ଭୁବନେଶ୍ୱର: ଭାରତୀୟ ପରିବାରମାନଙ୍କର ଘରୋଇ ଖର୍ଚ୍ଚକୁ ନେଇ ପରିସଂଖ୍ୟାନ ମନ୍ତ୍ରଣାଳୟ ରିପୋର୍ଟ ଜାରି କରିଛି। ଏଥିରେ ଜଣାପଡ଼ିଛି ଯେ ଘରୋଇ ଖର୍ଚ୍ଚ ଗତ ୧୦ ବର୍ଷରେ ଦୁଇଗୁଣାରୁ ଅଧିକ ବଢ଼ିଯାଇଛି। ସେହିପରି ରାଜ୍ୟଗୁଡ଼ିକର ଖର୍ଚ୍ଚକୁ ହିସାବକୁ ନେଲେ ଆମ ରାଜ୍ୟ ଓଡ଼ିଶା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସହ ୨୦ ତମ ସ୍ଥାନରେ ରହିଛି। ସବୁଠାରୁ ଅଧିକ ଖର୍ଚ୍ଚ କରୁଛନ୍ତି ସିକ୍କିମବାସୀ ଓ ସବୁଠାରୁ କମ ଛତିଶଗଡ଼। ପରିସଂଖ୍ୟାନ ମନ୍ତ୍ରଣାଳୟ ଅଧୀନସ୍ଥ ନ୍ୟାସ୍ନାଲ ସାମ୍ପଲ ସର୍ଭେ ଅଫିସ୍(ଏନ୍ଏସ୍ଏସ୍ଓ) ଏହି ସର୍ଭେ କରିଛି।
ସର୍ଭେ ରିପୋର୍ଟ ଅନୁସାରେ, ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଖର୍ଚ୍ଚ ବୃଦ୍ଧି ପାଇଛି। ଅଗଷ୍ଟ -୨୦୨୨ ରୁ ଜୁଲାଇ -୨୦୨୩ ମଧ୍ୟରେ ଗ୍ରାମାଞ୍ଚଳରେ ଜଣେ ବ୍ୟକ୍ତିଙ୍କର ମାସିକ ଖର୍ଚ୍ଚ ୩୭୭୩ ଟଙ୍କାକୁ ବୃଦ୍ଧି ପାଇଛି। ଯାହା ୨୦୧୧-୨୦୧୨ ତୁଳନାରେ ୧୪୩୦ ଟଙ୍କା ଥିଲା। ଏହି ଅବଧିରେ ସହରାଞ୍ଚଳରେ ମୁଣ୍ଡପିଛା ବ୍ୟୟ ପ୍ରତି ମାସରେ ୬୪୫୯ ଟଙ୍କାକୁ ବୃଦ୍ଧି ପାଇଛି। ପୂର୍ବରୁ ଏହା ୨୬୩୦ ଟଙ୍କା ଥିଲା।
ଓଡ଼ିଶାରେ ପ୍ରତି ବ୍ୟକ୍ତି ମାସିକ ଖର୍ଚ୍ଚ କେତେ ?
ରାଜ୍ୟଗୁଡିକର ଖର୍ଚ୍ଚ ଦେଖିଲେ ସିକ୍କିମରେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଲୋକ ଅଧିକ ଖର୍ଚ୍ଚ କରୁଛନ୍ତି। ଏଠାରେ ଜଣେ ଗ୍ରାମବାସୀ ପ୍ରତି ମାସରେ ୭୭୩୧ ଟଙ୍କା ଏବଂ ସହରି ଲୋକ ୧୨୧୦୫ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନ୍ୟପଟେ ଛତିଶଗଡରେ ଜଣେ ଗ୍ରାମିଣ ବ୍ୟକ୍ତି ୨୪୬୬ ଟଙ୍କା ଏବଂ ଜଣେ ସହରି ବ୍ୟକ୍ତି ପ୍ରତି ମାସରେ ୪୪୮୩ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହା ଅନ୍ୟ ରାଜ୍ୟ ଠାରୁ ସର୍ବନିମ୍ନ। ଖାଦ୍ୟ ପାଇଁ ମାସିକ ଖର୍ଚ୍ଚ ଗ୍ରାମାଞ୍ଚଳରେ ୧୭୫୦ ଟଙ୍କା ଏବଂ ସହରାଞ୍ଚଳରେ ୨୫୩୦ ଟଙ୍କା ଖର୍ଚ୍ଚ କରୁଛନ୍ତି। ଆମ ରାଜ୍ୟ ଓଡ଼ିଶାରେ ଗ୍ରାମାଞ୍ଚଳରେ ପ୍ରତି ବ୍ୟକ୍ତିର ମାସିକ ଖର୍ଚ୍ଚ ୨୯୫୦ ରହିଥିବା ବେଳେ ସହରାଞ୍ଚଳରେ ମାସିକ ଖର୍ଚ୍ଚ ୫୧୮୭ ଟଙ୍କା ଖର୍ଚ୍ଚ କରୁଛନ୍ତି।
ପଢ଼ନ୍ତୁ-ଭାରତୀୟମାନେ ଖାଇବାରେ କମ୍, ଟିଭି ଫ୍ରିଜ୍ରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି: ରିପୋର୍ଟ
ରିପୋର୍ଟରେ କୁହାଯାଇଛି ଯେ ମୂଲ୍ୟ ବୃଦ୍ଧି ହେବାର କାରଣରୁ ଫାଷ୍ଟ ମୁଭିଂ କଞ୍ଜ୍ୟୁମର ସାମଗ୍ରୀ(FMCG) ଉପରେ ଅଧିକ ଚାପ ପଡ଼ିଛି। ଭାରତୀୟ ପରିବାରମାନେ ୨୦୨୩ରେ ବିସ୍କୁଟ, ସାବୁନ, ଶାମ୍ପୁ, ଟୁଥପେଷ୍ଟ, ଜାମ ଏବଂ ଫ୍ଲୋର କ୍ଲିନର୍ ଇତ୍ୟାଦି ଦ୍ରୁତ ଗତିରେ ବିକ୍ରି ହେଉଥିବା ସାମଗ୍ରୀ ଉପରେ ୫.୪ ଟ୍ରିଲିୟନ୍ ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୯ ଠାରୁ ଏହି ଖର୍ଚ୍ଚ ପ୍ରାୟ ୪୫% ବୃଦ୍ଧି ପାଇଛି।
୧୧ ବର୍ଷ ପରେ ଆସିଲା ରିପୋର୍ଟ
ସୂଚନା ଥାଉକି ୧୧ ବର୍ଷ ପରେ ସରକାର ଏଭଳି ରିପୋର୍ଟ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାର ପ୍ରତି ପାଞ୍ଚ ବର୍ଷରେ MPCE ତଥ୍ୟ ପ୍ରକାଶ କରନ୍ତି। କିନ୍ତୁ ତଥ୍ୟର ମାନ ଉପରେ ପ୍ରଶ୍ନ ଉଠୁଥିବାରୁ ୨୦୧୭-୧୮ରେ ରିପୋର୍ଟ ଦିଆଯାଇ ନଥିଲା। ସଦ୍ୟତମ ସର୍ଭେ ରିପୋର୍ଟରୁ ଭାରତୀୟଙ୍କ ଖର୍ଚ୍ଚର ପେଟର୍ଣ୍ଣ ବିଷୟରେ ସୂଚନା ମିଳିଛି। ଯାହା ଅର୍ଥବ୍ୟବସ୍ଥାର ଚାହିଦାର ଆକଳନ କରିବାରେ ବହୁତ ଆବଶ୍ୟକ ହେବ। ଏଥିସହିତ ଜିଡିପି ଡାଟାର ଗଣନା ପାଇଁ ମଧ୍ୟ ଏହି ତଥ୍ୟର ବ୍ୟବହାର କରାଯାଇପାରେ।