ସମ୍ବଲପୁର ୧୨।୮: ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ । ବର୍ତ୍ତମାନ ଦୁଇଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଡ୍ୟାମ୍କ ବାମ ପାର୍ଶ୍ବରେ ଗୋଟିଏ ଏବଂ ଡାହାଣ ପାର୍ଶ୍ବରେ ଗୋଟିଏ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ସେପଟେ ଆସନ୍ତା ୧୩ ତାରିଖରେ ରାଜ୍ୟର ୧୭ ଜିଲ୍ଲାରେ ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ସୋନପୁର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ସତର୍କ ସୂଚନା ଜାରି କରିଛନ୍ତି । ଜିଲ୍ଲାପାଳମାନଙ୍କୁ ପ୍ରାକ୍ ପ୍ରସ୍ତୁତି କରିବାକୁ ଅନୁରୋଧ କରିଛନ୍ତି ।
ସେହିପରି ୧୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୧୫ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ସୁନ୍ଦରଗଡ଼ ସମେତ ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସୋମବାର ରାଜ୍ୟରେ କାଁ ଭାଁ କିଛି ସ୍ଥାନରେ ବର୍ଷା ହେବ । ସକାଳ ୮ଟା ୩୦ ପର୍ଯ୍ୟନ୍ତ ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ରବିବାର ସକାଳ ୮ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ମଧ୍ୟରେ ଭବାନୀପାଟଣାରେ ୧୪ ମିଲିମିଟର ବର୍ଷା ହୋଇଥିବା ବେଳେ ଭଦ୍ରକରେ ୯ ମିଲିମିଟର, ମାଲକାନଗିରିରେ ୫ ମିଲିମିଟର ଓ ପାରାଦୀପରେ ୪ ମିଲିମିଟର ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।
You Can Read:
ଲେଙ୍ଗା ଶବରଙ୍କ ଛାତିରେ ଧାରୁଆ ଛୁରୀ ଭୁସି ହତ୍ୟା, ଛାନଭିନ୍ ଆରମ୍ଭ କଲେ ପୋଲିସ