ଆଇସିସି ଚାମ୍ପିଅନ୍ସ ଟ୍ରଫି; ଟସ୍ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

Published By : Prameya-News7 Bureau | February 23, 2025 IST

ଦୁବାଇ: ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ସନଡେ’ ବିଗ୍ ଫାଇଟ୍ । ଦୁଲୁକୁଛି ଦୁବାଇ ଗ୍ରାଉଣ୍ଡ, ମୁହାଁମୁହିଁ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ । ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ପାକିସ୍ତାନ । ତେଣୁ ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ । ୧୬ ମାସ ପରେ ଦିନିକିଆ  ଫର୍ମାଟରେ ଦେଖିବାକୁ ମିଳିବ ମହାଲଢ଼େଇ । ଏହି ମ୍ୟାଚ୍‌କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଡ଼ିବାରେ ଲାଗିଛି । 

ଟିମ୍ ରିଜଓ୍ବାନକୁ ମାତ୍ ଦେବାକୁ ରୋହିତ ସେନା ନୂଆ ରଣନୀତି ପ୍ରସ୍ତୁତ କରିଛି । ଟିମ୍ ଇଣ୍ଡିଆ ଆଜି ବିଜୟୀ ହେଲେ ସିଧା ସେମି ଫାଇନାଲରେ ପ୍ରବେଶ କରିବ । ମାତ୍ର ପାକିସ୍ତାନ ପାଇଁ କଠିନ ସମୟ । ଆଜିର ମ୍ୟାଚ୍‌ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ନ୍ୟୁଜିଲାଣ୍ଡ  ବିପକ୍ଷରେ ପ୍ରଥମ ମ୍ୟାଚ୍‌ ହାରି ସାରିଥିବା ପାକ୍ ଦଳ ଆଉ ଗୋଟିଏ ମ୍ୟାଚ୍‌ ହାରିଲେ ଟାଇଟଲ ଦୌଡ଼ରୁ ବାଦ୍ ପଡ଼ିବ । ଭାରତ ବିପକ୍ଷରେ ପାକିସ୍ତାନର ରେକର୍ଡ ଭଲ  ରହିଛି । ଉଭୟ ଦଳ ଚାମ୍ପିଅନ୍ସ ଟ୍ରଫିରେ ପରସ୍ପରକୁ ୫ଥର ଭେଟିଛନ୍ତି । ଏଥିରୁ ପାକିସ୍ତାନ ୩ଟି ମ୍ୟାଚ୍‌ ଜିତିଥିବା ବେଳେ ଭାରତକୁ ୨ଥର ବିଜୟ ମିଳିଛି ।

୨୦୧୭ ସଂସ୍କରଣର ଫାଇନାଲ୍‌ ପରାଜୟକୁ ଭୁଲି ନାହିଁ ଭାରତ । ପାକିସ୍ତାନର କ୍ଷମତା ସହ ବେଶ୍‌ ଭଲ ଭାବେ ପରିଚିତ ଟିମ୍ ଇଣ୍ଡିଆ । ତେଣୁ ଆଜିର ମ୍ୟାଚ୍‌କୁ ହାଲକାରେ ନେବ ନାହିଁ ଦଳ । ପାକିସ୍ତାନକୁ  ହରାଇ ୮ବର୍ଷ ତଳର ପରାଜୟର ପ୍ରତିଶୋଧ ନେବାକୁ ଦଳ ପ୍ରୟାସ କରିବ । ସୁପର ସନଡେ’ ମ୍ୟାଚରେ ସମସ୍ତଙ୍କ ନଜର ଶୁଭମନ ଗିଲ୍‌ଙ୍କ  ଉପରେ ରହିବ । ବାଂଲାଦେଶ ବିପକ୍ଷରେ ସେ ମ୍ୟାଚରେ ବିଜୟୀ  ଶତକ ମାରିଥିଲେ ସେ । ଦିନିକିଆ ଫର୍ମାଟରେ ଟପ୍ ଫର୍ମରେ ରହି ଶୀର୍ଷ ମାନ୍ୟତା ପ୍ରାପ୍ତ କରିଥିବା ବ୍ୟାଟରଙ୍କ ଠାରୁ  ଆଉ ଏକ ବଡ଼ ଇନିଂସର ଆଶା ରଖିବେ କ୍ରିକେଟ୍‌ ପ୍ରେମୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.