ବ୍ରହ୍ମପୁରରେ ଜମି କିଣାବିକାରେ ଜାଲିଆତି ଘଟଣା, ୪ ଗିରଫ

Published By : Prameya-News7 Bureau | December 22, 2024 IST

ବ୍ରହ୍ମପୁର: ଜମି କିଣାବିକାରେ ଜାଲିଆତି ଘଟଣାରେ ୪ ଜଣଙ୍କୁ ଗିରଫ କଲା ଟାଉନ ପୁଲିସ।ସେମାନଙ୍କଠାରୁ କାଗଜ ପତ୍ର, ଆଧାରକାର୍ଡ ଜବତ କରାଯାଇଛି । ସୂଚନା ଅନୁଯାୟୀ, ଗୁଜରାଟରେ ରହୁଥିବା ଦୁଇ ମହିଳା ପ୍ରଶାନ୍ତି ନାହାକ ଏବଂ କବିତା ନାହାକ ବ୍ରହ୍ମପୁର ଗାନ୍ଧିନଗର ପଞ୍ଚମ ଲାଇନ ନିବାସୀ ହରିକୃଷ୍ଣ ସାହୁଙ୍କ ଠାରୁ କନିଷି ତହସିଲ ଅନ୍ତର୍ଗତ କରାପଲ୍ଲୀ ଅଞ୍ଚଳରେ ଜମି କିଣିଥିଲେ।

କିନ୍ତୁ ବର୍ତ୍ତମାନ ସୁଦ୍ଧା କିଣିଥିବା ଜମିର ପଟ୍ଟା କ୍ରେତାଙ୍କ ନାଁକୁ ପରିବର୍ତ୍ତନ ନହୋଇ ହରିକୃଷ୍ଣଙ୍କ ନାଁରେ ହିଁ ରହିଥିବା ଜଣାପଡ଼ିଥିଲା। ପରେ ପ୍ରଶାନ୍ତି ପଟ୍ଟା ପରିବର୍ତ୍ତନ କରିବା ପାଇଁ ବ୍ରହ୍ମପୁର ସବରେଜିଷ୍ଟର- ୨ରେ ଆବେଦନ କରିଥିଲେ। କବିତାଙ୍କୁ ବ୍ରହ୍ମପୁର ଆସିବା ପାଇଁ ପ୍ରଶାନ୍ତି ଅନୁରୋଧ କରିଥିଲେ। 

କିନ୍ତୁ କବିତା ବ୍ରହ୍ମପୁର ନଆସିବାରୁ ପ୍ରଶାନ୍ତି ଅନ୍ୟ ଜଣେ ମହିଳାଙ୍କୁ କବିତାଙ୍କ ପରିଚୟ ଦେଇ ସବରେଜିଷ୍ଟେର- ୨ କାର୍ଯ୍ୟାଳୟରେ ପଟ୍ଟା କରିବା ପାଇଁ ପ୍ରୟାସ କରିଥିଲେ। ଏପରିକି ଆଧାର କାର୍ଡ ମଧ୍ୟ ଦାଖଲ କରିଥିଲେ। ପରେ ସବରେଜିଷ୍ଟେର ନକଲି ଥିବା ନେଇ ସନ୍ଦେହ କରି ଯାଞ୍ଚ କରିବା ବେଳକୁ ନକଲି ବୋଲି ଧରା ପଡ଼ିଥିଲେ। ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ବ୍ରହ୍ମପୁର ଏସପି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.