ପ୍ରବଳ ବର୍ଷା ଯୋଗୁଁ ୨ ଦିନ ଶିମିଳିପାଳ ବନ୍ଦ, ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି

Published By : Prameya-News7 Bureau | March 22, 2025 IST

କରଞ୍ଜିଆ ୨୨।୦୩ : ପ୍ରବଳ ବର୍ଷା ଯୋଗୁଁ ଶିମିଳିପାଳ ବନ୍ଦ । ପର୍ଯ୍ୟଟକଙ୍କ ପାଇଁ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଶିମିଳିପାଳ ବନ୍ଦ ରହିବ। ଏନେଇ ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୂଖ୍ୟ ବନ୍ୟ ସଂରକ୍ଷକ ପ୍ରକାଶ ଚାନ୍ଦ ଗୋଗୀନେନି ସୂଚନା ଦେଇଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ଶିମିଳିପାଳ ଅଭୟାରଣ୍ୟ ଭିତରେ ପ୍ରବଳ ବର୍ଷା ହେଉଛି । ଏଥିଯୋଗୁଁ ଦିନ ବେଳେ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । କେବଳ ରାତ୍ରୀ ରହଣୀ ପାଇଁ ପୂର୍ବରୁ ବୁକିଂ କରିଥିବା ପର୍ଯ୍ୟଟକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିପାରିବ । ସେଥିପାଇଁ ପର୍ଯ୍ୟଟକଙ୍କ ପାଇଁ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଶିମିଳିପାଳ ବନ୍ଦ ରହିବ। ସ୍ଥିତି ଅନୁଧ୍ୟାନ ପରେ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇପାରେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲାରେ ଗୁରୁବାର ଏବଂ ଶୁକ୍ରବାର ଦୁଇଦିନ ଧରି ଲଗାତାର ବର୍ଷା ହୋଇଛି। ଗୁରୁବାର ଦିନ ଅପରାହ୍ନରେ ଜିଲ୍ଲାର ବାଙ୍ଗରିପୋଷୀ, ବିଶୋଇ, କୁଳିଅଣା, ସାରସକଣା ଓ କରଞ୍ଜିଆ ବ୍ଲକ ଆଦିରେ କୁଆପଥର ମାଡ଼ ସହ ବର୍ଷା ହୋଇଥିବା ବେଳେ ଘର ଦ୍ୱାର ଭାଙ୍ଗିବା ସହ ବ୍ୟାପକ ଫସଲ ହାନୀ ହୋଇଛି । ପ୍ରାଥମିକ ଆକଳନ ଅନୁସାରେ ଜିଲ୍ଲାର ମୋଟ ୧୯ଟି ପଞ୍ଚାୟତର ୪୭ଟି ଗ୍ରାମର ୪୭୭୫ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିରେ ୩୫୦ଟି କଚ୍ଚା ଘର ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥବା ବେଳେ ୧୧ଟି କଚ୍ଚା ଘର ଗୁରୁତର କ୍ଷତିଗ୍ରସ୍ତ ହୋଇଛି । ଏବଂ ୨୯୫ଟି କଚ୍ଚା ଘର ଆଂଶିକ ଭାବେ ନଷ୍ଟ ହୋଇଥିବା ବେଳେ ୪ଟି ଗାଈ ଗୁହାଳ ଘର ନଷ୍ଟ ହୋଇଛି । ଏତଦ୍‌ବ୍ୟତୀତ ଏହି କୁଆପଥର ଝଡ଼ରେ ବିଦ୍ୟୁତ ଯୋଗାଣ, ଜଳ ଯୋଗାଣ, ଗମନାଗମନର ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.