ଶତାବ୍ଦୀ ବେଳକୁ ୩୬% ବୁଢ଼ା ହେଇଯିବ ଭାରତ, ଘାରିଲା ବରିଷ୍ଠଙ୍କ ସୁରକ୍ଷା ଚିନ୍ତା

Published By : Prameya-News7 Bureau | June 25, 2024 IST

ନୂଆଦିଲ୍ଲୀ,୨୫/୦୬: ଚୀନ୍‌ ବାଟରେ ଭାରତ । ଦେଶରେ ଦ୍ରୁତ ବେଗରେ ବଢ଼ିଚାଲିଛି ବୟୋବୃଦ୍ଧଙ୍କ ଜନସଂଖ୍ୟା । ଜାତିସଂଘ ରିପୋର୍ଟ ଅନୁସାରେ, ୧୯୫୦ରେ ଭାରତରେ ମୋଟ ଜନସଂଖ୍ୟାର ୫% ରହିଥିଲେ ବରିଷ୍ଠ ନାଗରିକ । ୨୦୧୬ରେ ଏହା ବଢ଼ିଛି ପ୍ରାୟ ୧୦%କୁ । ଆଉ ଅନୁମାନ କରାଯାଉଛି ଯେ, ୨୦୫୦ରେ ଦେଶରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ୧୯%କୁ ବୃଦ୍ଧି ପାଇବ । 

ଅର୍ଥାତ୍‌ ସେତେବେଳକୁ ପ୍ରତି ୫ ଭାରତୀୟଙ୍କ ମଧ୍ୟରେ ଜଣଙ୍କ ବୟସ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ହୋଇଥିବ । ଚିନ୍ତାର ବିଷୟ ହେଉଛି ଭାରତରେ ନାଗରିକମାନେ ଅବସର ପରବର୍ତ୍ତୀ ବିତ୍ତୀୟ ସୁରକ୍ଷାକୁ ନେଇ ଯତ୍ନବାନ ନୁହନ୍ତି । ନିଜର ଆର୍ଥିକ ସ୍ଥିତିକୁ ବ୍ୟବସ୍ଥିତ କରିବା ପୂର୍ବରୁ ହିଁ ସେମାନେ ବୁଢ଼ା ହୋଇଯାଉଛନ୍ତି । ବାର୍ଦ୍ଧକ୍ୟ ଆଡ଼କୁ ଗତି କରୁଥିବା ଭାରତୀୟଙ୍କ ସୁରକ୍ଷା ପାଇଁଁ ସରକାର ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ କରିଦେଲେଣି । 

ସେମାନଙ୍କ ଆର୍ଥିକ ଏବଂ ସାମାଜିକ ସୁରକ୍ଷା ପାଇଁ ଏକ ମଜଭୁତ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି । ହୁଏତ ଆସନ୍ତା ବଜେଟ୍‌ରେ ଏ ଦିଗରେ କୌଣସି ବଡ଼ ଘୋଷଣା ଆସିପାରେ । ଏକ ସର୍ଭେ ଅନୁସାରେ, ପୂର୍ବବର୍ଷ ପ୍ରତି ୩ରେ ଜଣେ ବୃଦ୍ଧଙ୍କ ପାଖରେ ରୋଜଗାରର କୌଣସି ଉତ୍ସ ନ ଥିଲା । ୩୨% ବୟୋଜ୍ୟେଷ୍ଠ ତଥା ସେମାନଙ୍କ ସ୍ୱାମୀ ବା ସ୍ତ୍ରୀଙ୍କ ବାର୍ଷିକ ଆୟ ୫୦,୦୦୦ ଟଙ୍କାରୁ କମ୍‌ ଥିଲା । ମାତ୍ର ୨୯% ବୃଦ୍ଧଙ୍କ ପାଖରେ ସାମାଜିକ ସୁରକ୍ଷା ସ୍କିମ୍‌ ଥିଲା । 

ସୀମିତ ଆୟ, ସଞ୍ଚୟ ଓ ନିବେଶରେ ସେମାନେ ଆର୍ଥିକ ସୁରକ୍ଷିତ ନ ଥିଲେ । ମାତ୍ର ୩୧% ବରିଷ୍ଠ ନାଗରିକଙ୍କ ପାଖରେ ଥିଲା ସ୍ୱାସ୍ଥ୍ୟ ବୀମା। ଏଥିରୁ ଅଧିକାଂଶ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଇଏସ୍‌ଆଇ ଏବଂ ସିଜିଏଚ୍‌ଏସ୍‌ ମାଧ୍ୟମରେ ଜାରି ହୋଇଛି । ମାତ୍ର ୩% ବ୍ୟବସାୟିକ ସ୍ୱାସ୍ଥ୍ୟ ବୀମା ଥିଲା । 

ସ୍ୱାସ୍ଥ୍ୟ ବୀମା ନ ରହିବାର  ମୁଖ୍ୟ କାରଣ ହେଉଛି ସଚେତନତା ଅଭାବ ଏବଂ ଅର୍ଥାଭାବ । ୧୨% ବରିଷ୍ଠ ନାଗରିକଙ୍କ ଅନୁସାରେ, ସେମାନେ ଏହାକୁ ଆବଶ୍ୟକ କରୁନାହାନ୍ତି । ଏଭଳି ସ୍ଥିତିରେ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟଗତ ତଥା ଆର୍ଥିକ, ସାମାଜିକ ଓ ଡିଜିଟାଲ ସହାୟତା ଯୋଗାଇ ଦେବା ପାଇଁ ସରକାର ନୀତିଗତ ପଦକ୍ଷେପ ଉପରେ ବିଚାର କରୁଛନ୍ତି । 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟ ଏବଂ ନୀତି ଆୟୋଗ ସମେତ ସମସ୍ତ ଅଂଶୀଦାର ମନ୍ତ୍ରାଳୟଗୁଡ଼ିକ ଏହା ଉପରେ ବ୍ୟାପକ ଚର୍ଚ୍ଚା ଆରମ୍ଭ କରିଦେଲେଣି । ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ସୂଚନା ମୁତାବକ, ଆସନ୍ତା ମାସ ଆଗତ ହେବାକୁ ଥିବା ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‌ରେ ‘ସିନିୟର କେୟାର’ ବା ବରିଷ୍ଠ ନାଗରିକଙ୍କ ଯତ୍ନ ପାଇଁ ସରକାର ଆକ୍ସନ ପ୍ଲାନ୍‌ ଉନ୍ମୋଚନ କରିପାରନ୍ତି । 

ଭାରତୀୟଙ୍କ ପରମାୟୁ ବଢ଼ିଛି । ଏହାକୁ ଦୃଷ୍ଟିରେ ରଖି କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ) ୨୦୨୨ରେ ଏହାର ଭିଜନ ୪୭’ ଡକ୍ୟୁମେଣ୍ଟରେ ପ୍ରକାଶ କରିଥିଲା ଯେ, ଭାରତ ଏହାର ନାଗରିକଙ୍କ ଅବସର ବୟସକୁ ବଢ଼ାଇପାରିବ । ଏକ ମଜଭୁତ ପେନ୍‌ସନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରି ବରିଷ୍ଠ ନାଗରିକଙ୍କ ଜୀବନକୁ ସହଜ କରାଯାଇପାରିବ । ଆଗାମୀ ବଜେଟ୍‌ରେ ଏ ଦିଗରେ କିଛି ଘୋଷଣା ହୋଇପାରେ ବୋଲି ଅନୁମେୟ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.