ମୋରଡା ୨୦।୧୧: ସୁନାହଜାରୀ ସଂରକ୍ଷିତ ଜଙ୍ଗଲରେ ହାତୀ ମୃତଦେହ ଠାବ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ତଥା ମୋରଡା ବ୍ଲକ ଅଧୀନ ଦୁର୍ଗାପୁର ସଂରକ୍ଷିତ ଜଙ୍ଗଲର ସୁନାହଜାରୀ ନିକଟରେ ଏକ ହାତୀର ମୃତ୍ୟୁ ଘଟିଛି l
ସୂଚନାଯୋଗ୍ୟ ଯେ, ଉକ୍ତ ସଂରକ୍ଷିତ ଜଙ୍ଗଲରେ ଗତ ତିନି ଦିନ ହେବ ଏକ ୧୧ ଟିକିଆ ହାତୀ ପଲ ସ୍ଥାନୀୟ ଗ୍ରାମ ସୁନାହଜାରେ ଉପଦ୍ରବ ଚଳାଇଥିଲେ l ତେବେ ବୁଧବାର ଅପରାହ୍ନ ୨ଟା ସମୟରେ ସୁନାହଜା ଗ୍ରାମର ମହେଶ୍ୱର ମହାନ୍ତ ତାଙ୍କ ବିଲକୁ ପାଣି ଛାଡିବାକୁ ଯାଇଥିଲେ । ସେହି ସମୟରେ ବିଲରୁ ଅଳ୍ପ ଦୂରରେ ଥିବା ଏକ ପଙ୍କ କାଦୁଅ ଦଲଦଲିରେ ହାତୀ ଶୋଇଥିବା ଅବସ୍ଥାରେ ଦେଖିଥିଲେ । ପାଖକୁ ଯାଇ ଦେଖିଲା ବେଳକୁ ଉକ୍ତ ହାତୀଟିର ମୃତ୍ୟୁ ହୋଇଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ, ବେତନଟୀ ରେଞ୍ଜର ମନୱାର ଖାଁ, ଫରେଷ୍ଟର ପ୍ରଶାନ୍ତ କୁମାର ସିଂସାମନ୍ତ, ଦୀପକ କୁମାର ପାତ୍ର, ଫରେଷ୍ଟ ଗାର୍ଡ ବିଜୟ ମହାନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ l ତେବେ ଉକ୍ତ ହାତୀଟିର ବୟସ ୧୦ରୁ ୧୨ବର୍ଷ ହେବ । ହାତୀ ହାତୀ ମଧ୍ୟରେ ଲଢେଇ ତଥା ପଙ୍କ କାଦୁଅ ଦଲଦଲିରେ ପଶି ଅଣନିଶ୍ୱାସୀ ହୋଇ ହାତୀଟି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଏ ନେଇ ଏସିଏଫ ରବିନାରାୟଣ ମହାନ୍ତି ସୂଚନା ଦେଇଛନ୍ତି । ତେବେ ହାତୀର ଶୁଣ୍ଢଟି କାଦୁଅ ଭିତରେ ପଶିଯାଇଥିବା ବେଳେ ପାଟିରୁ ରକ୍ତ ବାହାରୁଥିବା ଦେଖାଯାଇଛି l ଏହାପରେ ଘଟଣାସ୍ଥଳରେ ଏସିଏଫ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି l ଗୁରୁବାର ଉକ୍ତ ମୃତ ହାତୀର ଶବ ବ୍ୟବଚ୍ଛେଦ ସହିତ ଅନ୍ତିମ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି l
You Can Read:
ବାଇକ୍କୁ ଧକ୍କା ଦେଇ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ୍, ଚାଲିଗଲା ଆରୋହୀଙ୍କ ଜୀବନ