ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ବିରାଟ କୋହଲିଙ୍କୁ ବୁଧବାର ଆଇସିସି ଦ୍ଵାରା ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ଶକ୍ତ ଧକ୍କା ଲାଗିଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କାରଣରୁ କୋହଲି ବ୍ୟାଟିଂ ମାନ୍ୟତାର ଟପ୍-୨୦ରୁ ବାଦ୍ ପଡ଼ିଛନ୍ତି। ୨୦୧୪ ପରେ ପ୍ରଥମ ଥର କୋହଲିଙ୍କୁ ଏହି ଦଶା ଭୋଗିବାକୁ ପଡ଼ିଛି। କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ରେ ମାତ୍ର ୯୩ ରନ କରିଥିଲେ। ଏଥିରେ ୭୦ ରନ ହେଉଛି ତାଙ୍କର ସର୍ବୋଚ୍ଚ ସ୍କୋର। ଟେଷ୍ଟ ମାନ୍ୟତାରେ କୋହଲି ୨୨ତମ ସ୍ଥାନକୁ ଖସି ଆସିଛନ୍ତି।
Also read: ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲ ଦୌଡ଼; ଟିମ୍ ଇଣ୍ଡିଆ ପାଇଁ ‘ଲର୍ଡ୍ସ’ ଗ୍ରାଉଣ୍ଡ ବହୁ ଦୂର !
କୋହଲିଙ୍କ ପରି ରୋହିତ ଶର୍ମା ଦୁଇଟି ସ୍ଥାନ ତଳକୁ ଖସି ୨୬ତମ ସ୍ଥାନରେ ପହଞ୍ଚିଛନ୍ତି। ରୋହିତ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ରେ ଦୟନୀୟ ବ୍ୟାଟିଂ କରିଥିଲେ। ନ୍ୟୁଜିଲାଣ୍ଡ ପ୍ରଥମ ଦଳ ଭାବେ ଭାରତକୁ ତାରି ମାଟିରେ ୩-୦ରେ ହ୍ଵାଇଟ୍ ଓ୍ଵାସ୍ କରି ଇତିହାସ ରଚିଛି। ଟେଷ୍ଟରେ ବ୍ୟାଟିଂ ମାନ୍ୟତାରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ଶୀର୍ଷରେ ରହିଛନ୍ତି। ଦ୍ଵିତୀୟରେ କେନ ଓ୍ଵିଲିୟମସନ ଓ ତୃତୀୟରେ ହ୍ୟାରି ବ୍ରୁକ ରହିଛନ୍ତି। ଭାରତର ଯୁବ ବ୍ୟାଟର ଯଶସ୍ଵୀ ଜୟସ୍ଵାଲ ମଧ୍ୟ ଗୋଟିଏ ସ୍ଥାନ ଅବନତି ଘଟାଇ ଚତୁର୍ଥକୁ ଖସିଛନ୍ତି। ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ୫ଟି ସ୍ଥାନ ଉନ୍ନତି ଘଟାଇ ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଗିଲ୍ ୧୬ତମ ସ୍ଥାନରେ ରହିଛନ୍ତି।
ସେହିପରି ବୋଲିଂରେ ଅନୁଭବୀ ସ୍ପିନର ରବୀନ୍ଦ୍ରା ଜାଡ଼େଜା ସଦ୍ୟତମ ବୋଲିଂ ମାନ୍ୟତାରେ ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଅଶ୍ଵିନ ପଞ୍ଚମ ସ୍ଥାନରେ ରହିଛନ୍ତି। ଓ୍ଵାଶିଂଟନ ସୁନ୍ଦର ବୋଲିଂ ମାନ୍ୟତାରେ ୭ଟି ସ୍ଥାନ ସୁଧାର କରି ୪୬ତମ ସ୍ଥାନରେ ପହଞ୍ଚିଛନ୍ତି।