କୋର୍ଟରେ ହାଜର ହେଲେ ଭରତପୁର ନିଲମ୍ବିତ IIC, ସବୁ ଟେଷ୍ଟ ପାଇଁ ରାଜି ହେଲେ ଦୀନକୃଷ୍ଣ ମିଶ୍ର

Published By : Prameya-News7 Bureau | September 25, 2024 IST

ଭୁବନେଶ୍ବର :‘‘ ମୁଁ ନିର୍ଦ୍ଦୋଷ। ମୋ ବିରୋଧରେ ଆସିଥିବା କୌଣସି ଅପରାଧରେ ମୁଁ ସାମିଲ ନାହିଁ। ନାର୍କୋ ଆନାଲସିସିସ, ପଲିଗ୍ରାଫ୍ ଏବଂ ବ୍ରେନ ଫିଙ୍ଗର ପ୍ରିଣ୍ଟିଂ ପରୀକ୍ଷା ପାଇଁ   ମୋର କୌଣସି ଆପତ୍ତି ନାହିଁ। ଏସବୁ ପାଇଁ ମୁଁ ସୁସ୍ଥ ମାନସିକତାରେ ସହମତି ଦେଉଛି। ’

ଏହାଥିଲା ପୂର୍ବତନ ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ବୟାନ। ଭରତପୁର ଥାନାରେ କ୍ୟାପଟେନ୍ ଏବଂ ତାଙ୍କ ବାନ୍ଧବୀଙ୍କ  ସହ ଘଟିଥିବା ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି। ଘଟଣାର ବିଭିନ୍ନ ଦିଗକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବାବେଳେ ଘଟଣାର ଅଭିଯୁକ୍ତ ଥିବା ତତ୍କାଳୀନ ଥାନାଧୀକାରଙ୍କ ପଲିଗ୍ରାଫ୍ ଟେ‌ଷ୍ଟ ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲେ। ସେପ୍ଟେମ୍ବର ୨୪ ତାରିଖରେ ଏହି କୋର୍ଟ ଦେଇଥିବା ଆଦେଶ ଆଧାରରେ ଆଜି ମାମଲା ରେକର୍ଡ କରାଯାଇଛି। 

ଆଜି ଭରତପୁର ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କୁ ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । କୋର୍ଟରେ ହାଜର ସମୟରେ ଥାନା ଅଧିକାରୀଙ୍କ ବ୍ରେନ୍‌ ମ୍ୟାପି, ଲାଏ ଡିଟେକ୍ସନ ଟେଷ୍ଟ, ନାର୍କୋ ଟେଷ୍ଟ ପାଇଁ କୋର୍ଟଙ୍କୁ ଅନୁମତି ଲୋଡିଥିଲା କ୍ରାଇମବ୍ରାଞ୍ଚ । କୋର୍ଟରେ ଦାବି ରଖିବା ପରେ ନିଲମ୍ବିତ ଆଇଆଇସି ମଧ୍ୟ ସମସ୍ତ ଟେଷ୍ଟରେ ସହମତି ପ୍ରକାଶ କରିଥିଲେ । ଯାହାପରେ ମାନ୍ୟବର କୋର୍ଟ ସମସ୍ତ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ଅନୁମତି ପାଇବା ପରେ ଗୁଜୁରାଟରେ ଏହି ସବୁ ଟେଷ୍ଟ କରାଯିବ । ଟେଷ୍ଟ ରିପୋର୍ଟ ଆସିବା ପରେ ପୁରା ଘଟଣାର ପର୍ଦ୍ଦାଫାଶ କରାଯିବ । 

ବୁଧବାର  ଏସ.ଡି.ଜେ.ଏମ କୋର୍ଟରେ ଶୁଣାଣି ସମୟରେ ପ୍ରଥମେ କୋର୍ଟ ଶ୍ରୀ ମିଶ୍ରଙ୍କୁ ପଚାରିଥିଲେ ଯେ ସେ ତାଙ୍କ ପସନ୍ଦର କୌଣସି ଓକିଲଙ୍କୁ ନିୟୋଜିତ କରିବାକୁ ଚାହୁଁଛନ୍ତି କି ? ଏଥିରେ ନାହିଁ କରିବା ସହ ଦୀନକୃଷ୍ଣ କହିଥିଲେ ଯେ,  ସେ ନିଜର ଆଇନଗତ ପ୍ରକ୍ରିୟା ବୁଝିବାରେ ଦକ୍ଷ ଏବଂ ଏହି ମାମଲାରେ କୌଣସି ଓକିଲ ରଖିବାକୁ ଚାହାନ୍ତି ନାହିଁ।  

ଶ୍ରୀ ମିଶ୍ର କୋର୍ଟରେ ନିଜ ପକ୍ଷ ରଖି କହିଥିଲେ ଯେ, "ମୁଁ ନିର୍ଦ୍ଦୋଷ। ମୋ ବିରୁଦ୍ଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଏବଂ ଏମିତି ଅପରାଧିକ ଘଟଣାରେ ଜଡିତ ନୁହେଁ। ନାର୍କୋ- ଆନାଲସିସିସ, ପଲିଗ୍ରାଫ୍ ଏବଂ ବ୍ରେନ ଫିଙ୍ଗର ପ୍ରିଣ୍ଟିଂ ପରୀକ୍ଷା ପାଇଁ ମୋର କୌଣସି ଆପତ୍ତି ନାହିଁ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.