କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ଟାଣୁଆ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ। ଶୁକ୍ରବାର ଭୁବନେଶ୍ବରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନରୁ ସେ କିଡନୀ ଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଦେବେନ୍ଦ୍ରଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସାଧାରଣ ଜନତାଙ୍କ ଠାରୁ ଅନେକ କଂଗ୍ରେସ ନେତା ସମସ୍ତେ ଶୋକପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଦେବେନ୍ଦ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି ‘‘ ଜଣେ ଲୋକପ୍ରତିନିଧି ଭାବେ ଜନକଲ୍ୟାଣକାରୀ କାର୍ଯ୍ୟ ଏବଂ ସେବା ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଓମ୍ ଶାନ୍ତି।’’
ସୂଚନାଯୋଗ୍ୟ, ସ୍ବର୍ଗତ ଦେବେନ୍ଦ୍ର ଶର୍ମା କଟକରେ ଜନ୍ମ ଗ୍ରହଣ କରିଥିଲେ। ରେଭେନ୍ସା କଲେଜିଏଟ ସ୍କୁଲରୁ ସେ ନିଜର ସ୍କୁଲ ଶିକ୍ଷା ସଂପୂର୍ଣ୍ଣ କରିଥିଲେ। ସେହିଭଳି ୧୯୮୨ରେ ସେ ମୟୂରଭଞ୍ଜ ଲ’ କଲେଜରୁ ଆଇନରେ ସ୍ନାତକ ହାସଲ କରିଥିଲେ।
ଦେବେନ୍ଦ୍ର ଶର୍ମା ନିଜ ବାପା ଡ. ଦିବାକରଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପାଦ ଥାପିଥିଲେ। କଂଗ୍ରେସରେ ଯୋଗେଦେବା ସହ କେନ୍ଦ୍ରାପଡ଼ା ଜିଲ୍ଲା ସଂଗଠନର ଦାୟିତ୍ବ ସମ୍ଭାଳିବା ସହ AICC ଏବଂ OPCCର ସଦସ୍ୟ ରହିଥିଲେ। ଦେବେନ୍ଦ୍ର ଶର୍ମା ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଆଳିରୁ ବିଧାୟକ ରହିଥିଲେ। ସେ ଓଡ଼ିଶା କ୍ରିକେଟ୍ ସଂଘର ଜଣେ ସକ୍ରିୟ ସଦସ୍ୟ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା କ୍ରିକେଟ୍ ସଂଘର ସଭାପତି ରହିଥିଲେ।
Updating...