କାରବିୟାନ କଣ୍ଡିସନରେ ସଫଳ ଟିମ୍ ଇଣ୍ଡିଆ; ଘାତକ ଆଫଗାନିସ୍ତାନ ଘାଇଲା, ସେମି ନିକଟତର ଭାରତ

Published By : Prameya-News7 Bureau | June 21, 2024 IST

ମୁମ୍ବାଇ: କାରବିୟାନ କଣ୍ଡିସନରେ ପ୍ରଥମ ଟେଷ୍ଟିଂ ସଫଳ । ଟିମ୍ ଇଣ୍ଡିଆର ସୁପର-୮ ସୁପର ଶୋ’। ଘାତକ ଆଫଗାନିସ୍ତାନ ଘାଇଲା । ୪୭ ରନ୍‌ରେ ବିଜୟ ସହ ସେମି ନିକଟତର । ଚମିକିଲେ ସୂର୍ଯ୍ୟ, ବୁମରାଙ୍କ ଚମତ୍କାର । ଟି-୨୦ କ୍ରିକେଟ୍ ବିଶ୍ବକପର ସୁପର-୮ ରାଉଣ୍ଡରେ ପ୍ରଥମ ବିଜୟ ଛାପ ଛାଡ଼ିଛି ଟିମ୍ ଇଣ୍ଡିଆ । ଲିଗ୍ ପର୍ଯ୍ୟାୟର ଗ୍ରୁପ-‘ବି’ରେ କିଓ୍ବି ଓ କାରବିୟାନଙ୍କୁ କରାୟତ କରିଥିବା ଅଫାଗାନିସ୍ତାନ ସୁପର-୮ରେ ଚିତ୍ ହୋଇଛି । ଭାରତ ସାମ୍ନାରେ ଫେଲ୍ ମାରିଛି ପୂର୍ବରୁ ଚ୍ୟାଲେଞ୍ଜିଂ ସାବ୍ୟସ୍ତ ହୋଇଥିବା ଆଫଗାନ୍ ସ୍ପିନ୍ । କ୍ୟାପଟେନ୍ ରସିଦ୍ ଖାନଙ୍କୁ ଛାଡ଼ିଦେଲେ ବାକି ସମସ୍ତ ବୋଲର ସୂର୍ଯ୍ୟକୁମାରଙ୍କ ରୌଦ୍ରରେ ଜଳିଥିଲେ । ଫଳରେ ସୁପର-୮ର ପ୍ରଥମ ମ୍ୟାଚକୁ ସହଜ ଜିତି ନେଇଛି ରୋହିତ୍ ବାହିନୀ ।

ୟୁଏସଏର ଧିମା କଣ୍ଡିସନକୁ ପଛରେ ପକାଇ ଟିମ୍ ଇଣ୍ଡିଆ କାରବିୟାନ କଣ୍ଡିସନରେ ଜବରଦସ୍ତ ଏଣ୍ଟ୍ରି ମାରିଛି । ନ୍ୟୁୟର୍କର ସ୍ଲୋ ପିଚ୍‌ରେ ମନ୍ଥର ଚାଲୁଥିବା ରନ୍ ମେସିନର ସ୍ପିଡୋମିଟର ଓ୍ବେଷ୍ଟଇଣ୍ଡିଜର ବାରବଡୋସରେ ଗତି ଧରିଛି । ୧୨୦ରୁ ସିଧା ୧୮୦କୁ ଲମ୍ଫ ମାରିଛି ଭାରତୀୟ ଟିମର ରନ୍ ମେସିନ୍ । ଗୁରବାର ଭାରତ-ଆଫଗାନିସ୍ତାନ ମଧ୍ୟରେ ଟି-୨୦ ବିଶ୍ବକପରେ ଗ୍ରୁପ-ଓ୍ବାନର ପ୍ରଥମ ସୁପର-୮ ମୁକାବିଲା ଖେଳାଯାଇଛି । ବାରବଡୋସରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ସ୍କିପର ରୋହିତ୍ ଶର୍ମା । ଆଉ ଓପନର ଭାବେ ପଡ଼ିଆକୁ ଓହ୍ଲାଇ ଥିଲେ ରୋ-କୋ ଯୋଡ଼ି । 

ପ୍ରାରମ୍ଭରୁ ସ୍ଲୋ-ସ୍ବିଇଂର ଶିକାର ହୋଇଥିଲେ ରୋହିତ୍ ଶର୍ମା । ତୃତୀୟ ଓଭରରେ ଫଜଲହକ୍ ଫାରୁକି, ଟିମ୍ ଇଣ୍ଡିଆ ଝଟକା ଦେଇଥିଲେ । ରନ୍ ଗତିରେ ସାମାନ୍ୟ ରୋକ୍ ଲାଗିଥିବା ବେଳେ ସ୍କୋର ବୋର୍ଡକୁ ଗତିଶୀଳ କରିଥିଲେ ରିଷଭ୍ ପନ୍ତ । ହେଲେ ଏହା ବେଶୀ ସମୟ ଏହା ଚାଲିନଥିଲା । ସପ୍ତମ ଓ ନବମ ଓଭରେ ପନ୍ତ ଓ ବିରାଟ୍‌ଙ୍କୁ ପାଭେଲିୟନ ପଠାଇ ଦେଇଥିଲେ କ୍ୟାପଟେନ୍ ରସିଦ୍ ଖାନ୍ । ମ୍ୟାଚରେ ଏଇଠୁ ଆରମ୍ଭ ହୋଇଥିଲା ଅସଲ ରୋମାଞ୍ଚ । ସୂର୍ଯ୍ୟକୁମାରଙ୍କ ରୌଦ୍ରରେ ଜଳିଥିଲେ ଆଫଗାନିସ୍ତାନ ବୋଲର । ମାତ୍ର ୨୮ଟି ବଲରେ ଦମଦାର ୫୩ ରନ ମାରି ଟିମ୍ ଇଣ୍ଡିଆକୁ ଏକ ମଜବୁତ୍ ସ୍ଥିତିରେ ପହଞ୍ଚାଇଥିଲେ । ସେପଟେ ଦଳୀୟ ସ୍କୋରରେ ୩୨ ରନ୍ ଯୋଡ଼ି ସୂର୍ଯ୍ୟଙ୍କୁ ସାଥ୍ ଦେଇଥିଲା ଉପ-ଅଧିନାୟକ ହାର୍ଦ୍ଦିକ୍ ପାଣ୍ଡ୍ୟା । ନିର୍ଦ୍ଧାରିତ ୨୦ ଓଭରରେ ଭାରତୀୟ ଦଳ ୮ ଓ୍ବିକେଟ୍ ହରାଇ ୧୮୧ ରନ ସଂଗ୍ରହ କରିଥିଲେ ।


ଧିମା ପିଚ୍‌ରେ ୧୮୨ ରନର ବିଶାଳ ଟାର୍ଗେଟକୁ ଲକ୍ଷ୍ୟ ରଖି ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା ଆଫଗାନିସ୍ତାନ ଟିମ୍ । ଆଉ ପ୍ରଥମ ଓଭରରେ ହିଁ ଆର୍ଶଦୀପକୁ ଟାର୍ଗେଟ୍ କରିଥିଲେ ରହମ୍ମନୁହ୍ଲା ଗୁରବାଜ୍ । ହେଲେ ବୁମରାଙ୍କ ଆଗରେ ଫେଲ୍ ମାରିଥିଲା ଅଫଗାନ୍ ବ୍ୟାଟରଙ୍କ ସବୁ ଚାଲ୍ । ଗୁରବାଜଙ୍କୁ ଆଉଟ୍ କରି ବାଜି ପଲଟାଇ ଦେଇଥିଲେ ଯଶପ୍ରୀତ୍ ।  ମୋଟ୍ ୪ ଓଭର ବୋଲିଂ କରି ମାତ୍ର ୭ ରନ୍ ଦେଇ ୩ଟି ଓ୍ବିକେଟ୍ ଅକ୍ତିଆର୍ କରିଥିଲେ । ଏହା ପରେ ଭାରତୀୟ ସ୍ପିନରଙ୍କ ଯାଦୁ ଚାଲିଥିଲା । ଅକ୍ଷର ପଟେଲ୍ ଓ କୁଲଦୀପ ଯାଦବଙ୍କ ସାମ୍ନାରେ ତିଷ୍ଠି ପାରି ନଥିଲେ ଆଫଗାନ୍ ବ୍ୟାଟର । ମ୍ୟାଚର ଶେଷ ପର୍ଯ୍ୟାୟରେ ଅର୍ଶଦୀପ ସିଂହ ତିନୋଟି ଓ୍ବିକେଟ୍ ନେଇ ଆଫଗାନିସ୍ତାନକୁ ଅଲ୍‌ଆଉଟ୍ କରିଥିଲେ । ୨୦ ଓଭରରେ ଦଳ ମାତ୍ର ୧୩୪ କରି   ପାରିଥିଲା । ଫଳରେ ଟିମ୍ ଇଣ୍ଡିଆ ସୁପର-୮ର ପ୍ରଥମ ମୁକାବିଲାକୁ ୪୭ ରନରେ ଜିତି ନେଇଛି । ଏହି ବିଜୟ ସହିତ ସେମି ଫାଇନାଲ୍ ଆଶାକୁ ମଜବୁତ୍ କରିଛି ଭାରତୀୟ ଦଳ । ସୂର୍ଯ୍ୟକୁମାର ଯାଦବ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି ।

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.