୧୩୧ ଦିନ ପରେ ଆମରଣ ଅନଶନରୁ ଓହରିଲେ କୃଷକ ନେତା ଜଗଜିତ ସିଂ ଡଲେଓ୍ଵାଲ

Published By : Prameya-News7 Bureau | April 06, 2025 IST

ନୂଆଦିଲ୍ଲୀ: ୧୩୧ ଦିନ ଧରି ଆମରଣ ଅନଶନରୁ ଓହରିଲେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ଜଗଜିତ ସିଂ ଡଲେଓ୍ଵାଲ।  ଏପ୍ରିଲ ୬ ତାରିଖ ନିଜର ଅନଶନ ସମାପ୍ତ କରିଛନ୍ତି। ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ଓ କୃଷକଙ୍କ ଅନ୍ୟ ଦାବିରେ ସେ ଆମରଣ ଚଳାଇଥିଲେ। ଫତେହଗଡ଼ ସାହିବର ସରହିନ୍ଦ ଶସ୍ୟ ମଣ୍ଡିରେ କୃଷକ ମହାପଞ୍ଚାୟତରେ ଡଲେଓ୍ଵାଲ ଏହାର ଘୋଷଣା କରିବା ସହ ପାଣି ପିଇଛନ୍ତି। 

ଡଲେଓ୍ଵାଲ କହିଛନ୍ତି, କୃଷକଙ୍କ ଅନୁରୋଧକ୍ରମେ ସେ ଆମରଣ ଅନଶନ ସମାପ୍ତ କରିଛି। ଦୀର୍ଘ ସମୟ ଧରି କୃଷକ ଭାଇମାନେ ତାଙ୍କୁ ଅନଶନ ଭାଙ୍ଗିବା ପାଇଁ ଅପିଲ୍ କରି ଆସିଥିଲେ। ଡଲ୍ଲେଓ୍ଵାଲ କୃଷକଙ୍କ ବିଭିନ୍ନ ଦାବିକୁ ନେଇ ୨୦୨୪ ନଭେମ୍ବର ୨୬ରୁ ଆମରଣ ଅନଶନ ଆରମ୍ଭ କରିଥିଲେ। ଗତକାଲି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ  ଡଲ୍ଲେଓ୍ଵାଲଙ୍କୁ ଭେଟି ଅନଶନ ଭାଙ୍ଗିବାକୁ ତାଙ୍କୁ ଅପିଲ୍ କରିଥିଲେ। 

ଚୌହ୍ଵାନ ଡଲେଓ୍ଵାଲଙ୍କୁ ଅନଶନ ଭାଙ୍ଗିବାକୁ ଅନୁରୋଧ କରିବା ସହ କହିଥିଲେ ଯେ, ମେ ୪ରେ କୃଷକଙ୍କ ସହିତ ଚଣ୍ଡିଗଡ଼ରେ ବୈଠକ କରିବେ। ଏହା ପୁର୍ବରୁ ସୁପ୍ରିମକୋର୍ଟରେ ପଞ୍ଜାବ ସରକାର ଜଣାଇଥିଲେ ଯେ, କୃଷକ ନେତା ଡଲ୍ଲେଓ୍ଵାଲ ଆମରଣ ଅନଶନ ସମାପ୍ତ କରିଛନ୍ତି। କିନ୍ତୁ କୃଷକ ସଂଗଠନ ସରକାରଙ୍କ ଏହି ଦାବି ଭୁଲ୍ ବୋଲି କହିଥିଲା। 

Also read: ରାମନବମୀରେ ଖୋଲିଲା ନୂଆ ପମ୍ବନ ବ୍ରିଜ, ପ୍ରଥମ ଥର ଗଡିଲା ରାମେଶ୍ବରମ ତାମ୍ବରମ ଟ୍ରେନ

ଶ୍ରୀ ଫତେହଗଡ଼ ସାହିବରେ କୃଷକଙ୍କ ମହା ପଞ୍ଚାୟତକୁ ସମ୍ବୋଧିତ କରି ଜଗଜିତ ସିଂ ଡଲ୍ଲେଓ୍ଵାଲ କହିଛନ୍ତି, ଏମଏସପି ଓ କୃଷକଙ୍କ ଅନ୍ୟ ଦାବିକୁ ନେଇ ଲଢେଇ ଜାରି ରହିବ। ସରକାର ଆମ ଉପରେ ବହୁତ ବଡ଼ ହମଲା କରିଛନ୍ତି। ଆନ୍ଦୋଳନ ଚାଲିଛି, ଆଗକୁ ବି ଚାଲିବ। ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାର ଜନତାଙ୍କୁ ଭ୍ରମିତ କରିଛନ୍ତି। ଶିଳ୍ପପତିଙ୍କ ଦାବିକୁ ମାନି ଆପ୍ ସରକାର ଆମ ଆନ୍ଦୋଳନକୁ ବଳ ପୂର୍ବକ  ହଟାଇ ରାସ୍ତା ଖୋଲିଛନ୍ତି। 

ସେ ଏହା ମଧ୍ୟ କହିଛନ୍ତି, ନିଜର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ବଞ୍ଚାଇବା ଓ ଲୁଧିଆନା ସିଟ୍‌ ଜିତିବା ପାଇଁ ଆପ୍ ସାଲିସ୍ କରିଛି। ଦିଲ୍ଲୀ ହାରିବା ପରେ ଆପ୍ ସରକାର ବିଚଳିତ ହୋଇ ପଡ଼ିଥିଲା, ସେମାନଙ୍କୁ ଡର ଥିଲା ଯେ, ତାଙ୍କ ସୁପ୍ରିମୋ ଜେଲ୍ ଚାଲି ନ ଯାଆନ୍ତୁ। ପଞ୍ଜାବ ସରକାର କେନ୍ଦ୍ର ସରକାରଙ୍କ ସାମ୍ନାରେ ନତମସ୍ତକ ହୋଇ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କୃଷକଙ୍କ ଉପରେ ହମଲା ନୁହେଁ ବରଂ ପିଠି ପଛ ପଟେ ଛୁରି ଭୁସିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.