ଭରତପୁର ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମେଜରଙ୍କ ବାନ୍ଧବୀ, କାନ୍ଦି କାନ୍ଦି କହିଲେ...

Published By : Prameya-News7 Bureau | September 19, 2024 IST

ଭୁବନେଶ୍ଵର: ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଏବଂ ନିର୍ଯାତନା ମାମଲାରେ ଆସିଛି ସଂଗୀନ ତଥ୍ୟ। ଏମ୍ସ ହସପିଟାଲରେ ଚିକିତ୍ସାଧୀନ ମେଜରଙ୍କ ବାନ୍ଧବୀ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। କାନ୍ଦି କାନ୍ଦି ବଖାଣୀଛନ୍ତି ଅସହ୍ୟ ନିର୍ଯାତନାର ଘଟଣାସବୁ। ଯାହା ଶୁଣିଲେ ଯେ କେହି ଚିନ୍ତିତ ଓ ମର୍ମାହତ ହେବ। ମେଜରଙ୍କ ବାନ୍ଧବୀ ପୋଲିସ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ କହିଛନ୍ତି ନିର୍ଯାତନା, ଅସଦାଚରଣ ସହ ତାଙ୍କ ସହ ଅଶ୍ଳୀଳତାର ସବୁ ସୀମା ଟପିଛନ୍ତି ପୋଲିସ କର୍ମଚାରୀ । ଭରତପୁର ଥାନା ଅଧିକାରୀ ମଧ୍ୟ ତାଙ୍କୁ ଅତି ଅଶ୍ଳୀଳ ନିର୍ଯାତନା ଦେଇଥିବା ନେଇ ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇଛନ୍ତି ମେଜରଙ୍କ ବାନ୍ଧବୀ। ଡଜନେରୁ ଅଧିକ ମିଡିଆ ବୁମ ଆଗରେ ଯୁବତୀ ଜଣଙ୍କ ବଖାଣୀଛନ୍ତି, ତାଙ୍କ ସହ ସେହି ରାତି ତମାମ ପୋଲିସ୍ କର୍ମଚାରୀମାନଙ୍କ ଦୁର୍ବ୍ୟବହାରର ଘଟଣାସବୁ । ଏପରିକି ସେହି ରାତିରେ ତାଙ୍କ ପ୍ରତି ପୋଲିସ କରିଥିବା ଅମାନୁଷିକ ଅତ୍ୟାଚାରର ଘଟଣା ବଖାଣିବା ସମୟରେ କାନ୍ଦି କାନ୍ଦି କଥା କହିପାରି ନାହାନ୍ତି ମେଜରଙ୍କ ବାନ୍ଧବୀ।

କୋହଭରା କଣ୍ଠରେ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ପୀଡ଼ିତା ଜଣଙ୍କ ଭରତପୁର ଥାନାର ପୂର୍ବତନ ଆଇଆଇସିଙ୍କ ବିରୁଦ୍ଧରେ ଅଶ୍ଳୀଳ ଯୌନ ଆଚରଣର ଅଭିଯୋଗ କରିଛନ୍ତି। ଗତ ଶନିବାର ରାତିର ଘଟଣା ସମ୍ପର୍କରେ କାନ୍ଦି କାନ୍ଦି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କହିଛନ୍ତି। ସେ ଜଣେ ଓକିଲ ତଥା ପୀଡ଼ିତା  ହିସାବରେ ପୋଲିସ ସମ୍ମୁଖରେ ନିଜ ଉପରେ ହୋଇଥିବା ନିର୍ଯାତନାକୁ ଏଫଆଇଆର ରଖିବାକୁ ଦାବି କରୁଥିଲେ। ଅଥଚ ଉଭୟ ମହିଳା ଓ ପୁରୁଷ ପୁଲିସ ତାଙ୍କୁ ମାଡ଼ ମାରିବା ସହ ବାନ୍ଧିବା ଏବଂ ଶାରୀରିକ ଆକ୍ରମଣ ସହ ନିର୍ଯାତନା ଦେଇଥିଲେ। ତାଙ୍କ ପୁରୁଷ ବନ୍ଧୁ ଜଣେ କର୍ମଚାରୀ ହୋଇଥିବା ସେ କହିଥିଲେ ମଧ୍ୟ ତାଙ୍କୁ ବି ପୁଲିସ ଗୋଟେ ଘରେ ବଳପୂର୍ବକ ବନ୍ଦ କରିଦେଇଥିଲେ। ରାତି ଗୋଟାଏ ବେଳେ ସେ କିଛି ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇ ଥାନାକୁ ସୁରକ୍ଷା ଓ ନ୍ୟାୟ ପାଇଁ ଯାଇଥିଲେ। କିନ୍ତୁ ଅଭିଯୋଗ ରଖିବା ବଦଳରେ ପୁଲିସ ତାଙ୍କୁ ଅଭିଯୁକ୍ତ ସଜାଇ ଦେଲେ। ଗିରଫ କରି ଜେଲ୍ ପଠାଇଲେ। ଏହା କେଉଁଭଳି ଆଇନ ଓ ନିୟମ ବୋଲି ପ୍ରଶ୍ନ କରିଛନ୍ତି ପୀଡ଼ିତା।

ପ୍ରଥମେ ମାନ୍ୟବାର ହାଇକୋର୍ଟ, ଗଣମାଧ୍ୟମ ଏବଂ ସେନା ବିଭାଗକୁ ଧନ୍ୟବାଦ ଦେଇ ପୁଲିସ ବର୍ବରତା କାହାଣୀ ବଖାଣୀ ଥିଲେ ମେଜରଙ୍କ ପ୍ରେମିକା। ତାଙ୍କ କହିବା ଅନୁଯାୟୀ, ଘଟଣା ଦିନ ରାତିରେ ସେ ତାଙ୍କ ରେସ୍ତୋରାଁ ବନ୍ଦ କରି ଘରକୁ ଫେରୁଥିଲେ। ସାଙ୍ଗରେ ପୁରୁଷ ବନ୍ଧୁ ମେଜର ଜଣଙ୍କ ଥିଲେ। ବାଟରେ କିଛି ଯୁବକ ତାଙ୍କ ଗାଡ଼ି ଆଗରେ ଗାଡ଼ି ରଖି ଗଣ୍ଡଗୋଳ ସହ ଆକ୍ରମଣ ଉଦ୍ୟମ କରିଥିଲେ। ସୁରକ୍ଷା ପାଇଁ ମେଜର ଓ ତାଙ୍କ ବାନ୍ଧବୀ ଭରତପୁର ଥାନାକୁ ଯାଇଥିଲେ। ସେତେବେଳେ ରାତି ପ୍ରାୟ ଗୋଟାଏ ହେବ। 

ପୀଡ଼ିତା କହିଛନ୍ତି, ସେହି ରାତିରେ ଜଣେ ଲେଡୀ କନଷ୍ଟେବଲ ଥାନାରେ ଥିଲେ। ରାସ୍ତାରେ ତାଙ୍କ ପ୍ରତି ଦୁର୍ବ୍ୟବହାର କରିଥିବା ଯୁବକମାନଙ୍କ ବିରୋଧରେ ଏଫଆଇଆର ରୁଜୁ କରିବାକୁ ତାଙ୍କୁ ସେ କହିଥିଲେ। କିନ୍ତୁ ଏଫଆଇଆର ନ ଲେଖି କନଷ୍ଟେବଲ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ପ୍ରଥମେ  ଚୁଟି ଧରି ଘୋଷାଡି ନେଇଥିଲେ ତା ପରେ ପରେ ଜଣେ ଲେଡି କନେଷ୍ଟବଲ ତାଙ୍କ ବେକ ଧରିଥିବା ବେଳେ ଅନ୍ୟ ଜଣେ କନେଷ୍ଟବଲ ତାଙ୍କ ଜ୍ୟାକେଟରେ ତାଙ୍କ ହାତ ବାନ୍ଧି ଦେଇଥିଲେ ଏବଂ ଅନ୍ୟ ଜଣେ ଲେଡୀ କନେଷ୍ଟବଳ ତାଙ୍କ ଗୋଡ଼ ବାନ୍ଧି ଦେଇ ରୁମରେ ବନ୍ଦ କରିଦେଇଥିଲେ । ଏହି ସମୟରେ ସେ ସେମାନଙ୍କ କବଳରୁ ମୁକୁଳିବା ପାଇଁ ଜଣେ ଲେଡୀ କନଷ୍ଟେବଳଙ୍କ ହାତକୁ କାମୁଡି ଦେଇଥିଲେ।  ନିଜର ପ୍ରତିରକ୍ଷା ପାଇଁ ସେ ଚିତ୍କାର କରିବାରୁ ପୁରୁଷ କନେଷ୍ଟବଳ ଏବଂ ଲେଡୀ କନେଷ୍ଟବଲ ମିଶିକି ମାଡ଼ ମାରିଥିଲେ  ଏବଂ ରୁମରେ ବନ୍ଦ କରି ଦେଇଥିଲେ। ପରେ ପାଟ୍ରୋଲିଂରୁ ଫେରିଥିବା କିଛି ମହିଳା ଓ ପୁଲିସ କର୍ମଚାରୀ ସେମାନଙ୍କ ସହ ମିଶି ତାଙ୍କୁ ଖରାପ ବ୍ୟବହାର କରିଥିଲେ। ଜଣେ ପୁରୁଷ ପୁଲିସ ତାଙ୍କ ଅନ୍ତଃବସ୍ତ୍ର ଖୋଲି ଶରୀରର ସମ୍ବେଦନଶୀଳ ସ୍ଥାନକୁ ଗୋଇଠା ମାରିଥିଲେ ବୋଲି ମେଜରଙ୍କ ବାନ୍ଧବୀ ଅଭିଯୋଗ କରିଛନ୍ତି। ତେବେ ଆଇଆଇସି ସବୁ ସୀମା ଟପି ଯାଇଥିଲେ। 

ସକାଳ ପ୍ରାୟ ୬ଟାରେ ଆଇଆଇସି ଥାନାକୁ ଆସିିଥିଲେ। ସେ ଅଶ୍ଳୀଳତାର ସବୁସୀମା ଟପିଥିଲେ। ତାଙ୍କ ଆଚରଣ ଯୌନ ନିର୍ଯାତନା ଭଳି ଥିଲା ବୋଲି ମେଜରଙ୍କ ବାନ୍ଧବୀ ଅଭିଯୋଗ କରିଛନ୍ତି। ସେ ସ୍ପଷ୍ଟଭାବେ ତା ବର୍ଣ୍ଣନା କରିଥିଲେ ବି ଗଣମାଧ୍ୟମର ସୀମା ଦୃଷ୍ଟିରୁ ଆମେ ଏଠାରେ ତାହା ବର୍ଣ୍ଣନା କରିପାରୁ ନାହୁଁ, କିନ୍ତୁ ସେହି ଅଡିଓ ରେକର୍ଡ ଆମ ପାଖରେ ଅଛି। ଏସବୁ କହିବା ବେଳେ ପୀଡ଼ିତା ଜଣଙ୍କ କାନ୍ଦ ବନ୍ଦ କରିପାରି ନଥିଲେ। ଏପରିକି ସେ ଆଉ କଥା ବି କହିପାରି ନଥିଲେ। ତେବେ ପୀଡ଼ିତାଙ୍କ ଏପର ସଙ୍ଗୀନ ଅଭିଯୋଗ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। 

ସୂଚନା ଯୋଗ୍ୟ ଯେ ୧୪ ତାରିଖ ରାତିରେ  ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟହାର ଘଟଣା ନେଇ କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ବି ଚର୍ଚ୍ଚା ଲାଗି ରହିଛି। ହାଇକୋର୍ଟ ଏହି ମାମଲାରେ ମେଜରଙ୍କ ବାନ୍ଧବୀଙ୍କୁ ଜାମିନ ଦେଇଥିବା ବେଳେ, ନିମ୍ନ ଅଦାଲତଙ୍କ ଜାମିନ ଖାରଜକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ହାଇକୋର୍ଟଙ୍କ ତତ୍ତ୍ୱାବଧନାରେ ତଦନ୍ତ ଚାଲିବ। ଅନ୍ୟପକ୍ଷରେ କ୍ରାଇମ ବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବା ବେଳେ ଆଇଆଇସିଙ୍କ ସମେତ ୫ ଜଣ ପୁଲିସ କର୍ମଚାରୀଙ୍କୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସସପେଣ୍ଡ କରିଛନ୍ତି। ଏପଟେ ପୂର୍ବତନ ସେନା କର୍ମଚାରୀ ସଂଘ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି।

                                            

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.