ ଅନୁକୁଳ ହେଲେ ଅଭିବୃଦ୍ଧି ଅଧିକ ହେବା ଆଶା ବି ରହିଛି । ମୁଦ୍ରାସ୍ଫୀତି ବି ଦ୍ରୁତଗତିରେ ବୃଦ୍ଧି ପାଇବ । ୪.୫% ଭିତରେ ରହିବ ବୋଲି ଆଶା କରାଯାଇଛି ।
୨୦୨୩-୨୪ ଆର୍ଥିକବର୍ଷରେ ଭାରତର ଜିଡିପି ୮.୨% ହାରରେ ବଢ଼ିଛି । ଏହାସହିତ କ୍ରମାଗତ ତୃତୀୟ ବର୍ଷ ପାଇଁ ୭%ରୁ ଉର୍ଦ୍ଧ୍ବ ହାରରେ ବଢ଼ିଛି ଭାରତୀୟ ଅର୍ଥବ୍ୟବସ୍ଥା । ଉପଭୋକ୍ତା ଚାହିଦା ଏବଂ ନିବେଶ ବୃଦ୍ଧି ବଳରେ ଏହା ସମ୍ଭବ ହୋଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ହେଲେ ବିଶ୍ୱ ରାଜନୈତିକ ଅସ୍ଥିରତା ଯୋଗାଣ ଶୃଙ୍ଖଳାକୁ ବିଗାଡ଼ିଲେ ଭାରତ ଅର୍ଥନୀତି ବି ପ୍ରଭାବିତ ହୋଇପାରେ ଏବଂ ଦରଦାମ ଚାପ ବଢ଼ିପାରେ । ପୁଞ୍ଜି ପ୍ରବାହ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିପାରେ ବୋଲି ଚିନ୍ତା ପ୍ରକାଶ କରାଯାଇଛି ।
୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ସଫଳ କରିବା ଦିଗରେ ଉନ୍ମୋଚିତ ହୋଇଛି ଏକ ଅଭିବୃଦ୍ଧି କୈନ୍ଦ୍ରିକ ରଣନୀତି । ଅର୍ଥନୈତିକ ସର୍ଭେ ରିପୋର୍ଟରେ ଛଅଟି ପ୍ରମୁଖ ବିକାଶ ବାହନକୁ ଗୁରୁତ୍ୱ ଦିଆଯାଇଛି । ଯାହା ଏକ ମଜଭୁତ, ନିରନ୍ତର, ସନ୍ତୁଳିତ ଏବଂ ସମାବେଶୀ ଅଭିବୃଦ୍ଧିର ନକ୍ସା । ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ସଫଳ କରିବାକୁ ହେଲେ ଘରୋଇ ନିବେଶ ବଢ଼ାଇବାକୁ ପଡ଼ିବ । ଏହା ନିଯୁକ୍ତି କ୍ଷେତ୍ରରେ ଆଖିଦୃଶିଆ ଅଭିବୃଦ୍ଧି ଆଣିବା ସହିତ କର୍ମଚାରୀଙ୍କ ପାଇଁ ଉଚିତ ଆୟ ପ୍ରଦାନ କରିବ ବୋଲି ଉଲ୍ଲେଖ କରାଯାଇଛି ।
ଭାରତରେ ଗ୍ରୀନ୍ ଟ୍ରାଞ୍ଜିସନ କ୍ଷେତ୍ରରେ ସରକାରୀ-ଘରୋଇ ସହଭାଗିତା ଏକ ପ୍ରମୁଖ ଅଂଶ । ସବୁଜ ଭାରତକୁ ବଳ ଦେବା ପାଇଁ ଏହି ସର୍ଭେରେ ନୂତନ ପୁଞ୍ଜି ନିବେଶ ମାର୍ଗ ଅନ୍ୱେଷଣ କରିବା ଦରକାର । ଏହାଦ୍ୱାରା ଘରୋଇ ପୁଞ୍ଜି ସଂଗ୍ରହ ହେବା ସହ ବିକାଶ ହାର ତ୍ୱରାନ୍ୱିତ ହେବ ।
ସେହିପରି ବିକାଶର ଆଉ ଏକ ପ୍ରମୁଖ ବାହନ ହେଉଛି ଏମ୍ଏସ୍ଏମ୍ଇ । ଏମାନଙ୍କ ପାଇଁ ଋଣ ଉପଲବ୍ଧତା ବଢ଼ାଇବା ସହ ଏମ୍ଏସ୍ଏମଇ ଉତ୍ପାଦର ବଜାର ଚାହିଦା ବଢ଼ାଇବା ଦିଗରେ ରଣନୀତି ଜରୁରି ।
ସର୍ଭେ ରିପୋର୍ଟରେ କୁହାଯାଇଛି , କୃଷି କ୍ଷେତ୍ର ଭାରତର ଅଭିବୃଦ୍ଧି ଇଞ୍ଜିନ୍ ହେବାର ସାମର୍ଥ୍ୟ ରଖୁଛି । ଏଥିପାଇଁ କୃଷକ-ଅନୁକୂଳ ନୀତି ଆଣିବାକୁ ପଡ଼ିବ, ଯାହା ପରିବେଶ ତଥା ଜଳବାୟୁ ଦୃଷ୍ଟିକୋଣରୁ ନିରନ୍ତର ହୋଇଥିବା ଦରକାର ।
ଦକ୍ଷତା କ୍ଷେତ୍ରରେ ରହିଥିବା ସମସ୍ୟାଗୁଡ଼ିକର ସମାଧାନ କରିବାକୁ ପଡ଼ିବ । ଶିକ୍ଷା ଏବଂ ନିଯୁକ୍ତି ମଧ୍ୟରେ ଥିବା ଫାଟ ଦୂର କରିବାକୁ ପଡ଼ିବ । ଏ କ୍ଷେତ୍ରରେ ଭାରତ ୟୁରୋପୀୟ ନୀତିକୁ ଅନୁକରଣ କରିପାରିବ ବୋଲି ସର୍ଭେରେ ଉଲ୍ଲେଖ କରାଯାଇଛି ।
ଉପରୋକ୍ତ ୬ଟି ରଣନୀତିକୁ ସଫଳ କରିବାକୁ ହେଲେ ଭାରତକୁ ରାଜ୍ୟଗୁଡ଼ିକର ସାମର୍ଥ୍ୟ ମଧ୍ୟ ବଢ଼ାଇବାକୁ ପଡ଼ିବ । ରାଜ୍ୟଗୁଡ଼ିକର ପ୍ରଗତିରେ ମଧ୍ୟ ଆଖିଦୃଶିଆ ନିବେଶ କରିବାକୁ ହେବ ବୋଲି ସର୍ଭେରେ ଉଲ୍ଲେଖ କରାଯାଇଛି ।
୨୦୨୩-୨୪ ଆର୍ଥିକ ବର୍ଷରେ ସାମଗ୍ରିକ ସକଳ ମୂଲ୍ୟ ବୃଦ୍ଧିରେ କୃଷି, ଶିଳ୍ପ ଓ ସେବା କ୍ଷେତ୍ରର ଅଂଶ ଯଥାକ୍ରମେ ୧୭.୭%, ୨୭.୬% ଏବଂ ୫୪.୭% ରହିଥିଲା । କୃଷି କ୍ଷେତ୍ରରେ ଜିଭିଏରେ ବୃଦ୍ଧି ଜାରି ରହିଥିବା ଜଣାପଡ଼ିଛି ।
ଉତ୍ପାଦନ କ୍ଷେତ୍ରର ଅଭିବୃଦ୍ଧି ହାର ୯.୯% ରହିଥିବାବେଳେ ନିର୍ମାଣ କାର୍ଯ୍ୟକଳାପ ମଧ୍ୟ ୯.୯ ପ୍ରତିଶତ ବଢ଼ିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ହାରାହାରି ୬.୭% ଥିବା ବେଳେ ଆର୍ଥିକ ବର୍ଷ ୨୦୨୩-୨୪ରେ ୫.୪% କୁ ଖସିଆସିଛି ।