ୱାଶିଂଟନ୍ ଡିସି ୨୪/୦୩:ଆମେରିକାର ଏକଚାଟିଆ ନୀତିକୁ ଆଉ ବରଦାସ୍ତ କରିବନି ୟୁରୋପ । ନାଟୋରେ ଆମେରିକାର କ୍ଷମତାକୁ ସଂକୁଚିତ କରାଯିବ । ଏହାର ସାମରିକ ପାଣ୍ଠି ପ୍ରଦାନକୁ ବି କମାଇ ଦିଆଯିବ । ୟୁରୋପୀୟ ଦେଶଗୁଡ଼ିକ ଏଥିପାଇଁ ୫-୧୦ ବର୍ଷର ଯୋଜନା ବନାଉଥିବା ସୂତ୍ରରୁ ଜଣାପଡ଼ିଛି । ରିପୋର୍ଟ ମୁତାବକ, ସାମରିକ ମେଣ୍ଟ ‘ନାଟୋ (ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ)’ରେ ଆମେରିକାର ଯେଉଁ ସ୍ଥାନ ରହିଛି, ତାହାକୁ ବଦଳାଯିବ । ଏହାଠାରୁ ଆଉ ସେତିକି ଅସ୍ତ୍ରଶସ୍ତ୍ର କିମ୍ବା ପାଣ୍ଠି ନିଆଯିବ ନାହିଁ ।
ୟୁରୋପୀୟ ଦେଶ ଓ କାନାଡା ସହାୟତାରେ ନାଟୋର ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ୩୦% ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଫଳରେ ଆମେରିକା ଯଦି ନିଜ ଆଡୁ ନାଟୋରୁ ଓହରିଯାଏ, ତେବେ କୌଣସି ଫରକ ପଡ଼ିବ ନାହିଁ । ୟୁରୋପକୁ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଚଳିତବର୍ଷ ଜାନୁଆରୀରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଡୋନାଲ୍ଡ ଟ୍ରମ୍ପ୍ ନାଟୋରୁ ଓହରିଯିବାକୁ ବାରମ୍ବାର ଧମକ ଦେଉଛନ୍ତି ।
ନାଟୋରେ ଆମେରିକା ଅତ୍ୟଧିକ ପାଣ୍ଠି ଯୋଗାଉଛି । ଏହାଦ୍ୱାରା ଦେଶର ଅର୍ଥନୀତି ଉପରେ କୁପ୍ରଭାବ ପଡୁଥିବା ସେ ଦର୍ଶାଉଛନ୍ତି । ଏହି କ୍ରମରେ ଆମେରିକା ୟୁକ୍ରେନ୍କୁ ସାମରିକ ଓ ଗୁଇନ୍ଦା ସମର୍ଥନ ବନ୍ଦ କରିସାରିଲାଣି । ଏବେ ନାଟୋ ସଦସ୍ୟତା ଛାଡ଼ିବାକୁ ଆମେରିକା ଚାହୁଁଛି । ରିପୋର୍ଟ ଅନୁସାରେ, ନାଟୋର ‘ପରିଚାଳନା’ ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଛି । ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ ଓ ନର୍ଡିକ ରାଷ୍ଟ୍ର (ଡେନ୍ମାର୍କ, ଫିନଲାଣ୍ଡ, ଆଇସଲାଣ୍ଡ ଓ ନରୱେ) ନାଟୋର ପରିଚାଳନା ସ୍ଥାନାନ୍ତର ଲାଗି ଟ୍ରମ୍ପ୍ଙ୍କୁ ଏକ ପ୍ରସ୍ତାବ ଦେଇପାରନ୍ତି । ଏହି ସ୍ଥାନାନ୍ତରଣ ଲାଗି ୫ରୁ ୧୦ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିପାରେ ।
ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ଚଳିତବର୍ଷ ଜୁନ୍ରେ ହେବାକୁ ଥିବା ନାଟୋର ବାର୍ଷିକ ଶିଖର ସମ୍ମିଳନୀ ପୂର୍ବରୁ ଏହି ଯୋଜନାକୁ ଆମେରିକା ସମ୍ମୁଖରେ ଉପସ୍ଥାପନ କରିପାରନ୍ତି । ଆମେରିକା ଉପରୁ ନିର୍ଭରଶୀଳତା କମାଇବା ପାଇଁ ମଧ୍ୟ ବଡ଼ ଯୋଜନା ହାତକୁ ନିଆଯିବ । ବ୍ଲୁମ୍ବର୍ଗ ରିପୋର୍ଟ ମୁତାବକ, ନାଟୋ ନିଜ ଅସ୍ତ୍ରଶସ୍ତ୍ର ଭଣ୍ଡାରଣକୁ ୩୦% ପର୍ଯ୍ୟନ୍ତ ବୃଦ୍ଧି କରିବ ଏବଂ ଏଥିରେ ଆମେରିକାର କୌଣସି ଭୂମିକା ରହିବ ନାହିଁ । ବରଂ ୟୁରୋପୀୟ ଦେଶ ଓ କାନାଡା ଏହାକୁ ପୂରଣ କରିବେ । ଜର୍ମାନୀ, ଫ୍ରାନ୍ସ ଓ ବ୍ରିଟେନ୍ ଭଳି ୟୁରୋପୀୟ ଦେଶଗୁଡ଼ିକ ସେମାନଙ୍କ ପ୍ରତିରକ୍ଷା ବ୍ୟୟ ଓ ସାମରିକ ନିବେଶ ପରିମାଣ ବଢ଼ାଇବା ଲାଗି ପୂର୍ବରୁ ହିଁ ଘୋଷଣା କରିସାରିଛନ୍ତି ।
ରିପୋର୍ଟ ଦର୍ଶାଇଛି ଯେ ୟୁରୋପ ଯେଉଁ ପ୍ରମୁଖ କ୍ଷେତ୍ରରେ ନିଜକୁ ମଜଭୁତ କରିବାକୁ ଚାହୁଁଛି ତାହା ହେଉଛି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, ଡିପ୍-ଫାୟାର କ୍ଷମତା, ଲଜିଷ୍ଟିକ୍ସ, ଯୋଗାଯୋଗ ଓ ସ୍ଥଳଭାଗ ସାମରିକ ବ୍ୟବସ୍ଥା । ନାଟୋର ବାର୍ଷିକ ସାମରିକ ଖର୍ଚ୍ଚ ପରିମାଣ ୩୫୦ କୋଟି ଡଲାର ହୋଇଥିବା ବେଳେ ଆମେରିକା ଏହାର ୧୫.୮% ପ୍ରଦାନ କରିଥାଏ । ସମଗ୍ର ୟୁରୋପରେ ଆମେରିକାର ୮୦ ହଜାରରୁ ୧ ଲକ୍ଷ ସୈନିକ ମୁତୟନ ଅଛନ୍ତି ।
ସରକାରୀ ଅଧିକାରୀଙ୍କ ମୁତାବକ, ୟୁରୋପୀୟ ଦେଶଗୁଡ଼ିକର କ୍ଷମତା ଆମେରିକା ସହ ସମାନ ହେବା ପାଇଁ ପ୍ରାୟ ୫ରୁ ୧୦ ବର୍ଷ ସମୟ ଲାଗିଯିବ । ଆଉ କିଛି ଅଧିକାରୀଙ୍କ ଅନୁସାରେ, ରାଷ୍ଟ୍ରପତି ଟ୍ରମ୍ପ୍ କେବଳ ବୟାନବାଜି କରୁଛନ୍ତି । ସେ ନାଟୋରୁ ଓହରିଯିବା ଲାଗି କେବଳ ତୁଛା ଧମକ ଦେଉଛନ୍ତି । ପ୍ରକୃତରେ ନାଟୋରୁ ବାହାରିବାକୁ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ । ଉଲ୍ଲେଖଯୋଗ୍ୟ, ଆମେରିକା ଓ ୟୁଏସ୍ଏସ୍ଆର (ବର୍ତ୍ତମାନର ରୁଷ) ମଧ୍ୟରେ ଶୀତଳଯୁଦ୍ଧ (୧୯୪୭-୯୧) ପରେ ୟୁରୋପ ନିଜ ସୁରକ୍ଷା ଲାଗି ଆମେରିକା ଉପରେ ଅଧିକ ନିର୍ଭରଶୀଳ ରହିଆସିଛି ।
ଅନେକ ୟୁରୋପୀୟ ଦେଶ ନିଜ ପ୍ରତିରକ୍ଷା କ୍ଷେତ୍ର ଲାଗି ଜିଡିପିର ୨% ରୁ କମ୍ ଖର୍ଚ୍ଚ କରୁଛନ୍ତି । ସେମାନଙ୍କ ସେନା ଏତେ ଦୁର୍ବଳ ହୋଇପଡ଼ିଛି ଯେ ଶକ୍ତିଶାଳୀ ହେବା ପାଇଁ ଅନେକ ବର୍ଷ ଲାଗିଯିବ । ଯଦି ଆମେରିକା ନାଟୋ ଛାଡ଼ିଦିଏ ତେବେ ୟୁରୋପୀୟ ଦେଶଗୁଡ଼ିକୁ ନିଜ ଯୋଜନା ପୂରା କରିବା ପାଇଁ ପ୍ରତିରକ୍ଷା ବାବଦରେ ଜିଡିପିର ୩% ଖର୍ଚ୍ଚ କରିବା ଜରୁରି । ଗୋଳାବାରୁଦ, ପରିବହନ, ଇନ୍ଧନ ଭର୍ତ୍ତି ପାଇଁ ବିମାନ, କମାଣ୍ଡ ଓ କଣ୍ଟ୍ରୋଲ ବ୍ୟବସ୍ଥା, ଉପଗ୍ରହ ଓ ଡ୍ରୋନ୍ ଅଭାବ ପୂରଣ କରିବାକୁ ହେବ ।
ଏ ସବୁ ବର୍ତ୍ତମାନ ଆମେରିକା ତରଫରୁ ଯୋଗାଇ ଦିଆଯାଉଛି । ଏହାଛଡ଼ା ବ୍ରିଟେନ୍ ଓ ଫ୍ରାନ୍ସ ଭଳି ନାଟୋ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାଖରେ ମୋଟ ୫୦୦ ପରମାଣୁ ଅସ୍ତ୍ର ଥିବା ବେଳେ ଏକାକୀ ରୁଷ୍ ପାଖରେ ଏହା ୬ ହଜାରଟି ରହିଛି । ତେଣୁ ଆମେରିକା ଯଦି ନାଟୋରୁ ବାହାରେ, ତେବେ ନାଟୋ ମେଣ୍ଟକୁ ନିଜ ଆଣବିକ ନୀତିକୁ ନୂଆ ଆକାର ଦେବାକୁ ପଡ଼ିବ । ଏହା ବେଶ୍ ବ୍ୟୟସାପେକ୍ଷ ।