ଶୁକ୍ରବାର ପ୍ରଥମ ଟି-୨୦: ପଦାର୍ପଣ କରି ପାରନ୍ତି ଏହି ବୋଲର, ଏମିତି ହୋଇପାରେ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ XI

Published By : Prameya-News7 Bureau | November 07, 2024 IST

ନୂଆଦିଲ୍ଲୀ: ଭାରତୀୟ ଯୁବ କ୍ରିକେଟ୍ ଦଳ ସଂପ୍ରତି ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଏହି ଗସ୍ତରେ ଘରୋଇ ଦଳ ବିପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ  ଦଳ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ।  ପ୍ରଥମ ଟି-୨୦ ନଭେମ୍ବର ୮ରେ ଡର୍ବାନରେ ଖେଳାଯିବ। ସୂର୍ଯ୍ୟକୁମାର ଯାଦବ ଅଧିନାୟକ ହେବା ପରେ ଭାରତୀୟ ଦଳ ଦୁଇଟି ସିରିଜ୍ ଜିତି ସାରିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ଭାରତୀୟ ଦଳରେ ୟଶ ଦୟାଲ ସମେତ ତିନି ନୂଆ ଖେଳାଳିଙ୍କୁ ସାମିଲ୍ କରାଯାଇଛି। ମୋଟାମୋଟି ଯେଉଁ ଦଳ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ ଖେଳିଥିଲେ, ସେହି ସମାନ ଦଳକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ପଠା ଯାଇଛି। 

ଗୌତମ  ଗମ୍ଭୀର କୋଚ୍ ହେବା ପରେ ଟି-୨୦ରେ ଭାରତୀୟ ଦଳ ପାଇଁ ଓପନିଂ ଦାୟିତ୍ଵ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ସମ୍ଭାଳି ଆସୁଛନ୍ତି। ତେଣୁ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ରେ ଏହି ଦୁଇ ବ୍ୟାଟର ଇନିଂସ ଓପନ କରିବେ। ଦୀର୍ଘ ସମୟ ପରେ ଦଳକୁ ଫେରିଥିବା ତିଳକ ବର୍ମା ତୃତୀୟ କ୍ରମରେ ବ୍ୟାଟିଂ କରି  ପାରନ୍ତି। । ଚାରି ନମ୍ବରରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିବେ।ପାଞ୍ଚ ନମ୍ବରରେ ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଛଅ ନମ୍ବରରେ ରିଙ୍କୁ ସିଂ ଫିନିସର ଭୂମିକା ନିର୍ବାହ କରିବେ। ଏହି ଦୁଇ ଖେଳାଳିଙ୍କ ଉପରେ ବିସ୍ଫୋରକ ବ୍ୟାଟିଂ କରି ରନ ଗତି ବଢାଇବାର ଦାୟିତ୍ଵ ରହିବ। ଏହା ପରେ ଅକ୍ଷୟ ପଟେଲ୍ ନିମ୍ନ କ୍ରମରେ ବ୍ୟାଟିଂ କରିବେ। 

Also read: ‘ରୋହିତ୍ ଅବସର ନେଇପାରନ୍ତି...; ବିସିସିଆଇ ନୂଆ ନେତୃତ୍ବ ଖୋଜିବା ଆବଶ୍ୟକ’

ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା ରହୁଥିବାରୁ ଦଳରେ କେବଳ ଦୁଇ ଜଣ ଦ୍ରୁତ ବୋଲର ଖେଳିବାର ଆଶା କରାଯାଉଛି। ତେବେ ଦକ୍ଷିଣ ଆଫ୍ରିକା ପିଚ୍‌କୁ ଦୃଷ୍ଟିରେ ରଖି ଦ୍ରୁତ ବୋଲର ରମଣଦୀପ ସିଂଙ୍କୁ ଦ୍ରୁତ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ। ଏହିପରି ସେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ପଦାର୍ପଣ କରି ପାରନ୍ତି। ସ୍ପିନ ବୋଲର  ବରୁଣ ଚକ୍ରବର୍ତ୍ତୀ ଓ ବୋଲିଂ ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଖେଳିବା ନିଶ୍ଚିତ ଲାଗୁଛି। ଏହିପରି ଭାରତ ପାଖରେ ବୋଲର ଭାବେ ଛଅ ବିକଳ୍ପ ରହିବେ। ଅର୍ଶଦୀପ, ଅଭେଶ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବୋଲିଂ ସମ୍ଭାଳୁଥିବା ବେଳେ ଚକ୍ରବର୍ତ୍ତୀ ଓ ଅକ୍ଷର ସ୍ପିନ ବିଭାଗ ସମ୍ଭାଳିବେ। ପ୍ରଥମ ଥର ଟି-୨୦ ଦଳରେ ସ୍ଥାନ ପାଇଥିବା  ବାମହାତୀ ଦ୍ରୁତ ବୋଲର ୟଶ ଦୟାଲଙ୍କୁ ଭାରତୀୟ ଦଳ ପକ୍ଷରୁ ପଦାର୍ପଣ ପାଇଁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ପାଇଁ ସମ୍ଭାବିତ ଚୂଡ଼ାନ୍ତ ଏକାଦଶ

ଅଭିଷେକ ଶର୍ମା, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ଅକ୍ଷର ପଟେଲ୍, ରମଣଦୀପ ସିଂ, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂ ଓ ଅଭେଶ ଖାନ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.