ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆରେ ୪ ସାମ୍ବାଦିକଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ: ବିରୁଦ୍ଧରେ ୨ଟି କେସ୍ କରିଛନ୍ତି ମଣିପୁର ସରକାର

Published By : Prameya-News7 Bureau | September 06, 2023 IST

ନୂଆଦିଲ୍ଲୀ: ମଣିପୁର ଜାତିଗତ ହିଂସାକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ଏଡିଟର୍ସ ଗିଲ୍ଡ ଅଫ୍‌ ଇଣ୍ଡିଆର ୪ ସାମ୍ବାଦିକଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ସୁପ୍ରିମକୋର୍ଟ। ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଏହି ସାମ୍ବାଦିକମାନଙ୍କୁ ସୁରକ୍ଷା ଦିଆଯିବା ସହ ମଣିପୁର ସରକାରଙ୍କୁ ନୋଟିସ୍ କରିଛନ୍ତି ସୁପ୍ରିମ କୋର୍ଟ।

ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ଅଧ୍ୟକ୍ଷାଙ୍କ ସମେତ ୪ ସଦସ୍ୟଙ୍କ ବିରୋଧରେ ହିଂସା ଉସ୍‌କାଇବା ଓ ଶତ୍ରୁତାକୁ ପ୍ରୋତ୍ସାହନ ଦେବା ଭଳି ଅଭିଯୋଗ ଲାଗିଛି। ସେମାନଙ୍କର ରିପୋର୍ଟିଂକୁ ନେଇ ଅଭିଯୋଗ କରିବା ସହ ମଣିପୁର ସରକାର ୪ ଜଣଙ୍କ ବିରୋଧରେ ଦୁଇଟି ମାମଲା ମଧ୍ୟ ରୁଜୁ କରିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ମାମଲା ରୁଜୁ କରିଛନ୍ତି।

ବୁଧବାର(ସେପ୍ଟେମ୍ବର ୬) ସକାଳେ ଏହି ମାମଲାରେ ଜରୁରୀ ଶୁଣାଣି ପାଇଁ ବରିଷ୍ଠ ଓକିଲ ଶ୍ୟାମ ଦିବାନ ଆବେଦନ କରିଥିଲେ। ଏହାପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି।ୃ

ମଣିପୁରରେ ଶତ୍ରୁତାକୁ ପ୍ରୋତ୍ସାହନ କରୁଥିବା ଅଭିଯୋଗରେ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ଫ୍ୟାକ୍ଟ ଫାଇଣ୍ଡିଂ ଟମ୍ ଉପରେ ଦୁଇଟି ଅଭିଯୋଗ ହୋଇଛି ବୋଲି ଦିବାନ କୋର୍ଟଙ୍କୁ ଅବଗତ କରାଇଥିଲେ। ତେବେ ଏଥିପାଇଁ ପ୍ରଥମେ ହାଇକୋର୍ଟରେ କାହିଁକି ଆବେଦନ କଲେ ନାହିଁ ବୋଲି କୋର୍ଟ ଆବେଦନକାରୀଙ୍କୁ ପଚାରିଥିଲେ।  

ଏହାପରେ ଦିବାନ କହିଥିଲେ ଯେ ଖୋଦ୍ ମଣିପୁର ମୁଖ୍ୟମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀ କରି ଏମାନଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। “ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ରେ ବରିଷ୍ଠ ସମ୍ପାଦକମାନେ ବି ଥିଲେ। ସେମାନେ ମଣିପୁର ଯାଇଥିଲେ। ସେଠାରେ ୪ ଦିନ ରହି ବହୁ ସଂଖ୍ୟାର ଲୋକଙ୍କୁ ସାକ୍ଷାତ୍‌ କରି ପ୍ରତିକ୍ରିୟା ନେଇଥିଲେ। ଏହାପରେ ସେପ୍ଟେମ୍ବର ୨ ତାରିଖରେ ରିପୋର୍ଟ ପ୍ରକାଶ ପାଇଥିଲା।” କୋର୍ଟ ସବୁ ଶୁଣିବା ପରେ ଖଣ୍ଡପୀଠ ମାମଲାର ବିଚାର କରି ୪ ସାମ୍ବାଦିକଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି।

ପଢ଼ନ୍ତୁ- ଜି-୨୦ ସମ୍ମିଳନୀରେ ଜିନପିଙ୍ଗ ଅନୁପସ୍ଥିତି ନେଇ ଜୟଶଙ୍କରଙ୍କ ପ୍ରତିକ୍ରିୟା, ନୂଆ କଥା ନୁହେଁ, ଭାରତର କୌଣସି ସମସ୍ୟା ହେବନି

ସୂଚନା ଥାଉକି ମାସାଧିକ କାଳ ହେଲା ମଣିପୁରରେ ଲାଗିଥିବା ହିଂସାକୁ ନେଇ ମିଡିଆ ରିପୋର୍ଟକୁ ଭୁଲ୍ ବୋଲି ମାନି ଏଡିଟର ଗିଲ୍ଡ ଅପ୍ ଇଣ୍ଡିଆ ପକ୍ଷରୁ ଏକ ଟିମ୍ ଉକ୍ତ ସ୍ଥାନକୁ ପଠା ଯାଇ ରିପୋର୍ଟିଂ କରାଯାଇଥିଲା। ସଂସ୍ଥାର ୪ ସାମ୍ବାଦିକ ମଣିପୁର ଗସ୍ତ କରି ବହୁ ଲୋକଙ୍କର ପ୍ରତିକ୍ରିୟା ନେଇଥିଲେ।

ଏହାପରେ ସେପ୍ଟେମ୍ବର ୨ ତାରିଖରେ ୨୪ ପୃଷ୍ଠା ସମ୍ବଳିତ ଏକ ରିପୋର୍ଟ ପ୍ରକାଶ କରିଥିଲେ। ଯେଉଁଥିରେ ମିଡିଆ ଭୁଲ୍ ରିପୋର୍ଟ ଦେଖାଉଛି ଓ ରାଜ୍ୟ ସରକାର ଦଳୀୟ ସ୍ୱାର୍ଥରେ କାମ କରୁଛନ୍ତି ବୋଲି ସଂସ୍ଥା ତା ରିପୋର୍ଟିଂରେ ଦର୍ଶାଇଥିଲା। ଏହାପରେ ମଣିପୁର ସରକାର ନିଜର ବିଫଳତାକୁ ଲୁଚାଇବାକୁ ଯାଇ ଏହି ୪ ସାମ୍ବାଦିକଙ୍କ ଉପରେ ଓଲଟା କେସ୍ ଲଦି ମାମଲା କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.