କଟକ ୧୧।୧୨: ସରକାରୀ ଚାକିରି ପାଇବା ନାଁରେ ୮୨ ଜଣ ଆଶାୟୀ ଠକେଇର ଶିକାର ହେଲେଣି । ଠକେଇର ନେଟୱର୍କ ଚାଲିଥିଲା କଟକ ସହର ଭିତରେ । ହେଲେ ଏବେ ଏଇ କଳା କାରବାର ଉପରୁ ଧିରେ ଧିରେ ପରଦା ଉଠିବାରେ ଲାଗିଛି । ଠକେଇ ଅଭିଯୋଗରେ ଗତ ଶନିବାର ୨ ଭାଇଙ୍କୁ ବାନ୍ଧିଥିଲା ମଙ୍ଗଳାବାଗ ଥାନା ପୋଲିସ । ଗତ ରାତିରେ ଆଉ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ପ୍ରାୟ ୨୭ ଲକ୍ଷ ଟଙ୍କା ଏବଂ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ । କିନ୍ତୁ କେବଳ ୫ ନୁହଁନ୍ତି, ଏହି ନେଟୱାର୍କରେ ଆହୁରି ଅଧିକ ଠକ ସମ୍ପୃକ୍ତ ଅଛନ୍ତି । ତେଣୁ ସେମାନଙ୍କୁ ବାନ୍ଧିବା ଲାଗି ଏକ ଟିମ୍ ଗଠନ କରିଛନ୍ତି କଟକ ଡିସିପି ।
କଟକ ଜିଲ୍ଲାର ବିଭିନ୍ନ ସରକାରୀ ହସ୍ପିଟାଲରେ ଆଶାୟୀ ପ୍ରାର୍ଥୀ ମାନଙ୍କୁ ଚାକିରି ଦେବାର ପ୍ରଲୋଭନ ଦିଆଯାଇଥିଲା । କେଉଁ ସ୍ଥାନରେ ନିଯୁକ୍ତି ମିଳିବ, ସେହି ଅନୁଯାୟୀ ଦର କଷୁଥିଲେ ଚାକିରି ଦଲାଲ ମାନେ । ଏହିଭଳି ଠକେଇର ଶିକାର ହୋଇଥିବା ୮୨ଜଣ ପ୍ରାର୍ଥୀ ପୃଥକ ପୃଥକ ଭାବେ ଏତଲା ଦାୟର କରିଛନ୍ତି । ତେବେ ଚିନ୍ତାର କଥା ହେଲା ଏସସିବି ମେଡ଼ିକାଲରେ ଚାକିରି କରାଇ ଦେବା ନାଁରେ ମଧ୍ୟ ଠକେଇ ହୋଇଛି । ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ପୋଲିସ ଗିରଫ କରିଛି । ତେଣୁ ଆଉ କିଏ କିଏ ଏହି ଠକ ଗ୍ରୁପରେ ଅଛନ୍ତି ତାର ଖୋଳତାଡ଼ ଏବେ ଚାଲିଛି । ଯାହାର ଫଳାଫଳ ହୁଏତ ଖୁବ୍ଶୀଘ୍ର ସାମ୍ନାକୁ ଆସିବ ।
ସରକାରୀ ଡାକ୍ତରଖାନାରେ ଏଏନ୍ଏମ୍ ଏବଂ ଜିଏନ୍ଏମ୍ ଚାକିରି ଦେବା ନାଁରେ ଏଭଳି ଠକେଇ କରାଯାଇଛି । ତେବେ ପୂର୍ବରୁ ଗିରଫ ହୋଇଥିବା ୨ ଠକଙ୍କୁ ପଚରାଉଚରା ପାଇଁ ପୋଲିସ ରିମାଣ୍ଡରେ ଆଣିଛି । ସେମାନଙ୍କ ବୟାନ ଅନୁସାରେ ଗିରଫଦାରୀ ସଂଖ୍ୟା ଆଗକୁ ବଢ଼ିପାରେ ।
You Can Read: