ଟିମ୍‌ ଇଣ୍ଡିଆର ବେଞ୍ଚ ଷ୍ଟ୍ରେଙ୍ଗଥ୍‌ ଖୋଜା, କିଏ ନେବ ସିନିୟରଙ୍କ ସ୍ଥାନ ?

Published By : Prameya-News7 Bureau | January 09, 2025 IST

ନୂଆଦିଲ୍ଲୀ ୦୯।୦୧: ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ । ୧୦ ବର୍ଷ ପରେ ଟାଇଟଲ ହାତଛଡ଼ା କରିଛି ଟିମ୍‌ ଇଣ୍ଡିଆ । ସିନିୟର ପ୍ଲେୟରଙ୍କ ବିଫଳତା ପାଲଟିଥିଲା ପରାଜୟର ମୁଖ୍ୟ କାରଣ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେଏଲ ରାହୁଲ, ମହମ୍ମଦ ସିରାଜ, ରବିନ୍ଦ୍ର ଜାଡ଼େଜାଙ୍କ ଭଳି ସିନିୟର ପ୍ଲେୟରଙ୍କ ପ୍ରଦର୍ଶନ ରହିଥିଲା ଦୟନୀୟ । ସିନିୟର ଖେଳାଳି ଭାବେ କେବଳ ଯଶପ୍ରୀତ ବୁମରା ଚିତ୍ତାକର୍ଷକ ପ୍ରଦର୍ଶନ କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଭାରତ ଗୋଟିଏ ଟେଷ୍ଟ ଜିତିଥିଲା ।

 ୬ମାସ ପରେ ଖେଳାଯିବ ପରବର୍ତ୍ତୀ ଟେଷ୍ଟ ସିରିଜ୍‌ । ଏଥିପାଇଁ ଟିମ୍‌ ଇଣ୍ଡିଆର ଟେଷ୍ଟ ଟିମ୍‌ରେ ହୋଇପାରେ ବଡ ଅଦଳ ବଦଳ । କାରଣ ଅଷ୍ଟ୍ରେଲିଆ ଗସ୍ତ ସହ ରୋହିତ ଓ କୋହଲିଙ୍କ ଟେଷ୍ଟ କ୍ୟାରିୟର ଏକପ୍ରକାରର ଶେଷ ହୋଇଛି । ଏବେ ଖୋଜାଯିବ ସିନିୟର ଖେଳାଳି ବିକଳ୍ପ । ଦେଖିବାକୁ ଗଲେ ବ୍ୟାଟିଂ ବିଭାଗ ଏକ ପ୍ରକାର ସୁଦୃଢ଼ । କାରଣ ବ୍ୟାଟିଂ ପାଇଁ ଅନେକ ଯୁବ ଖେଳାଳି ପ୍ରାୟ ପ୍ରସ୍ତୁତ । 

ସ୍ପିନ୍‌ ବୋଲିଂ ବିଭାଗର ପରବର୍ତ୍ତୀ ପିଢ଼ିଙ୍କୁ ମଧ୍ୟ ଚୟନକର୍ତ୍ତା ନଜରରେ ରଖିଛନ୍ତି । କିନ୍ତୁ ପେସ୍‌ ବୋଲିଂ ବିଭାଗ ଏବେବି ଅସମ୍ପୂର୍ଣ୍ଣ । ନାହାନ୍ତି ବୁମରାଙ୍କ ସହଯୋଗୀ । ସମୟ ଥିଲା ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ଈଶାନ୍ତ ଶର୍ମାଙ୍କୁ ନେଇ ଗଠିତ ପେସ୍‌ ବାହିନୀ ଟେଷ୍ଟ କ୍ରିକେଟ୍‌ରେ ରାଜ୍‌ କରୁଥିଲା । ବର୍ତ୍ତମାନ ଈଶାନ୍ତ ଅବସର ନେଇ ସାରିଛନ୍ତି । ଆହତ କାରଣରୁ ସାମି ଟିମ୍‌କୁ ଫେରି ନାହାନ୍ତି । ବର୍ତ୍ତମାନ ବୁମରା ମଧ୍ୟ ଆହତ ହୋଇଛନ୍ତି । ଏମାନଙ୍କ ସ୍ଥାନ ପୂରଣ କରିବା ଭଳି ପେସ୍‌ ବୋଲର ପ୍ରସ୍ତୁତ କରିବାରେ ଭାରତ ବିଫଳ । 

ଅନ୍ୟପଟେ ମହମ୍ମଦ ସିରାଜ ୩୬ଟି ଟେଷ୍ଟ ଖେଳି ସାରିଥିଲେ ହେଁ ସେ ‘ଗେମ ଚେଞ୍ଜର’ ପାଲଟୁ ନାହାନ୍ତି । ଏବେ ବି ଲାଇନ ଓ ଲେଙ୍ଗଥ୍‌କୁ ସେଇ ସଂଘର୍ଷ କରୁଛନ୍ତି ସିରାଜ । ଗତ ୪ବର୍ଷ ତଳୁ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଟେଷ୍ଟ କ୍ରିକେଟ୍‌ ପାଇଁ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ  ବାରମ୍ବାର ଆହତ ହେଉଥିବାରୁ ତାଙ୍କ କ୍ୟାରିୟର ମନ୍ଥର ଗତିରେ ଆଗକୁ ବଢୁଛି । ଆକାଶଦୀପ ଓ ମୁକେଶ କୁମାରଙ୍କ ନିକଟରେ ଦକ୍ଷତା ଭରପୁର ରହିଛି । ମାତ୍ର ସେମାନେ ଏପର୍ଯ୍ୟନ୍ତ ବିଦେଶରେ ଚମକ ଦେଖାଇ ନାହାନ୍ତି । ରଣଜୀ କିମ୍ବା ଘରୋଇ କ୍ରିକେଟ୍‌ ଖେଳୁଥିବା ପେସ୍‌ ବୋଲରଙ୍କ ଉପରେ ଚୟନ କର୍ତ୍ତାଙ୍କ ନଜର ରହିଥିଲେ ହେଁ ଏପର୍ଯ୍ୟନ୍ତ ନୂଆ ପେସ୍‌ ବୋଲରଙ୍କୁ ଦେଖିବାକୁ ମିଳୁନାହିନ୍ତି । 

ବ୍ୟାଟିଂ ବିଭାଗରେ ଖୁବଶୀଘ୍ର ୨ଟି ସ୍ଥାନ ଖାଲି ହେବ । ରୋହିତ ଶର୍ମା ଓ ବିରାଟ କୋହଲି ବେଶି ସୁଯୋଗ ପାଇବେନି । ସେହିପରି ରାହୁଲଙ୍କୁ କେବଳ ସୀମିତ ଓଭର କ୍ରିକେଟ୍‌ ଦଳରେ ସୁଯୋଗ ଦିଆଯିବ । ଏହି ୩ ସିନିୟର ଖେଳାଳିଙ୍କ ସ୍ଥାନ ପୂରଣ କରିବା ପାଇଁ ବହୁ ଖେଳାଳି ପ୍ରସ୍ତୁତ । ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ଋତୁରାଜ ଗାଏକୱାଡ୍‌, ଶ୍ରେୟାସ ଆୟର ଓ ରଜତ ପାତିଦାର । ଗାଏକୱାଡ୍‌ ଖୁବ୍‌ଶୀଘ୍ର ଓପନର ଭାବେ ରୋହିତଙ୍କ ସ୍ଥାନ ନେବେ । ବିକଳ୍ପ ବାମ ହାତି ବ୍ୟାଟର ଭାବେ ବର୍ତ୍ତମାନ ଦଳରେ ଜୈସ୍ୱାଲ ଓ ପନ୍ତ ରହିଛନ୍ତି ।

ଦେଖିବାକୁ ଗଲେ ବ୍ୟାଟିଂ କ୍ରମର ୬ନଂ ସ୍ଥାନରେ ଭାରତ ଜଣେ ବାମ ହାତି ବ୍ୟାଟର ଆବଶ୍ୟକ କରୁଛି । ଅଜିତ ଅଗରକର ଓ ତାଙ୍କ ଚୟନ କମିଟି ଉପରେ ଏବେ ଗୁରୁଦାୟିତ୍ୱ । ଇଂଲଣ୍ଡ ଗସ୍ତ ପୂର୍ବରୁ ଚୟନ କମିଟି ଏକ ବେଞ୍ଚ ଷ୍ଟ୍ରେଙ୍ଗଥ୍‌ ପ୍ରସ୍ତୁତ କରିବ । ଏହାପୂର୍ବରୁ ରଣଜୀ ଟ୍ରଫିର ବାକି ସବୁ ମ୍ୟାଚ ଉପରେ ନଜର ରଖିବାକୁ ହେବ । ନୂଆ ଖେଳାଳି ଖୋଜା ହେବେ । କେବଳ ଖେଳାଳିଙ୍କ ପ୍ରଦର୍ଶନ ଦେଖାଯିବ ନାହିଁ । ପେସ୍‌ ବୋଲରଙ୍କୁ ସୁହାଉଥିବା ପିଚ୍‌ କିମ୍ବା ଟର୍ଣ୍ଣିଂ ପିଚ୍‌ରେ ବ୍ୟାଟରଙ୍କ ପ୍ରଦର୍ଶନକୁ ଅଗ୍ରାଧିକାର ମିଳିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.