ଆସୁଛି ଆଉ ଏକ ଲଘୁଚାପ, ୨୨ରୁ ପ୍ରବଳ ବର୍ଷା ନେଇ ଆଶଙ୍କା

Published By : Prameya-News7 Bureau | September 19, 2024 IST

ଭୁବନେଶ୍ୱର ୧୯।୦୯ : ଆସନ୍ତା ୨୨  ତାରିଖରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ଉତ୍ତର ପଶ୍ଚିମ ବଙ୍ଗୋପସାଗର  ଓ ସଂଲଗ୍ନ ପଶ୍ଚିମବଙ୍ଗରେ ୨୨ରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଏହା ପ୍ରଭାବରେ ୨୪ ତାରିଖ ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କରାଇଛନ୍ତି ।  ପୁଣି ବର୍ଷା ହେଲେ ବାଲେଶ୍ୱର ଓ ମୟୂରଭଞ୍ଜ ବନ୍ୟା ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି ।  

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ ପୂର୍ବାନୁମାନ କରି  କହିଛନ୍ତି, ଏବେ କୌଣସି ସିଷ୍ଟମ ନାହିଁ। ସକ୍ରିୟ ଥିବା ମୌସୁମୀ ବାୟୁ ପ୍ରଭାବରେ  ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ତେବେ  ଆସନ୍ତା ୨୨ରେ ପୁଣି ଲଘୁଚାପ ସୃଷ୍ଟି ହେବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ  ପଶ୍ଚିମବଙ୍ଗରେ ହେବାକୁ ଥିବା ଏହି ଲଘୁଚାପ  ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମ  ଓଡ଼ିଶାରେ ଦୁଇ ଦିନ ଭାରୀ ବର୍ଷା ହେବ।  

ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍‌ଆରସି) ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,  ବାଲେଶ୍ୱରର ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। କିନ୍ତୁ ଜଳସ୍ତର କ୍ରମଶଃ କମୁଛି ।  ବନ୍ୟାରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ବସ୍ତା ଓ ଭୋଗରାଇ ବ୍ଲକ୍‌ର ତଳିଆ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲାର ୬ଟି  ବ୍ଲକ୍‌ ବନ୍ୟାରେ ପ୍ରଭାବିତ ହୋଇଛି। ୧୪୧ଟି  ଗାଁର ୩୫ହଜାର ୬୫୪ ଲୋକ କ୍ଷତିଗ୍ରସ୍ତ  ହୋଇଛନ୍ତି। ବନ୍ୟା ଅଞ୍ଚଳରୁ ୧୧ ହଜାର  ୬୩୨ ଜଣଙ୍କୁ ଉଦ୍ଧାର କରାଯାଇଛି । 

ମୟୂରଭଞ୍ଜ ଜିଲ୍ଲାର ୧୦୧ଟି ଗାଁର ୨୦୩୫  ଜଣ ପ୍ରଭାବିତ ହୋଇଛନ୍ତି । ବନ୍ୟାରେ ଫସି ରହିଥିବା ୧୬୦୩ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୩୩୪ଟି ଘର  କ୍ଷତିଗ୍ରସ୍ତ ହୋଇଛି। ବାଲେଶ୍ୱର ଓ ମୟୂରଭଞ୍ଜ  ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଉ ୨୪ ଘଣ୍ଟା ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି କେନ୍ଦୁଝର ଜିଲ୍ଲାର ୫ଟି ବ୍ଲକ୍‌ର ୧୧୬୦ ଜଣ  ଓ ସୁନ୍ଦରଗଡ଼ ଜିଲ୍ଲାର ୧୫୩ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ।

  • Weather
  • Weather Forecast
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.