ନୂଆଦିଲ୍ଲୀ: ରେସଲରଙ୍କ ଦ୍ଵାରା ଜାରି ଆନ୍ଦୋଳନ ମଧ୍ୟରେ ଭାରତର ତାରକା ବକ୍ସର ତଥା କଂଗ୍ରେସ ନେତା ବିଜେନ୍ଦର ସିଂଙ୍କ ବଡ଼ ଟିପ୍ପଣୀ ସାମ୍ନାକୁ ଆସିଛି। ରେସଲରଙ୍କ ଦ୍ଵାରା ପଦକ ଫେରାଇବା ଉପରେ ବିଜେନ୍ଦର କହିଛନ୍ତି, ଯଦି ଏତିକିରେ ସରକାରଙ୍କ ମନ ଭରୁନି ତେବେ ଖେଳାଳି ଅର୍ଥ ଫେରାଇବାକୁ ମଧ୍ୟ ପ୍ରସ୍ତୁତ। ଭାରତୀୟ କୁସ୍ତି ମହାସଂଘ(WFI)ର ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରଦର୍ଶନ କରୁଥିବା ପହିଲମାନଙ୍କ ସମର୍ଥନରେ ବିଜେନ୍ଦର ଆଜି ଏହି ଟିପ୍ପଣୀ କରିଛନ୍ତି।
ଉଲ୍ଲେଖନୀୟ ଅଲିମ୍ପିକ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତା ଭିନେଶ ଫୋଗାଟ ମଙ୍ଗଳବାର ନିଜ ନିଜର ପଦକ ଗଙ୍ଗା ନଦୀରେ ଭସାଇବା ପାଇଁ ହରିଦ୍ଵାର ଯାଇଥିଲେ। ହେଲେ ସେମାନଙ୍କୁ ଏମିତି କରିବାକୁ ଅଟକାଇଥିଲେ କୃଷକ ନେତା ନରେଶ ଟିକାୟତ। ବହୁ ସମୟ ବୁଝାସୁଝା ପରେ କୁସ୍ତିଯୋଦ୍ଧାମାନେ ନିଜର ସମସ୍ତ ପଦକକୁ ନରେଶ ଟିକାୟତଙ୍କ ହାତରେ ଟେକି ଦେଇ ହରିଦ୍ଵାରରୁ ଫେରି ଆସିଛନ୍ତି।
କୃଷକ ନେତା ଶାମ ସିଂ ମଲିକ ଏବଂ ନରେଶ ଟିକାୟତ ମାମଲାର ସମାଧାନ ପାଇଁ କୁସ୍ତିଯୋଦ୍ଧାମାନଙ୍କୁ ୫ ଦିନର ସମୟ ମାଗିଛନ୍ତି। ଉଲ୍ଲେଖନୀୟ ଗତ ଥର ଯେବେ ପହିଲମାନମାନେ ଧାରଣାରେ ବସିଥିଲେ ସେହି ସମୟରେ ବିଜେନ୍ଦର ସିଂଙ୍କୁ ମଞ୍ଚରୁ ଓହ୍ଲାଇ ଦେଇଥିଲେ। ଆନ୍ଦୋଳନରତ କୁସ୍ତିଯୋଦ୍ଧା କହିଥିଲେ ଯେ, ସେମାନେ ନିଜ ଆନ୍ଦୋଳନକୁ ରାଜନୈତିକ ରଙ୍ଗ ଦେବାକୁ ଚାହାନ୍ତି ନାହିଁ। ମାତ୍ର ଏଥର ସମସ୍ତ ଦଳର ସମର୍ଥନ ଲୋଡ଼ିଛନ୍ତି ଏବଂ ଯେ କେହି ବି ଆମ ସହିତ ଧାରଣାରେ ବସି ପାରିବେ ବୋଲି ରେସଲରମାନେ କହିଛନ୍ତି।
wp:heading {"level":4}