ନିଆଁ ଲାଗି ପୋଡିଗଲା ୨ଟି ମୋବାଇଲ ଟାଓ୍ୱାର, ସେବା ବାଧାପ୍ରାପ୍ତ

Published By : Prameya-News7 Bureau | June 21, 2024 IST

ଆନନ୍ଦପୁର ୨୧।୦୬ : ଅଗ୍ନିକାଣ୍ଡ ଘଟି ଜଳିଗଲା ୨ଟି ମୋବାଇଲ ଟାଓ୍ୱାର । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ମୋବାଇଲ୍‌ ଓ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଛି । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ମଙ୍ଗଳଗଡିଆ ଗାଁରେ ନିକଟରେ ଥିବା ୨ଟି ମୋବାଇଲ୍‌ ଟାଓ୍ୱାର ନିଆଁ ଲାଗି ସଂପୂର୍ଣ୍ଣ ଜଳିଯାଇଛି ।  

ସେପଟେ ନିଆଁ ଲାଗିଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଆମେରିକାନ୍‌ ଟାଓ୍ୱାର କମ୍ପାନୀ ପକ୍ଷରୁ ପ୍ରତିଷ୍ଠିତ ୨ଟି ଟାଓ୍ୱାର ମଧ୍ୟରୁ ଗୋଟିଏ ଜିଓ ଏବଂ ଅନ୍ୟଟି ଏୟାରଟେଲ୍‌ କମ୍ପାନୀର ନେଟଓ୍ୱାର୍କ ସେବା ଯୋଗାଇ ଆସୁଥିଲେ । ତେବେ ଟାଓ୍ୱାର ପୋଡିଯିବା ଲାଗି ଆଖପାଖ ଅଞ୍ଚଳରେ ଥିବା କଣ୍ଟାବଣିଆ, କୃଷ୍ଣପୁର, ମଙ୍ଗଳଗଡିଆ, ହରିପୁର ଆଦି ଗାଁରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ବ୍ୟାଘାତ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.