ନୂଆଦିଲ୍ଲୀ: ଭାରତ ଜିଦ୍ ଆଗରେ ମୁଣ୍ଡ ନୁଆଇଁଲା ପାକିସ୍ତାନ। ଚାମ୍ପିୟନ ଟ୍ରଫି ୨୦୨୫ ଆୟୋଜନରେ ଅଜଷ୍ଟ କରିବାକୁ ରାଜି ପାକିସ୍ତାନ କ୍ରିକେଟ ବୋର୍ଡ। ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ଭାରତ ଚାମ୍ପିୟନ ଟ୍ରଫି ମ୍ୟାଚ୍ଗୁଡ଼ିକ ଆୟୋଜକ ପାକିସ୍ତାନରେ ନ ଖେଳି ୟୁଏଇରେ ଖେଳିବ ସୂଚନା ମିଳିଛି। ତେବେ ନେଇ ଉଭୟ ବିସିସିଆଇ କିମ୍ବା ପିସିବି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ ନାହିଁ।
ଏଥର ପାକିସ୍ତାନ ୨୦୨୫ ଚାମ୍ପିୟନ ଟ୍ରଫି ଆୟୋଜନ କରୁଛି। ଏପଟେ ପାକିସ୍ତାନ ସହିତ ସାମାଜିକ ରାଜନୈତିକ ଓ ଭୂରାଜନୈତିକ ସମସ୍ୟା ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଟିମ୍ ଇଣ୍ଡିଆକୁ ପାକିସ୍ତାନ ଯିବାକୁ ଅନୁମତି ଦେଉ ନାହାନ୍ତି। ତେଣୁ ପିସିବି ବାଧ୍ୟ ହୋଇ ଅଜଷ୍ଟ କରିବାକୁ ରାଜି ହୋଇଛି। ତେଣୁ ଯଦି ଭାରତ କ୍ରିକେଟ ଟିମ୍ ପାକିସ୍ତାନ ନ ଯାଏ ତେବେ ଟୁର୍ଣ୍ଣାମେଣ୍ଟ ହାଇବ୍ରିଡି ମୋଡେଲ୍ରେ ଖେଳାଯାଇପାରେ।
ଏହା ପୂର୍ବରୁ ୨୦୨୩ ଏସିଆ କପ୍ ମଧ୍ୟ ପାକିସ୍ତାନ ଆୟୋଜନ କରିଥିଲା। ହେଲେ ଟିମ ଇଣ୍ଡିଆକୁ ପାକିସ୍ତାନ ଯିବାକୁ ଅନୁମତି ନ ମିଳିବାରୁ ପାକିସ୍ତାନ ବାଧ୍ୟ ହୋଇ ହାଇବ୍ରିଡି ମୋଡେଲ୍ ପାଇଁ ରାଜି ହୋଇଥିଲା। ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିଥିଲା।
ଚାମ୍ପିୟନ ଟ୍ରଫି ନେଇ ପିସିବି ବିଶ୍ୱସ୍ତ ସୂତ୍ର ପିଟିଆଇକୁ ସୂଚନା ଦେଇ କହିଛନ୍ତି “ଯଦି ଭାରତ ସରକାର ଟିମ୍ ଇଣ୍ଡିଆର ପାକିସ୍ତାନ ଟୁରକୁ କ୍ଲିୟର ନକରନ୍ତି ତେବେ ପିସିବି କାର୍ଯ୍ୟସୂଚୀରେ ସାମାନ୍ୟ ସଂଶୋଧନ କରାଯାଇପାରିବ। ଭାରତ ଦୁବାଇ ଓ ଶାରଜାହରେ ସମସ୍ତ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି।”
ତେବେ ଆଇସିସି କୌଣସି କ୍ରିକେଟ ବୋର୍ଡକୁ ନିଜ ଦେଶର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଯିବାକୁ ବାଧ୍ୟ କରିପାରିବ ନାହିଁ। ତେବେ ବିସିସିଆଇ ଏନେଇ ଅନ୍ତିମ ନିଷ୍ପତ୍ତି ନେବ। ହେଲେ ନିଷ୍ପତ୍ତି ନେଲାବେଳକୁ ଜୟ ଶାହ ଆଇସିସି ଅଧ୍ୟକ୍ଷ ହୋଇସାରିଥିବେ। ତେଣୁ ଏହା ଆହୁରି ରୋଚକ ହେବ।
ସେପଟେ ଟୁର୍ଣ୍ଣାମେଣ୍ଟ ପାଇଁ ଆସନ୍ତା ସପ୍ତାହରେ କାର୍ଯ୍ୟସୂଚୀ ଘୋଷଣା କରିବାକୁ ପିସିବି ଆଇସିସି ଉପରେ ଚାପ ପକାଉଛି। କାରଣ ଆଇସିସିର ବରିଷ୍ଠ ଅଧିକାରୀମାନେ ଆସନ୍ତା ସପ୍ତାହରେ ଲାହୋର ଆସି ସ୍ଥିତି ଅନୁଧ୍ୟାନ କରିବେ।