୪ ମାସରେ ୫ ସିରିଜ୍‌…ଗମ୍ଭୀର-ରୋହିତଙ୍କ ଯୋଡି,ଭାରତ ପାଇଁ କଲେ, ୧୦ ଲଜ୍ଜାଜନକ ରେକର୍ଡ

Published By : Prameya-News7 Bureau | November 06, 2024 IST

ଟିମ୍‌ ଇଣ୍ଡିଆ ହାରିଛି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ । ୨୫ ରନ୍‌ରେ ହୋଇଥିଲା ପରାଜୟ । ୩-୦ରେ ସିରିଜ୍‌ କବ୍ଜା କରିଥିଲା କ୍ବିଓ୍ବି ଟିମ୍‌ । ପରାଜୟ ପରେ ଏବେ ହେଡ୍‌ କୋଚ୍‌ ଗୌତମ ଗମ୍ଭୀରଙ୍କ ଉପରେ ଉଠିଛି ପ୍ରଶ୍ନ । କାରଣ ଗମ୍ଭୀରଙ୍କ ପାଳି ଷ୍ଟାର୍ଟ ହେବା ପରେ ଟିମ୍‌ ଇଣ୍ଡିଆ ନାଁରେ ଯୋଡି ହୋଇଛି ୧୦ଟି ଲଜ୍ଜାଜନକ ରେକର୍ଡ । ଟିମ୍‌ ଇଣ୍ଡିଆର ହେଡ୍‌କୋଚ୍‌ ଭାବେ ଗମ୍ଭୀରଙ୍କ ପ୍ରଥମ ସିରିଜ୍ ଶ୍ରୀଲଙ୍କା ବିପକ୍ଷରେ ହୋଇଥିଲା। ଟିମ୍‌ ଜୁଲାଇରେ ଶ୍ରୀଲଙ୍କା ଗସ୍ତ କରିଥିଲା ।

 ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ୩ ମ୍ୟାଚ୍‌ ବିଶିଷ୍ଠ ଟି-୨୦ ସିରିଜ୍କୁ ୩-୦କୁ ଜିତିଥିଲା । କିନ୍ତୁ ODI ସିରିଜରେ ୨-୦ରେ ହୋଇଥିଲା ପରାସ୍ତ । ଏହାପରେ ଟିମ୍‌ ଇଣ୍ଡିଆ ଘରୋଇ ମାଟିରେ ବାଂଲାଦେଶକୁ ୨ଟି ଟେଷ୍ଟ ଏବଂ ୩ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜରେ କରିଥିଲା କ୍ଲିନ୍‌ସ୍ବିପ୍‌ । କିନ୍ତୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଠ ଘରୋଇ ଟେଷ୍ଟ ସିରିଜ୍‌ରେ ହ୍ବାଇଟ୍‌ଓ୍ବାସ୍‌ ହୋଇଛି । ଓ୍ବାନଡେ ଏବଂ ଟେଷ୍ଟରେ କ୍ୟାପଟେନସିପ୍‌ ସମ୍ଭାଳିଥିଲେ ରୋହିତ ଶର୍ମା । 

କୋଚ୍‌ ଗୌତମ ଗମ୍ଭୀର ମୋର୍ଚ୍ଚା ସମ୍ଭାଳିବା ପରେ ଟିମ୍‌ ଇଣ୍ଡିଆ ୪ ମାସରେ ଖେଳିଛି ୫ଟି ଦ୍ବିପାକ୍ଷିକ ସିରିଜ । ଏହି ସମୟରେ ଗମ୍ଭୀର ଏବଂ ରୋହିତଙ୍କ ଯୋଡି ମିଶି ମାତ୍ର ୨ଟି ସିରିଜ୍‌ରେ ୧୦ଟି ଲଜ୍ଜାଜନକ ରେକର୍ଡ ଟିମ୍‌ ଇଣ୍ଡିଆ ନାଁରେ ଯୋଡିଛନ୍ତି । ନଜର ପକାନ୍ତୁ ଏହି ୧୦ଟି ଲଜ୍ଜାଜନକ ରେକର୍ଡ ବିଷୟରେ…

୧() ୨୭ ବର୍ଷ ପରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ହାରିଥିଲା କୌଣସି ଦ୍ବିପାକ୍ଷିକ ଓ୍ବାନଡେ ସିରିଜ୍ । ଏହାପୂର୍ବରୁ ଟିମ୍‌ ଇଣ୍ଡିଆ ୧୯୯୭ ଅଗଷ୍ଟରେ ହାରିଥିଲା ମ୍ୟାଚ୍‌ ।  

୨() ଗମ୍ଭୀରଙ୍କ କୋଚିଂରେ ପ୍ରଥମଥର ପାଇଁ ୩ ମ୍ୟାଚ୍‌ ବିଶିଷ୍ଟ ଓ୍ବାନଡେ ସିରିଜରେ ସମସ୍ତ ୩୦ଟି ଯାକ ଓ୍ବିକେଟ୍‌ ହରାଇଥିଲା ଟିମ୍‌ ଇଣ୍ଡିଆ । ଅର୍ଥାତ୍‌ ଅଲ୍‌ଆଉଟ୍‌ ହୋଇଥିଲା ମେନ୍‌ ଇନ୍‌ ବ୍ଲୁ । 

୩() ୪୫ ବର୍ଷ ପରେ ଭାରତୀୟ ଟିମ୍‌ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଓ୍ବାନଡେ ମ୍ୟାଚ ଜିତି ପାରିନଥିଲା । ଟିମ୍‌ ଚଳିତ ବର୍ଷ ଖେଳିଥିଲା ମାତ୍ର ୩ଟି ଓ୍ବାନଡେ । ଯେଉଁଥିରେ ୨ଟିରେ ପରାଜୟ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ହୋଇଥିଲା ଟାଇ । 

୪() ୩୬ ବର୍ଷ ପରେ ଟିମ୍‌ ଇଣ୍ଡିଆ ଘରୋଇ ମଇଦାନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାରିଛି କୌଣସି ଟେଷ୍ଟ ମ୍ୟାଚ୍ ।

୫() ଏହାବ୍ୟତୀତ ୧୯ ବର୍ଷ ପରେ ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତୀୟ ଦଳ କୌଣସି ଟେଷ୍ଟ ମ୍ୟାଚ୍ ହାରିଥିଲା । 

୬() ଗମ୍ଭୀର ଏବଂ ରୋହିତଙ୍କ ଅଧିନାୟିକତ୍ବରେ ଟିମ୍‌ ଇଣ୍ଡିଆର ଭାଙ୍ଗିଥିଲା ୧୩ ବର୍ଷର ରେକର୍ଡ । ଦୀର୍ଘ ବର୍ଷ ପରେ ଭାରତୀୟ ଟିମ୍‌ ହାରିଥିଲା କୌଣସି ଦ୍ୱିପାକ୍ଷିକ ଟେଷ୍ଟ ସିରିଜ୍ । 

୭() ତେବେ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଘରୋଇ ଗ୍ରାଉଣ୍ଡରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ହାରିଛି । 

୮() ପ୍ରଥମଥର ପାଇଁ ଘରୋଇ ମଇଦାନରେ ୫୦ରୁ କମ୍‌ ରନ୍‌ ସ୍କୋର କରିଥିଲା ଟିମ୍‌ ଇଣ୍ଡିଆ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ର ପ୍ରଥମ ଟେଷ୍ଟରେ ଭାରତୀୟ ଟିମ୍‌ ପ୍ରଥମ ପାଳିରେ ୪୬ ରନରେ ସୀମିତ ରହିଥିଲା । ଯାହା ଏକ ଲଜ୍ଜାଜନକ ରେକର୍ଡ । 

୯() ଟେଷ୍ଟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଟିମ୍‌ ଇଣ୍ଡିଆକୁ ଘରୋଇ ମାଟିରେ ୩ କିମ୍ବା ତାଠାରୁ ଅଧିକ ସିରିଜ୍‌ରେ କ୍ଲିନ୍‌ ସ୍ବିପ୍‌ର ସାମ୍ନା କରିବାକୁ ପଡିଥିଲା ।  

୧୦() ଘରୋଇ ମାଟିରେ ଭାରତୀୟ ଟିମ୍‌ ୨୪ ବର୍ଷ ପରେ କୌଣସି ଟେଷ୍ଟ ସିରିଜରେ ହାରିଛି । ଅର୍ଥାତ୍ ୨୪ ବର୍ଷ ପରେ ଭାରତ କ୍ଲିନ୍‌ସ୍ବିପ୍‌ ହୋଇଥିଲା । ଏହାପୂର୍ବରୁ ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତୀୟ ଟିମ୍‌କୁ କ୍ଲିନ୍‌ସ୍ବିପ୍‌ର ସମ୍ମୁଖୀନ ହେବାକୁ ପଡିଥିଲା। ତେବେ ଅପେକ୍ଷା ଭବିଷ୍ୟତକୁ, ଏହି ଯୋଡି କମାଲ୍‌ କରୁଛନ୍ତି ନା ଅଧିକ ଲଜ୍ଜାଜନକ ରେକର୍ଡ ଟିମ୍‌ ଇଣ୍ଡିଆ ନାଁରେ ଯୋଡୁଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.