ନୂଆଦିଲ୍ଲୀ: ଭାରତୀୟ ଟିମର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ କୋଚିଂ କ୍ୟାରିୟର ଆରମ୍ଭରୁ ହିଁ ବିବାଦରେ ରହିଛି । ତାଙ୍କ ନେତୃତ୍ୱରେ ଭାରତୀୟ ଟିମ୍, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆଠାରୁ ସିରିଜ ପରାଜିତ ହୋଇଛି । ଗମ୍ଭୀରଙ୍କ ସହ ତାଙ୍କ ଟିମ୍ ଉପରେ ବି ପ୍ରଶ୍ନ ଚିହ୍ନ ଉଠୁଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ସୁନୀଲ ଗାଭାସ୍କାର ବଡ଼ ବୟାନ ଦେଇ ଗମ୍ଭୀର ଏବଂ ତାଙ୍କ କୋଚିଂ ଷ୍ଟାଫ୍ କଣ କରୁଛି ବୋଲି ପ୍ରଶ୍ନ କରିଥିଲେ । ଏହାରି ଭିତରେ ଭାରତର ପୂର୍ବତନ କ୍ରିକେଟର ମନୋଜ ତିୱାରୀ କୋଚ୍ ଗମ୍ଭୀରଙ୍କୁ ହିପୋକ୍ରାଟ୍ (କପଟୀ) ବୋଲି କହିଛନ୍ତି ।
ମନୋଜ ତିୱାରୀ ମତରେ ଯେଉଁ କୋଚିଂ ଆଶା କରାଯାଉଥିଲା, ତାହା ଗମ୍ଭୀରଙ୍କ ଦ୍ୱାରା ସମ୍ଭବ ନୁହେଁ । ଏହାସହ ବୋଲିଂ କୋଚ୍ ଭାବେ ମୋର୍ଣ୍ଣେ ମୋର୍କଲ ଏବଂ ବ୍ୟାଟିଂ କୋଚ୍ ଭାବେ ଅଭିଷେକ ନାୟରଙ୍କ ଚୟନକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି । ମନୋଜ ତିୱାରୀ ଏକ ସ୍ଥାନୀୟ ନ୍ୟୁଜ୍ ଚ୍ୟାନେଲକୁ କହିଛନ୍ତି, 'ଗୌତମ ଗମ୍ଭୀର ଜଣେ କପଟୀ ମଣିଷ । ସେ ଯାହା କୁହନ୍ତି, ତାହା କରନ୍ତି ନାହିଁ । ଅଧିନାୟକ (ରୋହିତ) ମୁମ୍ୱାଇରୁ, ଅଭିଷେକ ନାୟର ବି ମୁମ୍ୱାଇରୁ ଆସନ୍ତି । ରୋହିତଙ୍କୁ ଆଗକୁ ବଢାଗଲା । ଏଠି କେହି ବି ଜଲଜ ସକ୍ସେନା ପାଇଁ ମୁହଁ ଖୋଲୁ ନାହାନ୍ତି । ସେ ଭଲ ପ୍ରଦର୍ଶନ କରୁଛି କିନ୍ତୁ ଚୁପ୍ ରୁହେ ।'
ମନୋଜ ତିୱାରୀ କହିଛନ୍ତି, 'ବୋଲିଂ କୋଚଙ୍କ ଆବଶ୍ୟକତା କଣ ? ଯାହା କୋଚ୍ କୁହନ୍ତି, ସେଥିରେ ସହମତି ହେଉଛନ୍ତି । ମୋର୍ଣ୍ଣେ ମୋର୍କଲ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରେ ବୋଲିଂ କୋଚ୍ ଥିଲେ । ଅଭିଷେକ ନାୟର କୋଲକାତା ନାଇଟ୍ ଟାଇଡର୍ସରେ ଗମ୍ଭୀରଙ୍କ ସହ ଥିଲେ । ସେ ଯାହା ନିର୍ଦ୍ଦେଶ ଦେବେ ଦୁହେଁ ଏହାକୁ ବିରୋଧ କରିପାରିବେ ନାହିଁ ବୋଲି ଭାରତୀୟ ଟିମର ମୁଖ୍ୟ କୋଚ୍ ଜାଣନ୍ତି ।'
ମନୋଜ କହିଛନ୍ତି, 'ସେମାନେ ଏକାସଙ୍ଗରେ କିପରି କାମ କରିବେ ? ରୋହିତ୍ ୱାର୍ଲଡ୍ କପ୍ ଜିତିଥିବା କ୍ୟାପ୍ଟେନ । ଅନ୍ୟପଟେ ଗମ୍ଭୀର କ୍ୟାପ୍ଟେନ ଏବଂ ମେଣ୍ଟର ଭାବେ କୋଲକାତାକୁ ଟ୍ରଫି ଜିତାଇଛନ୍ତି । ଗମ୍ଭୀର ଏକାକୀ କେକେଆରକୁ ଟ୍ରଫି ଜିତାଇ ନାହାନ୍ତି । ଆମେ ସମସ୍ତେ ଏକ ହୋଇ ଭଲ ଖେଳିଥିଲୁ । ଜ୍ୟାକ୍ କ୍ୟାଲିସ, ସୁନୀଲ ନାରାୟାଣ ଏବଂ ମୁଁ, ସମସ୍ତେ ଏଥିରେ ଯୋଗଦାନ ଦେଇଛୁ । କିନ୍ତୁ କ୍ରେଡିଟ୍ କିଏ ନେଲା ? ଏଠି ଏପରି ମାହୋଲ ଏବଂ ପିଆର ଅଛି ଯିଏ ତାଙ୍କୁ ସବୁ ଶ୍ରେୟ ଦେବା ପାଇଁ କାମ କରୁଛି ।'
ଅନ୍ୟପଟେ କେକେଆର ପୂର୍ବତନ ଅଧିନାୟକ ଏବଂ ଖେଳାଳି ନୀତୀଶ ରାଣା କୋଚ୍ ଗୌତମ ଗମ୍ଭୀରଙ୍କ ସମର୍ଥନରେ ବାହାରିଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେ ଲେଖିଛନ୍ତି, 'ସମାଲୋଚନା ସତ ଉପରେ ଆଧାରିତ ହେବା ଦରକାର, ବ୍ୟକ୍ତିଗତ ଅସୁରକ୍ଷାକୁ ନେଇ ନୁହେଁ । ମୁଁ ଯେତେ ଜଣଙ୍କୁ ଭେଟିଛି, ସେମାନଙ୍କ ମଧ୍ୟରୁ ଗୌତମ ଭାଇ ଜଣେ ନିସ୍ୱାର୍ଥପର ଖେଳାଳି । ସେ ସବୁବେଳେ ଦାୟିତ୍ୱକୁ ନିଜ କାନ୍ଧକୁ ନିଅନ୍ତି । ପ୍ରଦର୍ଶନୀ କୌଣସି ପିଆର୍ ଆବଶ୍ୟକତା କରେ ନାହିଁ । ଟ୍ରଫିଗୁଡ଼ିକ ତାଙ୍କ ପ୍ରଦର୍ଶନର କଥା କହୁଛି ।'